ଗଣତନ୍ତ୍ରରେ ସାମ୍ବାଦିକତାର ବିବର୍ତ୍ତନଶିଳ ଭୂମିକା ଶୀର୍ଷକ ଆଲୋଚନା ଚକ୍ର
(ଜାତୀୟ ପ୍ରେସ ଦିବସ ୨୦୨୬)
ସୁଦୃଢ଼ ଗଣତନ୍ତ୍ର ପାଇଁ ସୁସ୍ଥ ଗଣମାଧ୍ୟମର ଆବଶ୍ୟକତା – ସୁଜିତ ପୃଷେଠ

ଜମନକିରା,୧୭/୧୧(): ସମ୍ବଲପୁର ଜିଲ୍ଲା ସାମ୍ବାଦିକ ୟୁନିଅନ୍ (ଏସଡିୟୁଜେ) ଜମନକିରା ବ୍ଳକ୍ ସାମ୍ୱାଦିକ ୟୁନିଅନ ପକ୍ଷରୁ ସୋମବାର ଜିଲ୍ଲା ସ୍ତରୀୟ ଜାତୀୟ ପ୍ରେସ ଦିବସ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ “ଗଣତନ୍ତ୍ରରେ ସାମ୍ବାଦିକତାର ବିବର୍ତ୍ତନଶିଳ ଭୂମିକା ‘ ଶୀର୍ଷକ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା। ଏଥିରେ ବାମରା ବନଖଣ୍ଡ ଅଧିକାରୀ ବିକ୍ରମଦେବ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ମୁଖ୍ୟବକ୍ତା ଭାବେ ସମ୍ୱଲପୁର ଆଇଆଇଏମର ସହକାରୀ ପ୍ରାଧ୍ୟାପକ ଡ଼ ସୁଜିତ ପୃଷେଠ ,କୁଚିଣ୍ଡା ଏସଡିପିଓ ପ୍ରଦୀପ ଦାଶ ,ସମ୍ବଲପୁର ଜିଲ୍ଲା ସାମ୍ବାଦିକ ୟୁନିଅନ ସାଧାରଣ ସମ୍ପାଦକ ଶରତ ଚନ୍ଦ୍ର ପ୍ରଧାନ,ବରିଷ୍ଠ ସାମ୍ବାଦିକ ହରିହର ନାଥ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଜମନକିରା ବ୍ଳକ ସାମ୍ୱାଦିକ ୟୁନିଅନ ସଭାପତି ରାଜେନ୍ଦ୍ର ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଜାତୀୟ ପ୍ରେସ ଦିବସ ଅବସରରେ ଅନୁଷ୍ଠିତ ଆଲୋଚନା ଚକ୍ରରେ ଜମନକିରା ବ୍ଳକ ସମେତ ଜିଲ୍ଳାର ଶତାଧିକ ଶିକ୍ଷାବିତ , ବୁଦ୍ଧିଜୀବି,କୃଷକ ନେତା ଯୋଗ ଦେଇ ନିଜର ମତ ରଖିଥିଲେ। କାର୍ଯ୍ୟକ୍ରମ ପ୍ରାରମ୍ଭରେ ବ୍ଲକ ୟୁନିଅନ ର ସଭ୍ୟ ତଥା ଜିଲ୍ଲା ସମ୍ପାଦକ ସନ୍ତୋଷ କୁମାର ପଟେଲ ନିମନ୍ତ୍ରିତ ଅତିଥି ମାନଙ୍କ ସ୍ୱାଗତ ଭାଷଣ ଓ ପରିଚୟ ପ୍ରଦାନ ପରେ ଉପଢ଼ୌକନ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରାଯାଇ ଥିଲା। ଏହି ଅବସରରେ ମୁଖ୍ୟଅତିଥି ଶ୍ରୀ ପଟ୍ଟନାୟକ କହିଥିଲେ ଯେ ଗଣତନ୍ତ୍ର କୁ କେବଳ ସତ୍ୟ ଖବର ହିଁ ଅଧିକ ସୁଦୃଢ଼ କରିପାରିବ ବୋଲି କହିବା ସହ ସାମ୍ବାଦିକମାନେ ତୃଣମୂଳ ସ୍ତରକୁ ଯାଇ ଖବର ର ସତ୍ୟତା ପୁଙ୍ଖାନୁପୁଙ୍ଖ ଯାଞ୍ଚ କରି ନିର୍ଭୀକ ଭାବେ ଖବର ପରିବେଷଣ କଲେ ଆଜିର ଜାତୀୟ ପ୍ରେସ ଦିବସ ଆୟୋଜନର ମହତ ଉଦ୍ଦେଶ୍ୟ ସାଧିତ ହେବ ବୋଲି କହିଥିଲେ। ସେହିପରି ମୁଖ୍ୟବକ୍ତା ଥିବା ସମ୍ୱଲପୁର ଆଇଆଇଏମ ସହକାରୀ ପ୍ରାଧ୍ୟାପକ ସୁଜିତ ପୃଷେଠ ନିଜର ଓଜସ୍ବିନୀ ଦୀକ୍ଷାନ୍ତ ଭାଷଣ ଦେଇ କହିଥିଲେ ଯେ, ତତ୍କାଳୀନ ବାମଣ୍ଡା ଷ୍ଟେଟ୍ ର ରାଜା ତ୍ରିଭୁବନ ସୁଢଳଦେବ ଙ୍କ ଅମଳରେ ୧୮୩୦ ମସିହା ବେଳକୁ ଉତ୍କଳ ଦୀପିକା ରେ ଛାପା କାଗଜର ଅଭ୍ୟୁଦୟ ଘଟିଥିଲା। ଦୀର୍ଘ ବର୍ଷ ଧରି ଜନ ମାନସରେ ଏହି ପତ୍ରିକା ତିଷ୍ଠି ରହିବା ସହ ବାମଣ୍ଡା ଷ୍ଟେଟ୍ ର କୋଣ ଅନୁକୋଣ ରେ ଘଟୁଥିବା ଘଟଣା ସଂପର୍କ ରେ ଲୋକ ଲୋଚନକୁ ଆଣିବାକୁ ପ୍ରୟାସ ହୋଇଥିଲା। ଏବେ ସମୟ ବଦଳିଛି ଆଉ ବଦଳିଛି ସମ୍ବାଦିକତାର ପରିଭାଷା। ବର୍ତ୍ତମାନ ଆହୁରି ଟିକିଏ ବଳିଷ୍ଠ ପାଦ ଥାପି ଡିଜିଟାଲ ମିଡ଼ିଆ କ୍ଷେତ୍ରକୁ ପ୍ରବେଶ କରିଛି। ଏଥିରେ ସୋସିଆଲ ମିଡ଼ିଆ ଆହୁରି କ୍ରିୟାଶୀଳ ହେବା ସହ ଛପା ଗଣମାଧ୍ୟମକୁ ଚ୍ୟାଲେଞ୍ଜ କରିବା ଭଳି ପରିସ୍ଥିତି ସୃଷ୍ଟି କରିଛି। କିନ୍ତୁ ସୋସିଆଲ ମିଡ଼ିଆ ରେ ବାହାରୁ ଥିବା ଖବର ଚମକପ୍ରଦ ହୋଇ ଥିଲେ ମଧ୍ୟ ଏଥିରେ ବିଶ୍ୱାସନୀୟତା ନାହିଁ। ତେଣୁ ସୋସିଆଲ ମିଡିଆ ଜନ ମାନସରେ ପ୍ରଭାଵ ବିସ୍ତାର କରୁଥିଲେ ମଧ୍ୟ ମିଥ୍ଯା ଖବର ଯୋଗୁଁ ଏହା ଗ୍ରହଣୀୟ ହେଉନାହିଁ। ତେଣୁ ସୁଦୃଢ଼ ଗଣତନ୍ତ୍ର ପାଇଁ ସୁସ୍ଥ ଗଣମାଧ୍ୟମର ଆବଶ୍ୟକତା ରହିଛି ବୋଲି ସହକାରୀ ପ୍ରାଧ୍ୟାପକ ଡ ସୁଜିତ ପୃଷେଠ ମତ ଦେଇଛନ୍ତି। ରାଜ୍ୟ କୋଷାଧ୍ୟକ୍ଷ ଅମୁଲ୍ୟ ରଞ୍ଜନ ସ୍ୱାଇଁ ଆଲୋଚନା ଚକ୍ର ସଂପର୍କରେ ପ୍ରାରମ୍ଭିକ ସୂଚନା ଦେବା ସହ ଗଣ ମାଧ୍ୟମର ବିବର୍ତ୍ତନଶିଳ ଭୂମିକାକୁ ନେଇ ନିଜର ବକ୍ତବ୍ୟ ରଖିଥିଲେ। ବ୍ଲକ ସମ୍ପାଦକ ସୁବାଷ ନାଥ ଶର୍ମା ବିବରଣୀ ପାଠ କରି ଥିବା ବେଳେ ବରିଷ୍ଠ ସଭ୍ୟ ସଚ୍ଚିକାନ୍ତ ସାହୁ ମଞ୍ଚ ପରିଚାଳନା