କାର୍ତ୍ତିକ ଅମାବାସ୍ୟାରେ ମା’ ତାରେଣୀଙ୍କ ବିଶେଷ ପୂଜାର୍ଚ୍ଚନା, ମନ୍ଦିରରେ ଭକ୍ତଙ୍କ ଭିଡ଼
ପବିତ୍ର କାର୍ତ୍ତିକ ଅମାବାସ୍ୟା ଅବସରରେ ଢେଙ୍କାନାଳ ସହରର ଗାନ୍ଧୀ ମନ୍ଦିର ରୋଡ୍ ସ୍ଥିତ ମା’ ତାରେଣୀଙ୍କ ପୀଠରେ ଭକ୍ତି ଓ ଶ୍ରଦ୍ଧାର ସହ ଅନୁଷ୍ଠିତ ହୋଇଛି ବିଶେଷ ପୂଜାର୍ଚ୍ଚନା।
ଏହି ଅବସରରେ ପ୍ରାତଃରୁ ମା’ଙ୍କ ମଙ୍ଗଳ ଆଳତି ପରେ ସ୍ନାନ ନୀତି ସମ୍ପନ୍ନ ହୋଇଥିଲା। ପରେ ମା’ଙ୍କୁ ନୂତନ ବସ୍ତ୍ର ପରିଧାନ କରାଯିବା ସହ ବିଭିନ୍ନ ପ୍ରକାରର ସୁନ୍ଦର ପୁଷ୍ପମାଲ୍ୟରେ ସୁସଜ୍ଜିତ କରାଯାଇଥିଲା। ଏଥିସହ ମା’ଙ୍କ ନିକଟରେ ବିଭିନ୍ନ ପ୍ରକାରର ଭୋଗ ଲାଗି କରାଯାଇଥିଲା।
କାର୍ତ୍ତିକ ଅମାବାସ୍ୟାର ଏହି ପବିତ୍ର ଅବସରରେ ସକାଳୁ ମନ୍ଦିରରେ ଭକ୍ତଙ୍କ ସମାଗମ ସହ ଏକ ଆଧ୍ୟାତ୍ମିକ ଓ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିଲା।
ସେହିପରି ସନ୍ଧ୍ୟାରେ ମା’ଙ୍କ ସ୍ୱତନ୍ତ୍ର ଆଳତି ଅନୁଷ୍ଠିତ ହେବା ପରେ ରାତ୍ରିରେ ପହଡ଼ ନୀତି ସମ୍ପନ୍ନ ହେବ।
ମନ୍ଦିରର ପୂଜକ ଆପୂଲ୍ ରଣାଙ୍କ ଦ୍ୱାରା ସମସ୍ତ ପୂଜାବିଧି ବିଧିବିଧାନ ଅନୁସାରେ ସମ୍ପନ୍ନ କରାଯାଇଥିଲା।
