ଓଡ଼ିଶା ସୂଚନା ସେବା ସଂଘର ବାର୍ଷିକ ଉତ୍ସବ ୨୦୨୬ ଅନୁଷ୍ଠିତ
କ୍ୟାଡର ସୁଦୃଢ଼ୀକରଣ ଓ ବୃତ୍ତିଗତ ଉତ୍କର୍ଷତା ଉପରେ ଗୁରୁତ୍ୱ
‘ଡିଜିଟାଲ ଯୁଗରେ ଜନସମ୍ପର୍କ’ ଶୀର୍ଷକ ଆଲୋଚନାଚକ୍ର ଆୟୋଜିତ
ଭୁବନେଶ୍ୱର, ୧୦ ଅକ୍ଟୋବର ୨୦୨୬:
ଓଡ଼ିଶା ସୂଚନା ସେବା ସଂଘ (ଓଆଇଏସଏ) ପକ୍ଷରୁ ବାର୍ଷିକ ଉତ୍ସବ-୨୦୨୬ ଆଜି ଭୁବନେଶ୍ୱରସ୍ଥିତ ଭାରତୀୟ ବିଦ୍ୟା ଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ରାଜ୍ୟର ବିଭିନ୍ନ ଉପଖଣ୍ଡ, ଜିଲ୍ଲା, ରାଜସ୍ୱ ଆୟୁକ୍ତ କାର୍ଯ୍ୟାଳୟ ସମେତ ରାଜ୍ୟ ମୁଖ୍ୟାଳୟ ଏବଂ ବିଭିନ୍ନ ବିଭାଗରେ କାର୍ଯ୍ୟରତ ଓଡ଼ିଶା ସୂଚନା ସେବା (ଓଆଇଏସ୍) ବର୍ଗର ଅଧିକାରୀମାନେ ଯୋଗ ଦେଇଥିଲେ।
ଏହି ଅବସରରେ “ଡିଜିଟାଲ ଯୁଗରେ ଜନସମ୍ପର୍କ: ଲୋକସମ୍ପର୍କ ଅଧିକାରୀମାନଙ୍କ ପାଇଁ ବଦଳୁଥିବା ଦାୟିତ୍ୱ, ଆହ୍ୱାନ ଓ ସମ୍ଭାବନା” ଶୀର୍ଷକ ଏକ ଆଲୋଚନାଚକ୍ର ଆୟୋଜିତ ହୋଇଥିଲା। କାର୍ଯ୍ୟକ୍ରମରେ ସୂଚନା ଓ ଲୋକସମ୍ପର୍କ ବିଭାଗର ନିର୍ଦ୍ଦେଶକ ଶ୍ରୀ ସଞ୍ଜୟ କୁମାର ବିଶ୍ୱାଳ ମୁଖ୍ୟ ଅତିଥି, ବିଭାଗର ଅତିରିକ୍ତ ଶାସନ ସଚିବ ଶ୍ରୀ ଅଶୋକ କୁମାର ବେଉରିଆ ସମ୍ମାନିତ ଅତିଥି ଏବଂ ଭାରତୀୟ ଜନସଂଚାର ସଂସ୍ଥାନ (ଆଇଆଇଏମସି), ଢେଙ୍କାନାଳର ଆଞ୍ଚଳିକ ନିର୍ଦ୍ଦେଶକ ପ୍ରଫେସର ଆନନ୍ଦ ପ୍ରଧାନ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିଲେ।
ନିଜ ଅଭିଭାଷଣରେ ବିଭାଗୀୟ ନିର୍ଦ୍ଦେଶକ ଶ୍ରୀ ବିଶ୍ୱାଳ ଓଆଇଏସ୍ ଅଧିକାରୀମାନଙ୍କ ବୃତ୍ତିଗତ ବିକାଶ ଓ ସାମୂହିକ ଉନ୍ନତି କ୍ଷେତ୍ରରେ ସଂଘର ଭୂମିକାକୁ ପ୍ରଶଂସା କରିଥିଲେ। ଜନକଲ୍ୟାଣକାରୀ ଯୋଜନାର ସଫଳ ପ୍ରଚାର ପ୍ରସାର ଏବଂ ଡିଜିଟାଲ ମିଡିଆର ବହୁଳ ବ୍ୟବହାରକୁ ଦୃଷ୍ଟିରେ ରଖି କ୍ୟାଡର ସୁଦୃଢ଼ୀକରଣ ପାଇଁ ବିଭାଗ ପକ୍ଷରୁ ସମସ୍ତ ସହଯୋଗ ଯୋଗାଇ ଦିଆଯିବ ବୋଲି ସେ ପ୍ରକାଶ କରିଥିଲେ।
ମୁଖ୍ୟ ବକ୍ତା ପ୍ରଫେସର ଆନନ୍ଦ ପ୍ରଧାନ ଡିଜିଟାଲ ଗଣମାଧ୍ୟମର ବର୍ଦ୍ଧିତ ପ୍ରଭାବ, ସମୟୋପଯୋଗୀ ଓ ବିଶ୍ୱସନୀୟ ସୂଚନା ପ୍ରସାର, ଗଣମାଧ୍ୟମ ସହ ସମନ୍ୱୟ ଏବଂ ଜନକୈନ୍ଦ୍ରିକ ଯୋଗାଯୋଗ ଉପରେ ଆଲୋକପାତ କରିଥିଲେ। ନୂତନ ପ୍ରଯୁକ୍ତିବିଦ୍ୟାକୁ ଆପଣାଇବା ସହ ଅପପ୍ରଚାର ଓ ଭ୍ରାନ୍ତ ସୂଚନାର ମୁକାବିଲା କରିବା ପାଇଁ ସେ ପରାମର୍ଶ ଦେଇଥିଲେ। ଏହାଦ୍ୱାରା ପ୍ରଶାସନ ଓ ଜନସାଧାରଣଙ୍କ ମଧ୍ୟରେ ବିଶ୍ୱାସନୀୟତା ସୁଦୃଢ଼ ହେବ ବୋଲି ସେ ମତବ୍ୟକ୍ତ କରିଥିଲେ।
ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମରେ ସଂଘର ସଭାପତି ଶ୍ରୀମତୀ ସୁଚେତା ପ୍ରିୟଦର୍ଶିନୀ, ସାଧାରଣ ସମ୍ପାଦକ ଶ୍ରୀ ପଠାଣି ରାଉତ, ବରିଷ୍ଠ ଉପଦେଷ୍ଟା ତଥା ପ୍ରାକ୍ତନ ଅତିରିକ୍ତ ନିର୍ଦ୍ଦେଶକ ଶ୍ରୀ ସନ୍ତୋଷ କୁମାର ଦାସ, ଉପସଭାପତି ଶ୍ରୀ ବିଭୂତି ଭୂଷଣ ନାୟକ, ଯୁଗ୍ମ ସମ୍ପାଦକ ଶ୍ରୀ ଦୀପକ କୁମାର ସାହୁଙ୍କ ସମେତ ଅନ୍ୟାନ୍ୟ କର୍ମକର୍ତ୍ତା ଉପସ୍ଥିତ ଥିଲେ।
ଏହି ଅବସରରେ ଅବସରପ୍ରାପ୍ତ ଓଆଇଏସ୍ ଅଧିକାରୀମାନଙ୍କୁ ସେମାନଙ୍କ ଉଲ୍ଲେଖନୀୟ ସେବା ପାଇଁ ସମ୍ବର୍ଦ୍ଧିତ କରାଯାଇଥିଲା। ପରବର୍ତ୍ତୀ ସମୟରେ ଅନୁଷ୍ଠିତ ସାଧାରଣ ପରିଷଦ ବୈଠକରେ କ୍ୟାଡର ସୁଦୃଢ଼ୀକରଣ, ପଦୋନ୍ନତି ଏବଂ ନିୟମିତ ପ୍ରଶିକ୍ଷଣ ଆଦି ଦାବି ଉପରେ ବିଭାଗ ସହିତ ଆଲୋଚନା ଜାରି ରଖିବାକୁ ନିଷ୍ପତ୍ତି ନିଆଯାଇଥିଲା।
ଅକ୍ଟୋବର ୯ ତାରିଖରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ସଂଘର ସ୍ମରଣିକା ‘ଲୋକ ସମ୍ପର୍କ’ ଉନ୍ମୋଚନ କରିଥିବାରୁ ସଂଘ ପକ୍ଷରୁ ତାଙ୍କ ପ୍ରତି କୃତଜ୍ଞତା ଜ୍ଞାପନ କରାଯାଇଥିଲା। ଶେଷରେ ହାସ୍ୟ-ବ୍ୟଙ୍ଗ କବିତା ଆବୃତ୍ତି ଓ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା।