କରିଥିଲେ। ଏହି ଅବସରରେ କୃଷି, ଶିକ୍ଷା, ସ୍ବାସ୍ଥ୍ଯ ଓ ଜିଲ୍ଲାର ୪ ଜଣ ସାମ୍ବାଦିକଙ୍କୁ ସମ୍ମାନିତ କରାଯାଇ ଥିଲା। ବଡ଼ରମା ଅଭୟାରଣ୍ୟ ଅଞ୍ଚଳ ରେ ଛତୁଚାଷ କରି ନିଜେ ସ୍ୱାବଲମ୍ବୀ ହେବା ସହ ମହିଳା ସଶକ୍ତିକରଣ ଦିଗରେ ନିଜକୁ ପ୍ରତିଷ୍ଠିତ କରି ପାରିଥିବା ମହିଳା ଚାଷୀ ଫ୍ଲୋରିଟା ତିର୍କୀଙ୍କୁ କୃଷକ ଗୌରବ ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇ ଥିଲା। ସେହିପରି ଶିକ୍ଷା କ୍ଷେତ୍ରରେ କଦଳି ମୁଣ୍ଡା ଉନ୍ନିତ ଉଚ୍ଚ ପ୍ରାଥମିକ ସ୍କୁଲର ପ୍ରଧାନ ଶିକ୍ଷକ ରାମଚନ୍ଦ୍ର ସିଂ ଙ୍କୁ ଶିକ୍ଷକ ଗୌରଵ ସମ୍ମାନ ପ୍ରଦାନ କରାଯାଇ ଥିଲା ବେଳେ ସ୍ବାସ୍ଥ୍ଯ ସେବା କ୍ଷେତ୍ରରେ କୁଲୁଣ୍ଡି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ଯୁବ ଡାକ୍ତର ଆଶିଷ ରଞ୍ଜନ ପଣ୍ଡାଙ୍କୁ ସ୍ବାସ୍ଥ୍ଯ ସେବା ଗୌରଵ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇ ଥିଲା। ଓଡ଼ିଶା ସାମ୍ବାଦିକ ୟୁନିଅନ୍ (ଓୟୁଜେ) ସାଂଗଠନିକ କାର୍ଯ୍ୟ ରେ ସକ୍ରୀୟ ଭୂମିକା ନିର୍ବାହ କରିଥିବା ଜମନକିରା ବ୍ଳକର ସାମ୍ବାଦିକ ସନ୍ତୋଷ କୁମାର ପଟେଲ, ରେଙ୍ଗାଲି ବ୍ଳକର ଦିନେଶ ମାହାନା, ରେଢ଼ାଖୋଲ ବ୍ଲକର ଶଙ୍କର ପୃଷ୍ଟି ଏବଂ ବାମରା ବ୍ଲକ ର ମନୋଜ ରାଜଙ୍କୁ ଓୟୁଜେ ସଙ୍ଗଠନ ସେବା ସମ୍ମାନ ରେ ସମ୍ବର୍ଦ୍ଧିତ କରାଯାଇ ଥିଲା। ସଭାରେ ଶିକ୍ଷାବିତ ଦିଲ୍ଲୀପ ବହିଦାର, ଭୁବନେଶ୍ୱର ଦ୍ୱିବେଦୀ, ବରିଷ୍ଠ ନାଗରିକ ସଂଘର ସଭାପତି ଗୋକୁଳାନନ୍ଦ ଦାନୀ, କଳାକାର କଞ୍ଜାନନ୍ ଜୟପୁରିଆ ପ୍ରଭୃତି ଆଲୋଚନା ଚକ୍ର ରେ ଅଂଶ ଗ୍ରହଣ କରିଥିଲେ। କାର୍ଯ୍ୟକ୍ରମରେ ବରିଷ୍ଠ ସାମ୍ବାଦିକ କ୍ଷିତି ରଞ୍ଜନ ପଧାନ, ରାମ ନାରାୟଣ ସାହୁ,ଅଶ୍ୱିନୀ ମହାକୁଲ, ଦାମୋଦର ନାଏକ, ଦ୍ରୌପଦୀ ପଧାନ ପ୍ରମୁଖ ସହଯୋଗ କରିଥିଲେ। ଶେଷରେ ସାମ୍ବାଦିକ ସଞ୍ଚୟ କୁମାର ପଟେଲ ଧନ୍ୟବାଦ ଅର୍ପଣ କରିଥିଲେ।ସମ୍ବଲପୁର ପ୍ରତିନିଧି ନରେନ୍ଦ୍ର ସାହୁ ଙ୍କ ରିପୋର୍ଟ ଜାଗ୍ରତ ଭାରତ ନିଉଜ

