କାଶୀପାଲି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ କୁ ଜମି ଦାନ କଲେ ଗୁଣ ପଧାନ
ଭଟଲି (ଅଭିମନ୍ୟୁ ପଧାନ ):- ଭଟଲି ବ୍ଲକ ଅନ୍ତର୍ଗତ କାଶୀପାଲି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ୪୦ ଡେସିମିଲ୍ ଜମି ଦାନ କଲେ ଦାତା ଶ୍ରୀଯୁକ୍ତ ଗୁଣ ପ୍ରଧାନ ଓ ତାଙ୍କ ଧର୍ମପତ୍ନୀ ଶ୍ରୀମତି ସନ୍ଧ୍ୟା ପ୍ରଧାନ। ତାଙ୍କ ପରିବାରବର୍ଗ ରୁ ଶ୍ରୀ ଭଗବାନ ପ୍ରଧାନ , ବଳିଷ୍ଠ ପ୍ରଧାନ ଉପସ୍ଥିତ ଥିଲେ। ଶିକ୍ଷାର ବିକାଶ ଏବଂ ବିଦ୍ୟାଳୟର ଭିତ୍ତିଭୂମି ସୁଦୃଢ଼ କରିବା ଉଦ୍ଦେଶ୍ୟରେ ସେ ଏହି ମହତ ପଦକ୍ଷେପ ନେଇଛନ୍ତି, ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତାଙ୍କୁ ଉଚ୍ଚ ପ୍ରଶଂସା କରାଯାଉଛି। ବିଦ୍ୟାଳୟର ସମ୍ପ୍ରସାରଣ ଏବଂ ଛାତ୍ରଛାତ୍ରୀଙ୍କ ଉନ୍ନତି ପାଇଁ ଜମିର ଆବଶ୍ୟକତା ରହିଥିଲା। ଏହାକୁ ଦୃଷ୍ଟିରେ ରଖି ଗୁଣ ପ୍ରଧାନ ସ୍ୱତଃପ୍ରବୃତ୍ତ ଭାବେ ଆଗେଇ ଆସି ନିଜର ୪୦ ଡେସିମିଲ୍ ଜମିକୁ ଆଇନଗତ ଭାବେ ଏକ ଦାନପତ୍ର (Gift Deed) ମାଧ୍ୟମରେ ଉପନିବନ୍ଧକ କାର୍ଯ୍ୟାଳୟ, ଭଟଲି ଠାରେ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, କାଶୀପାଲି ନାମରେ ହସ୍ତାନ୍ତର କରିଛନ୍ତି। ସ୍ଥାନୀୟ ତହସିଲଦାର ଶ୍ରୀ ରାମକୃଷ୍ଣ ମିଶ୍ରଙ୍କ ଉପସ୍ଥିତିରେ ଏହି ଆଇନଗତ କାର୍ଯ୍ୟ ଓ ଦାନପତ୍ର ପ୍ରକ୍ରିୟା ସମ୍ପନ୍ନ ହୋଇଅଛି। ଏହି ଅବସରରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ସୁଦାମ ସେଠ୍, ଏସଏମସି ଅଧ୍ୟକ୍ଷ ଶ୍ରୀ ପବିତ୍ର ମହାପାତ୍ର ଏବଂ ଶ୍ରୀ ରାଧାମାଧବ ଟ୍ରଷ୍ଟ କମିଟି ସମ୍ପାଦକ ଶ୍ରୀ ମାନଭଞ୍ଜନ ପ୍ରଧାନ , ଗ୍ରାମ୍ୟ ଶାନ୍ତି କମିଟି ସମ୍ପାଦକ ସୁବୋଧ ପ୍ରଧାନ , କୋଷାଧ୍ୟକ୍ଷ ରମଣୀ ପ୍ରଧାନ , ସଭ୍ୟ ସୁଧୀର ପ୍ରଧାନ, ସୁରେନ୍ଦ୍ର ବରିହା , ବୃନ୍ଦାବତୀ ପ୍ରଧାନ, ସ୍କୁଲ କମିଟି ସଭ୍ୟ ପ୍ରତାପ ବଢ଼େଇ ଏଵଂ ଗ୍ରାମବାସୀମାନେ ଉପସ୍ଥିତ ଥିଲେ। ଦାତା ଗୁଣ ପ୍ରଧାନଙ୍କୁ ଗ୍ରାମବାସୀ ଗ୍ରାମ ପରିକ୍ରମା କରାଇ ଶାନ୍ତି କମିଟି ପକ୍ଷରୁ ସଭାପତି ଶ୍ରୀଯୁକ୍ତ ସରୋଜ କୁମାର ମହପାତ୍ର ସମ୍ବର୍ଦ୍ଧିତ କରିଥିଲେ। ଏହି ଜମି ମିଳିବା ଫଳରେ ଆଗାମୀ ଦିନରେ ବିଦ୍ୟାଳୟରେ ନୂତନ ଶ୍ରେଣୀ ଗୃହ ନିର୍ମାଣ, ଖେଳପଡ଼ିଆ କିମ୍ବା ଅନ୍ୟାନ୍ୟ ଶିକ୍ଷାଗତ ଭିତ୍ତିଭୂମିର ବିକାଶ କରାଯାଇପାରିବ ବୋଲି ପ୍ରଧାନଶିକ୍ଷକ ଓ ସ୍କୁଲ କମିଟି କର୍ତ୍ତୃପକ୍ଷ ପ୍ରକାଶ କରିଛନ୍ତି। ଜଣେ ବଦାନ୍ୟ ବ୍ୟକ୍ତି ଭାବେ ଶ୍ରୀ ପ୍ରଧାନଙ୍କର ଏହି ନିସ୍ୱାର୍ଥପର ଦାନ ସମାଜର ଅନ୍ୟମାନଙ୍କ ପାଇଁ ଏକ ପ୍ରେରଣା ସୃଷ୍ଟି କରିଥିବାର ପାରିଲକ୍ଷିତ ହେଉଛି ।

