Spread the love

ଖରାପ ରାଜନୀତିର ସବୁ ସୀମା ଟପିଛି କଂଗ୍ରେସ: ପୃଥ୍ୱୀରାଜ ହରିଚନ୍ଦନ

ଖଡ଼ଗେଙ୍କ ‘ଖୁସିୟୋଁ କି ଇଦ୍‌’ ମନ୍ତବ୍ୟକୁ ନେଇ ବିବାଦ; ରାହୁଲ ଗାନ୍ଧୀଙ୍କଠାରୁ କଂଗ୍ରେସ ମୁଖ୍ୟଙ୍କ ପର୍ଯ୍ୟନ୍ତ ଟାର୍ଗେଟ୍

ଭୁବନେଶ୍ୱର, ୧୦/୧୧: ଦୀପାବଳିକୁ ‘ଖୁସିୟୋଁ କି ଇଦ୍‌’ ବୋଲି ଅଭିହିତ କରି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ଦେଇଥିବା ମନ୍ତବ୍ୟକୁ ନେଇ ରାଜ୍ୟ ରାଜନୀତିରେ ନୂଆ ବିବାଦ ଦେଖାଦେଇଛି। ଏହି ମନ୍ତବ୍ୟକୁ ନେଇ ଓଡ଼ିଶାର ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କଂଗ୍ରେସ ନେତୃତ୍ୱକୁ କଡ଼ା ଭାଷାରେ ସମାଲୋଚନା କରିଛନ୍ତି।

ସାମ୍ବାଦିକଙ୍କ ସହ ଆଲୋଚନା ବେଳେ ହରିଚନ୍ଦନ କହିଛନ୍ତି ଯେ, ରାହୁଲ ଗାନ୍ଧୀଙ୍କଠାରୁ ଆରମ୍ଭ କରି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେଙ୍କ ପର୍ଯ୍ୟନ୍ତ ଦଳର ନେତାମାନେ ଦେଶର ଅଖଣ୍ଡତା ଏବଂ ବର୍ତ୍ତମାନର ବିଶ୍ୱ ପରିସ୍ଥିତିରେ ଭାରତର ସ୍ଥିତି ସମ୍ପର୍କରେ ଭଲ ଭାବରେ ଅବଗତ ଅଛନ୍ତି। ତଥାପି ଦେଶର ପ୍ରଗତି, ପରିଚୟ ଓ ଗୌରବକୁ ଦୁର୍ବଳ କରିବା ଉଦ୍ଦେଶ୍ୟରେ ସେମାନେ ଏଭଳି ଅପ୍ରାସଙ୍ଗିକ ମନ୍ତବ୍ୟ ଦେଉଛନ୍ତି।

ସେ ଆହୁରି କହିଛନ୍ତି, ଗୋଟିଏ ବାକ୍ୟରେ କହିବାକୁ ଗଲେ ଦେଶର ସମ୍ମାନ ଓ ମର୍ଯ୍ୟାଦାକୁ କ୍ଷୁଣ୍ଣ କରିବା ପାଇଁ ସେମାନେ ଏତେ ମାତ୍ରାରେ ଉଦ୍ୟମ କରୁଛନ୍ତି ଯେ, ରାଜନୈତିକ ଇତିହାସରେ ସବୁଠାରୁ ନିମ୍ନସ୍ତରକୁ ଖସିଯାଇଛନ୍ତି।

କ’ଣ କହିଥିଲେ ଖଡ଼ଗେ?

ଦୀପାବଳି ଅବସରରେ ଶୁଭେଚ୍ଛା ଜଣାଇବା ସମୟରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ଏହି ପର୍ବକୁ ‘ଖୁସିୟୋଁ କି ଇଦ୍‌’ ବୋଲି ବର୍ଣ୍ଣନା କରିଥିଲେ। ଏହା ଏକ ବଡ଼ ପର୍ବ ଏବଂ ସମସ୍ତେ ଏହାକୁ ପାଳନ କରନ୍ତି ବୋଲି କହିବା ସହ ଦେଶରେ ଶାନ୍ତି, ଏକତା ଓ ଭାଇଚାରା ବଜାୟ ରଖିବାକୁ ଆହ୍ୱାନ ଦେଇଥିଲେ।

ତେବେ ଖଡ଼ଗେଙ୍କ ଏହି ଉକ୍ତିକୁ ନେଇ ବିଜେପି ପକ୍ଷରୁ ଆପତ୍ତି ଉଠାଯାଇଛି। ମନ୍ତ୍ରୀ ହରିଚନ୍ଦନଙ୍କ ମତରେ, ପ୍ରତ୍ୟେକ ପର୍ବର ନିଜସ୍ୱ ଧାର୍ମିକ ଓ ସାଂସ୍କୃତିକ ପରିଚୟ ରହିଛି। ଦୀପାବଳି ଅନ୍ଧକାର ଉପରେ ଆଲୋକ, ଅଧର୍ମ ଉପରେ ଧର୍ମ ଏବଂ ଅସତ୍ୟ ଉପରେ ସତ୍ୟର ବିଜୟର ପ୍ରତୀକ। ତେଣୁ ପ୍ରତ୍ୟେକ ପର୍ବର ମୌଳିକତା, ପରମ୍ପରା ଓ ସ୍ୱତନ୍ତ୍ର ପରିଚୟକୁ ସମ୍ମାନ ଦେବା ଆବଶ୍ୟକ ବୋଲି ସେ କହିଛନ୍ତି।

କଂଗ୍ରେସର ପ୍ରତିକ୍ରିୟା

ଅନ୍ୟପକ୍ଷରେ, କଂଗ୍ରେସ ମୁଖପାତ୍ର ରଜନୀ ମହାନ୍ତି ଖଡ଼ଗେଙ୍କ ମନ୍ତବ୍ୟକୁ ସମର୍ଥନ କରିଛନ୍ତି। ଦୀପାବଳି ଓ ଇଦ୍‌ ଉଭୟ ପର୍ବ ଶାନ୍ତି, ସଦ୍‌ଭାବନା, ଭାଇଚାରା ଓ ସାର୍ବଜନୀନ ଏକତାର ବାର୍ତ୍ତା ଦେଇଥାଏ। ଏହାକୁ ନେଇ ବିଜେପି ରାଜନୀତି କରିବା ଉଚିତ୍‌ ନୁହେଁ ବୋଲି ସେ ପ୍ରତିକ୍ରିୟା ଦେଇଛନ୍ତି।

ଖଡ଼ଗେଙ୍କ ଦୀପାବଳି ସମ୍ପର୍କିତ ମନ୍ତବ୍ୟକୁ ନେଇ ବିଜେପି ଓ କଂଗ୍ରେସ ମଧ୍ୟରେ ଆରମ୍ଭ ହୋଇଥିବା ଏହି ବାକ୍‌ଯୁଦ୍ଧ ଏବେ ରାଜ୍ୟ ରାଜନୀତିରେ ଚର୍ଚ୍ଚାର ବିଷୟ ପାଲଟିଛି।

Leave a Reply

Your email address will not be published. Required fields are marked *