### କଟକ ବାଲିଯାତ୍ରା ପଡ଼ିଆ ‘ନୋ ଡ୍ରୋନ୍ ଜୋନ୍’, ୫ କିମି ପରିଧିରେ କଟକଣା ଜାରି
ଭିଭିଆଇପି ଓ ଭିଆଇପିଙ୍କ ଗସ୍ତକୁ ନେଇ ପ୍ରଶାସନର ପଦକ୍ଷେପ; ରାତି ୧୧ଟା ଯାଏଁ ମାଇକ୍ ବ୍ୟବହାରକୁ ଅନୁମତି
କଟକ: ଐତିହାସିକ କଟକ ବାଲିଯାତ୍ରାକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଛି ଜିଲ୍ଲା ପ୍ରଶାସନ। ବାଲିଯାତ୍ରାର ଉଭୟ ତଳ ଓ ଉପର ପଡ଼ିଆକୁ ‘ନୋ ଡ୍ରୋନ୍ ଜୋନ୍’ ଘୋଷଣା କରାଯାଇଛି। ଏଥିସହ ପଡ଼ିଆର ୫ କିଲୋମିଟର ପରିଧି ମଧ୍ୟରେ କଟକଣା ଲାଗୁ କରିଛନ୍ତି ଜିଲ୍ଲାପାଳ।
ଭିଭିଆଇପି ଓ ଭିଆଇପିଙ୍କ ଗସ୍ତ ଏବଂ ସୁରକ୍ଷା ବ୍ୟବସ୍ଥାକୁ ଆଖିରେ ରଖି ନଭେମ୍ବର ୨୨ରୁ ଡିସେମ୍ବର ୩ ତାରିଖ ପର୍ଯ୍ୟନ୍ତ ବିଏନଏସଏସର ଧାରା ୧୬୩ ଅନୁଯାୟୀ ଏହି କଟକଣା ଲାଗୁ କରାଯାଇଛି। ଏହି ସମୟ ମଧ୍ୟରେ ବାଲିଯାତ୍ରା ପଡ଼ିଆ ଓ ନିର୍ଦ୍ଧାରିତ ପରିସୀମା ମଧ୍ୟରେ ଡ୍ରୋନ୍ ଉଡ଼ାଣ ଉପରେ ନିଷେଧାଜ୍ଞା ରହିବ।
ଅନ୍ୟପଟେ, ବାଲିଯାତ୍ରାରେ ମଞ୍ଚ କାର୍ଯ୍ୟକ୍ରମ ଓ ସାଂସ୍କୃତିକ ଆୟୋଜନ ପାଇଁ ରାତି ୧୧ଟା ପର୍ଯ୍ୟନ୍ତ ଲାଉଡ୍ସ୍ପିକର ବ୍ୟବହାରକୁ ଅନୁମତି ମିଳିଛି। ବୈଷ୍ଣବ ପାଣି ଓ ଅକ୍ଷୟ ମହାନ୍ତି ମଞ୍ଚରେ ମଧ୍ୟ ରାତି ୧୧ଟା ପର୍ଯ୍ୟନ୍ତ କାର୍ଯ୍ୟକ୍ରମ ଚାଲିପାରିବ।
ବାଲିଯାତ୍ରା ସମୟରେ ଶାନ୍ତି, ଶୃଙ୍ଖଳା ଓ ସୁରକ୍ଷା ବଜାୟ ରଖିବା ସହ ଉତ୍ସବକୁ ସୁରୁଖୁରୁରେ ସମ୍ପନ୍ନ କରିବା ଲକ୍ଷ୍ୟରେ ଜିଲ୍ଲା ପ୍ରଶାସନ ଏହି ପଦକ୍ଷେପ ନେଇଛି।
