Spread the love

ଖଦି ଓ ଏମ୍ଏସ୍ଏମ୍ଇ ଏକ୍ସପୋ–୨୦୨୬

ଖଦି ଫ୍ୟାଶନ୍ ଶୋ’ରେ ପରମ୍ପରା ଓ ଆଧୁନିକତାର ଫ୍ୟୁଜନ୍

ରାମ୍ପ୍‌ରେ ଗଞ୍ଜାମର କନ୍ଥା ଓ ଜାପାନର ବୋରୋ ବସ୍ତ୍ରଶିଳ୍ପର ଅପୂର୍ବ ମିଳନ

ଭୁବନେଶ୍ଵର, ତା: ୨୮/୧୧/୨୦୨୬

ଖଦିରେ ଫ୍ୟାଶନ୍‌ର ନୂଆ ଫଣ୍ଡା । ପାରମ୍ପରିକତାର ମାଟି ବାସ୍ନା ସାଙ୍ଗକୁ ଆଧୁନିକ ଡିଜାଇନ୍‌ର ଚମକ । ରାମ୍ପ୍‌ରେ ଯେତେବେଳେ ମ୍ୟୁଜିକର ତାଳେ ତାଳେ ମଡେଲ୍‌ମାନେ ଖଦିର ବିଭିନ୍ନ ରୂପରେ ପାଦ ଥାପିଲେ, ଦର୍ଶକଙ୍କ ଆଖିରେ ଝଲସି ଉଠିଥିଲା ଭାରତୀୟ ବୟନ ପରମ୍ପରାର ଅପୂର୍ବ ସୌନ୍ଦର୍ଯ୍ୟ । ଖଦି ଓ ଏମ୍ଏସ୍ଏମ୍ଇ ଏକ୍ସପୋ–୨୦୨୬ ଅବସରରେ ଆୟୋଜିତ ଏହି ଆକର୍ଷଣୀୟ ଫ୍ୟାଶନ୍ ଶୋ’ ଖଦିର ପରିଚିତ ଛବିକୁ ଏକ ନୂଆ ରୂପ ଓ ନୂଆ ଢଙ୍ଗରେ ଉପସ୍ଥାପିତ କରିଥିଲା । ଏହା କେବଳ ଏକ ଫ୍ୟାଶନ୍ ଶୋ’ ନଥିଲା, ବରଂ ଥିଲା ପରମ୍ପରା, କଳା, କାରିଗରୀ ଓ ସୃଜନଶୀଳତାର ଏକ ମନୋରମ ଉତ୍ସବ । ଚାରୋଟି ସ୍ୱତନ୍ତ୍ର ସିକ୍ୱେନ୍ସରେ ସଜ୍ଜିତ ଏହି ଶୋ’ର ପ୍ରତ୍ୟେକ ପର୍ଯ୍ୟାୟରେ ଖଦିର ଭିନ୍ନ ଭିନ୍ନ ରୂପ, ରଙ୍ଗ, ବୁଣା ଓ ଡିଜାଇନ୍‌ର ନୂତନତ୍ୱ ଦେଖିବାକୁ ମିଳିଥିଲା ।

ପ୍ରଥମ ସିକ୍ୱେନ୍ସରେ ସୋଲ୍ ବାଏ ଇଣ୍ଡିଆନ୍ ପକ୍ଷରୁ ଡିଜାଇନର୍ ଦେବସ୍ମିତା ଗିରିଙ୍କ ସୃଜନଶୀଳ ଡିଜାଇନ୍ ରାମ୍ପ୍‌ରେ ଏକ ନୂଆ ଆକର୍ଷଣ ସୃଷ୍ଟି କରିଥିଲା । ଦ୍ୱିତୀୟ ସିକ୍ୱେନ୍ସରେ ଗଲାଙ୍ଗ ଗବାନ୍ ପକ୍ଷରୁ ଲିପ୍ସା ହେମ୍ବ୍ରମ୍‌ଙ୍କ ଡିଜାଇନ୍‌ରେ ଖଦିର ସ୍ୱତନ୍ତ୍ରତା ଓ କଳାତ୍ମକତାର ଝଲକ ଦେଖିବାକୁ ମିଳିଥିଲା । ସେହିପରି ତୃତୀୟ ସିକ୍ୱେନ୍ସରେ ଓରିଭା ପକ୍ଷରୁ ରୋମି ଦାସଙ୍କ ଡିଜାଇନ୍ ଖଦିକୁ ଆଧୁନିକ ଫ୍ୟାଶନ୍‌ର ଏକ ଆକର୍ଷଣୀୟ ମାଧ୍ୟମ ଭାବେ ଉପସ୍ଥାପିତ କରିଥିଲା । ପ୍ରତ୍ୟେକ ସିକ୍ୱେନ୍ସରେ ଡିଜାଇନର୍‌ମାନଙ୍କ କଳ୍ପନା ଓ ମଡେଲ୍‌ମାନଙ୍କ ଆତ୍ମବିଶ୍ୱାସ ରାମ୍ପ୍‌ର ଆକର୍ଷଣକୁ ଆହୁରି ବଢ଼ାଇଥିଲା ।

