Spread the love

କେନ୍ଦ୍ର ମନ୍ତ୍ରୀ ଙ୍କୁ ସାକ୍ଷାତ କଲେ ବିଭିନ୍ନ ସମସ୍ୟା ନେଇ ନାଲକୋ ଆଲୁମିନିୟମ ମଜଦୂର ସଂଘର ସଦସ୍ୟ

ବଅଁରପାଳ , ୨୫/୦୭ : ଗୁରୁବାର ଦିନ ନାଲକୋ ସ୍ମେଲଟର ପ୍ଲାଣ୍ଟର ଆଲୁମିନିୟମ ମଜଦୁର ସଂଘ (ଏ ଏମ୍ ଏସ), ଆଲୁମିନା ରିଫାଇନାରୀର ନାଲକୋ ମଜଦୁର ସଂଘ (ଏନ୍ ଏମ୍ ଏସ), ପଞ୍ଚପାଟମାଳି ବକ୍ସାଇଟ୍ ଖଣିର ନାଲକୋ ମାଇନ୍ସ ମଜଦୁର ସଂଘ (RU-NMMS), ସିପିପିର ନାଲକୋ ବିଦ୍ୟୁତ ମଜଦୁର ସଂଘ (NVMS) ଏବଂ କର୍ପୋରେଟ୍ ଅଫିସ ର ନାଲକୋ କର୍ମଚାରୀ କେନ୍ଦ୍ରୀୟ ସଂଘ (ଏନ ଇ ସି ଇଓ) ର ପ୍ରତିନିଧିମାନଙ୍କୁ ନେଇ ଗଠିତ ନାଲକୋର ବି.ଏମ.ଏସ ସମନ୍ୱୟ ଦଳ ନୂଆ ଦିଲ୍ଲୀ ଠାରେ ଭାରତ ସରକାରଙ୍କ ମାନ୍ୟବର ଖଣି ମନ୍ତ୍ରୀ ଶ୍ରୀ ଜି. କିଶନ ରେଡ୍ଡୀ ଏବଂ ମାନ୍ୟବର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭେଟିଥିଲେ ଏବଂ ନାଲକୋର ସ୍ଥାୟୀ କର୍ମଚାରୀ ଓ ଚୁକ୍ତିଭିତ୍ତିକ କର୍ମଚାରୀ ମାନଙ୍କୁ ୨୦୨୪-୨୫ ଆର୍ଥିକ ବର୍ଷ ର ଏକ ଉତ୍କୃଷ୍ଟ “ଉତ୍ପାଦନ ଉପହାର” ନିମନ୍ତେ ଏକ ଦାବି ଉପସ୍ଥାପନ କରିଥିଲେ । ତତସହିତ ଅନ୍ୟ ପ୍ରମୂଖ ଦାବି ଯଥା ୱାନ ପ୍ଲସ ୱାନ ଏରିଅର ପ୍ରଦାନ, ନାଲକୋ ସମ୍ପ୍ରସାରଣ, ନିଯୁକ୍ତି ଏବଂ ଠିକା ଶ୍ରମିକ ଙ୍କ ସମସ୍ୟା କୁ ମଧ୍ୟ ଉପସ୍ଥାପନା କରାଯାଇଥିଲା । ଏଠାରେ ଉଲ୍ଲେଖଯୋଗ୍ୟ ଯେ ୨୦୨୪-୨୫ ଆର୍ଥିକ ବର୍ଷରେ ନାଲକୋ ଯଥାକ୍ରମେ ୭,୧୩୫ କୋଟି ଟଙ୍କାର ରେକର୍ଡ ପି ବି ଟି ଏବଂ ୫,୩୨୫ କୋଟି ଟଙ୍କାର ନେଟ ଲାଭ କରିଅଛି ଯାହାକି ଭାରତ ସରକାରଙ୍କ ସୁଦୃଢ଼ ଆର୍ଥିକ ନୀତି ଏବଂ ଭାରତର ଶିଳ୍ପ ଅଭିବୃଦ୍ଧି ଓ ଆତ୍ମନିର୍ଭରଶୀଳତାର ପ୍ରମୁଖ ବାହକ ଭାବରେ ରାଷ୍ଟ୍ରାୟତ ଉଦ୍ୟୋଗ (ପିଏସ ଇଏସ) କୁ ସୁଦୃଢ଼ କରିବା ପାଇଁ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିକୋଣ ଯୋଗୁଁ ହିଁ ସମ୍ଭବପର ହୋଇପାରିଛି । ନାଲକୋ ର ସ୍ଥାୟୀ ଓ ଠିକା ଶ୍ରମିକ ଙ୍କ ନିରବଛିନ୍ନ ଶ୍ରମ ଓ ବଳିଦାନ ଓ ଭାରତୀୟ ମଜ଼ଦୂର ସଂଘ ର ରାଷ୍ଟ୍ର, ଉଦ୍ୟୋଗ ଶ୍ରମିକ ଙ୍କ ପ୍ରତି ରହିଥିବା ଅବାଦନ କୁ ଉଭୟ ମନ୍ତ୍ରୀ ଭୁରି ଭୁରି ପ୍ରସଂଶା କରିବା ସହ ସମସ୍ତ ସମସ୍ୟା ଆଶୁ ସମାଧାନ ଓ ଉତ୍ପାଦନ ଉପହାର ନିମନ୍ତେ ଖୁବ ଶୀଘ୍ର ନିର୍ଣ୍ଣୟ ନେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଉକ୍ତ ଖବର ସମଗ୍ର ନାଲକୋ ଅଞ୍ଚଳରେ ପ୍ରସାରିତ ହେବା ଫଳରେ ଶ୍ରମିକ ସମାଜ ରେ ଏକ ଖୁସିର ବାତାବରଣ ଖେଳିଯାଇଛି I ଏହି ବିଏମଏସ ସମ୍ମନୟ ଦଳରେ ଆଲୁମିନିୟମ ମଜ଼ଦୂର ସଂଘର ସଭାପତି ଶ୍ରୀ ମୁନା ସାମଲ, ସାଧାରଣ ସମ୍ପାଦକ ଶ୍ରୀ ଗୋପାଳ କୃଷ୍ଣ ମଲିକ,ଉପଦେଷ୍ଠା ଶ୍ରୀ ସଚ୍ଚିଦାନନ୍ଦ ଗଡ଼ନାୟକ ଓ କାର୍ଯ୍ୟକାରୀ ସଭାପତି ଶ୍ରୀ ପ୍ୟାରୀମୋହନ ନାୟକ ଦିଲ୍ଲୀ ଗସ୍ତରେ ଅଛନ୍ତି ।

Leave a Reply

Your email address will not be published. Required fields are marked *