ଖଲିଆକାନି ଓ ଗୋଏଣ୍ଡିମୁଣ୍ଡା ମଝିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ବାଇକକୁ ଧକ୍କା ଦେଲା ଟ୍ରକ; ଜଣେ ମୃତ, ଅନ୍ୟଜଣେ ଗୁରୁତର; ରାସ୍ତାରୋକ
ଗୋଲାମୁଣ୍ଡା (ଜାଗ୍ରତ ଭାରତ ନ୍ୟୁଜ୍ / କପୁରଚନ ସେଠିଆ): କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ଥାନା ଅନ୍ତର୍ଗତ ଖଲିଆକାନି ଓ ଗୋଏଣ୍ଡିମୁଣ୍ଡା ମଧ୍ୟବର୍ତ୍ତୀ ରାସ୍ତାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଟ୍ରକ ଧକ୍କାରେ ବାଇକ ଆରୋହୀ ଜଣଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି।
ସୂଚନା ଅନୁଯାୟୀ, ତାରିଖ ୦୧/୧୧/୨୦୨୬ ରିକ୍ଷ ଦିନ କୋକପଦର କ୍ଷେତ୍ରକଟା ଗ୍ରାମର ଦୁଇ ଜଣ ବ୍ୟକ୍ତି ବାଇକ୍ ଯୋଗେ ଖଲିଆକାନି ପଟୁ ବହାଦୁରପଡ଼ା ଅଭିମୁଖେ ଯାଉଥିଲେ। ତେବେ ଖଲିଆକାନି ଓ ଗୋଏଣ୍ଡିମୁଣ୍ଡା ମଝିରେ ପଛପଟୁ ଆସୁଥିବା ଏକ ଭାରୀ ଟ୍ରକ ବାଇକଟିକୁ ଜୋରଦାର ଧକ୍କା ଦେଇଥିଲା। ଧକ୍କା ଏତେ ଭୟଙ୍କର ଥିଲା ଯେ ଉଭୟ ଆରୋହୀ ଛିଟିକି ପଡ଼ିଥିଲେ ଏବଂ ଘଟଣାସ୍ଥଳରେ ହିଁ ଜଣଙ୍କର ପ୍ରାଣବାୟୁ ଉଡ଼ିଯାଇଥିଲା। ଅନ୍ୟ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ସ୍ଥାନୀୟ ଲୋକଙ୍କ ସହାୟତାରେ ତାଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ଏହି ଦୁଃଖଦ ଖବର ପ୍ରଚାରିତ ହେବା ପରେ ମୃତକଙ୍କ ପରିବାରବର୍ଗ ଓ ଗ୍ରାମବାସୀ ଘଟଣାସ୍ଥଳରେ ପହଞ୍ଚି କ୍ଷତିପୂରଣ ଦାବିରେ ରାସ୍ତାରୋକ କରିଥିଲେ। ରାସ୍ତାରୋକ ଯୋଗୁଁ ଉଭୟ ପାର୍ଶ୍ୱରେ ଗାଡ଼ିମଟର ଅଟକି ରହି ଯାତାୟାତ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଥିଲା, ଯାହାଫଳରେ ସାଧାରଣ ଯାତ୍ରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ।
ଖବର ପାଇ ଗୋଲାମୁଣ୍ଡା ପୋଲିସ ପ୍ରଶାସନ ଘଟଣାସ୍ଥଳରେ ପହଞ୍ଚି ଉତ୍ତେଜିତ ଲୋକଙ୍କୁ ବୁଝାସୁଝା କରିବା ସହ ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିବାକୁ ଚେଷ୍ଟା କରୁଛି। ଏଥିସହ ପୋଲିସ ଶବ ଜବତ କରିବା ସହ ଘଟଣାର ତଦନ୍ତ ଜାରି ରଖିଛି।