ତେବେ ଶୋ’ର ଚତୁର୍ଥ ସିକ୍ୱେନ୍ସ ଥିଲା ସବୁଠାରୁ ନିଆରା ଓ ବିଶେଷ ଆକର୍ଷଣର କେନ୍ଦ୍ରବିନ୍ଦୁ । ଏଥିରେ ଗଞ୍ଜାମର ପାରମ୍ପରିକ କନ୍ଥା ଓ ଜାପାନର ବୋରୋ ପରମ୍ପରାର ଅପୂର୍ବ ସମନ୍ୱୟକୁ ପୋଷାକ ମାଧ୍ୟମରେ ଜୀବନ୍ତ ରୂପ ଦିଆଯାଇଥିଲା । ଦୁଇ ଭିନ୍ନ ଦେଶର ବସ୍ତ୍ର ଶିଳ୍ପ ପରମ୍ପରା ଯେତେବେଳେ ଗୋଟିଏ ମଞ୍ଚରେ ମିଳିତ ହୋଇଥିଲା, ସେତେବେଳେ ତାହା କେବଳ ଫ୍ୟାଶନ୍ ନୁହେଁ, ବରଂ ସଂସ୍କୃତିର ଅନନ୍ୟ ମାଧୁର୍ଯ୍ୟ ପ୍ରସ୍ଫୁଟିତ ହୋଇଥିଲା । ଡିଜାଇନର୍ ପଙ୍କଜା ସେଠୀ ଏହାର ଡିଜାଇନ୍ କରିଥିବା ବେଳେ ମଡେଲ ଡକ୍ଟର ଭୂମିକା ଦାସ ମୁଖ୍ୟ ଆକର୍ଷଣ ସାଜିଥିଲେ । ସୂଚନାଯୋଗ୍ୟ, ଗଞ୍ଜାମର କନ୍ଥା ଏବଂ ଜାପାନର ବୋରୋ ଉଭୟ ଗ୍ରାମୀଣ ଆବଶ୍ୟକତାରୁ ସୃଷ୍ଟି ହୋଇଥିବା ପାରମ୍ପରିକ ଶୂନ୍ୟ-ଅପଚୟ ବସ୍ତ୍ରଶିଳ୍ପ, ଯେଉଁଠାରେ ପୁରୁଣା ଓ ଚିରା ପୋଷାକଗୁଡ଼ିକୁ ପରସ୍ତ ପରସ୍ତ କରି ହାତରେ ସିଲେଇ କରି ବ୍ୟବହାର କରାଯାଏ ।

ପୁରୁଣାକୁ ନୂଆ ରୂପ ଦେବାର ଏହି କଳାତ୍ମକ ପ୍ରୟାସ ଖଦି ଓ ପାରମ୍ପରିକ ବସ୍ତ୍ରର ଅସୀମ ସମ୍ଭାବନାକୁ ପ୍ରତିପାଦିତ କରିଥିଲା । ଖଦିର ସୂତାରେ ବୁଣା ହୋଇଥିଲା ପରମ୍ପରାର କାହାଣୀ, ଆଉ ଆଧୁନିକ ଡିଜାଇନ୍‌ରେ ଫୁଟି ଉଠିଥିଲା ଭବିଷ୍ୟତର ଫ୍ୟାଶନ୍ । ଏହା ବୁଣାକାର ଓ କାରିଗରଙ୍କ ହାତର ଯାଦୁକୁ ନୂଆ ମଞ୍ଚ ଦେବା ସହ ଖଦିକୁ ଯୁବପିଢ଼ି ଓ ନୂଆ ବଜାର ସହ ଯୋଡ଼ିବାର ଏକ ସୁନ୍ଦର ପ୍ରୟାସ ଥିଲା ବୋଲି ଡିଜାଇନରମାନେ ମତ ପ୍ରକାଶ କରିଥିଲେ ।

Leave a Reply

Your email address will not be published. Required fields are marked *