କୋଲକାତାରେ ହେବ ‘ଇଣ୍ଡିଆ ଏନର୍ଜି ୱିକ୍ ୨୦୨୭’, ଭୁବନେଶ୍ୱରରୁ ହେଲା କର୍ଟନ୍ ରେଜର୍
ଭୁବନେଶ୍ୱର : ଭାରତର ପ୍ରମୁଖ ବୈଶ୍ୱିକ ଶକ୍ତି କାର୍ଯ୍ୟକ୍ରମ ‘ଇଣ୍ଡିଆ ଏନର୍ଜି ୱିକ୍ (IEW) ୨୦୨୭’ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ଭୁବନେଶ୍ୱରରେ ଏହାର ପ୍ରାରମ୍ଭିକ କାର୍ଯ୍ୟକ୍ରମ ବା କର୍ଟନ୍ ରେଜର୍ ଅନୁଷ୍ଠିତ ହୋଇଥିବା ବେଳେ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରୀ ହରଦୀପ ସିଂହ ପୁରୀ ଏହାର ଉଦ୍ଘାଟନ କରିଛନ୍ତି।
୨୦୨୭ ଜାନୁଆରୀ ୨୮ରୁ ୩୧ ତାରିଖ ପର୍ଯ୍ୟନ୍ତ କୋଲକାତାର ନ୍ୟୁ ଟାଉନ୍ କନଭେନ୍ସନ୍ ସେଣ୍ଟରରେ IEWର ପଞ୍ଚମ ସଂସ୍କରଣ ଆୟୋଜିତ ହେବ। ‘ଅନଲକିଙ୍ଗ୍ ଇନୋଭେସନ୍, ସିକ୍ୟୁରିଙ୍ଗ୍ ଏନର୍ଜି, ଶେପିଙ୍ଗ୍ ଟୁମରୋ’ ବିଷୟବସ୍ତୁକୁ ନେଇ ହେବାକୁ ଥିବା ଏହି ଆୟୋଜନରେ ଶକ୍ତି କ୍ଷେତ୍ରର ବିଭିନ୍ନ ଦିଗ ଉପରେ ଆଲୋଚନା ହେବ।
କାର୍ଯ୍ୟକ୍ରମରେ ମନ୍ତ୍ରୀ ହରଦୀପ ସିଂହ ପୁରୀ କହିଥିଲେ ଯେ, ୨୦୨୩ରେ ଆରମ୍ଭ ହେବା ପରଠାରୁ ଇଣ୍ଡିଆ ଏନର୍ଜି ୱିକ୍ ଏକ ପ୍ରମୁଖ ବୈଶ୍ୱିକ ଶକ୍ତି ମଞ୍ଚ ଭାବେ ବିକଶିତ ହୋଇଛି। ୨୦୨୩ରେ ୩୦ ହଜାରରୁ ଅଧିକ ପ୍ରତିନିଧିଙ୍କ ଅଂଶଗ୍ରହଣରୁ ଏହା ୨୦୨୬ରେ ୭୫ ହଜାରରୁ ଅଧିକ ଶକ୍ତି ପେଶାଦାର ଏବଂ ୧୨୦ରୁ ଅଧିକ ଦେଶର ଅଂଶଗ୍ରହଣରେ ପହଞ୍ଚିଛି।
ଷ୍ଟାର୍ଟଅପ୍, ନବସୃଜନ ଓ ଯୁବ ପ୍ରତିଭାକୁ ଗୁରୁତ୍ୱ ଦେଇ IEW ୨୦୨୭ରେ ଭାରତର ବଢ଼ୁଥିବା ଷ୍ଟାର୍ଟଅପ୍ ଇକୋସିଷ୍ଟମ, ଇଞ୍ଜିନିୟରିଂ ଦକ୍ଷତା ଓ ନୂଆ ପ୍ରଯୁକ୍ତିର ସମ୍ଭାବନାକୁ ପ୍ରଦର୍ଶନ କରାଯିବ। ଭବିଷ୍ୟତର ଶକ୍ତି ଆହ୍ୱାନର ସମାଧାନ ପାଇଁ ଯୁବ ଉଦ୍ଭାବକ ଓ ଉଦୀୟମାନ ଉଦ୍ୟୋଗୀଙ୍କୁ ମଞ୍ଚ ଯୋଗାଇବା ଉପରେ ମଧ୍ୟ ଗୁରୁତ୍ୱ ରହିବ।
ଆୟୋଜକଙ୍କ ସୂଚନା ଅନୁଯାୟୀ, ଏହି ସଂସ୍କରଣରେ ପ୍ରାୟ ୭୫ ହଜାର ଶକ୍ତି ପେଶାଦାର ଏବଂ ୭୦୦ରୁ ଅଧିକ ଅନ୍ତର୍ଜାତୀୟ ପ୍ରଦର୍ଶକ ଅଂଶଗ୍ରହଣ କରିବେ। ହାଇଡ୍ରୋଜେନ୍, ଜୈବ ଇନ୍ଧନ, LNG, ଡିଜିଟାଇଜେସନ୍, ନବୀକରଣଯୋଗ୍ୟ ଶକ୍ତି ଏବଂ ନେଟ୍-ଜିରୋ ଲକ୍ଷ୍ୟ ଦିଗରେ ଭବିଷ୍ୟତ ପଥ ଭଳି ପ୍ରସଙ୍ଗ ଉପରେ ଆଲୋଚନା ହେବ।
ଏହି କାର୍ଯ୍ୟକ୍ରମକୁ ଇଣ୍ଡିଆନ୍ ଅଏଲର ନିର୍ଦ୍ଦେଶକ (ମାନବସମ୍ବଳ) ରଶ୍ମୀ ଗୋଭିଲଙ୍କ ସମେତ ବରିଷ୍ଠ ସରକାରୀ ଅଧିକାରୀ, ଶିଳ୍ପପତି, ଶକ୍ତି ବିଶେଷଜ୍ଞ, ଅନ୍ୟ ଅଂଶୀଦାର ଓ ବହୁ ସଂଖ୍ୟକ ଛାତ୍ରଛାତ୍ରୀ ଭୁବନେଶ୍ୱରରୁ ଅନୁସରଣ କରିଥିଲେ।
ବସୁଧା, ଅବିନ୍ୟା ଓ ହାକାଥନ୍ ଭଳି ମଞ୍ଚ ମାଧ୍ୟମରେ ଯୁବ ପ୍ରତିଭାମାନେ ବାସ୍ତବ ଶକ୍ତି ସମସ୍ୟାର ନୂଆ ସମାଧାନ ଉପସ୍ଥାପନ କରିବାର ସୁଯୋଗ ପାଇବେ। ଏଥିସହ FIPIର ୧୨ଟି ଅଧ୍ୟାୟ ଛାତ୍ରଛାତ୍ରୀ ଓ ଶିକ୍ଷକମାନଙ୍କୁ ବୈଷୟିକ ଅଧିବେଶନ ଓ ପ୍ରଦର୍ଶନୀ ସହ ଯୋଡ଼ିବା ସହ ଶିକ୍ଷାଜଗତ ଓ ଶକ୍ତି ଶିଳ୍ପ ମଧ୍ୟରେ ସମ୍ପର୍କକୁ ଆହୁରି ସୁଦୃଢ଼ କରିବ।
