Spread the love

କେନ୍ଦ୍ରାପଡା ଜିଲ୍ଲା ଅନ୍ତର୍ଗତ ମହାକାଳପଡା ପଞ୍ଚାୟତ ସମିତି ଅଧୀନସ୍ତୁ ତିଖିରି ଗ୍ରାମ ସରପଂଚ ଚାମେଲି ଓଝାଙ୍କ ପ୍ରତି ହୋଇଥିବା ଅମାନୁସିକ କାର୍ଯ୍ୟକଳାପରେ ମହାମହିମ ରାଜ୍ୟପାଳ ହସ୍ତକ୍ଷେ କରିବା ନିମନ୍ତେ ଢେଙ୍କାନାଳ ଜିଲ୍ଲା ସରପଞ୍ଚ ସଂଘ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକ ଧାରଣା ଦେବା ସହ ମହାମହିମ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଏକ ଅଭିଯୋଗ ପତ୍ର ପ୍ରଦାନ କରିଛନ୍ତି। ନିଜ ପଞ୍ଚାୟତ ଉନ୍ନୟନ ମୂଳକ କାର୍ଯ୍ୟ ସମ୍ବନ୍ଧରେ ଆଲୋଚନା କରିବା ପାଇଁ ଗତ ଜୁନ ୧୧ ତାରିଖରେ ମହାକାଳପଡା ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ଦପ୍ତରକୁ ଆସି ଅଚଳବାସୀ ତଥା ଅଂଚଳର ଉନ୍ନତିକଳ୍ପେ ଆଲୋଚନା କରୁଥିବା ସମୟରେ ସଂପୃକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଏବଂ ଅନ୍ୟ କେତେକ ବ୍ୟକ୍ତିବିଶେଷ ଚାମେଲି ଓଝାଙ୍କ ଉଦ୍ଦେଶ୍ୟରେ ବିଭିନ୍ନ ପ୍ରକାର କଟୁଭାଷା ପ୍ରୟୋଗ କରିବା ସହିତ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ତରଫରୁ ପୋଲିସ୍‌କୁ ଡାକି ତାଙ୍କ ବିରୋଧରେ ମିଥ୍ୟା ଅଭିଯୋଗ ପ୍ରଦାନ କରିଥିଲେ । ଫଳସ୍ବରୂପ ମହାକାଳପଡା ପୋଲିସ ଘଟଣାସ୍ଥଳରେ ପହଁଚି ଘଟଣାର ସମାଧାନ କରିବା ପରିବର୍ତେ ଘଟଣାକୁ ଆହୁରି ସଙ୍ଗୀ କରିଥିଲେ ଏବଂ ଚାମେଲି ଓଝାଙ୍କୁ ଜୋରଜବରଦସ୍ତ ପୋଲିସ ଗାଡିରେ ବସାଇ ଥାନାକୁ ନେଇଯାଇଥିଲେ । ପୋଲିସ ଗାଢିରେ ନେବା ବେଳେ ସୁରକ୍ଷା ଦାୟିତ୍ବରେ ଥିବା ପୋଲିସ୍ କର୍ମଚାରୀ ଚାମେଲି ଓଝାଙ୍କ ମୋବାଇଲ ଫୋନ ଛଡାଇ ନେବା ସହ ମରଣାନ୍ତକ ଶାରୀରିକ ନିର୍ଯ୍ୟାତନା ଦେଇଛନ୍ତି । ଏପରିକି ତାଙ୍କ ନାମରେ ମିଥ୍ୟ ଅଭିଯୋଗ କରି ତାଙ୍କୁ ଗିରଫ କରି କାରାଗାରକୁ ପ୍ରେରଣ କରାଯାଇଥିଲା ।
ଏପରିସ୍ଥଳେ ଉଲ୍ଲିଖୁକ୍ତ ବିଷୟ ଉପରେ ମହାମହିମ ରାଜ୍ୟପାଳଙ୍କ ହସ୍ତକ୍ଷେପ ନିତ୍ୟାନ୍ତ ପ୍ରୟୋଜନ ବୋଲି ଉଲ୍ଲେଖ କରିଛନ୍ତି । ସଂଘ ପକ୍ଷରୁ ତିନୋଟି ପ୍ରମୁଖ ଦାବୀ ଉପସ୍ଥାପନ କରିଛନ୍ତି । ଯଥା-ତିଖିରି ପଂଚାୟତର ସରପଞ୍ଚ ଚାମେଲି ଓଝାଙ୍କ ସମ୍ବନ୍ଧିତ ଘଟଣାର ସମୁଚିତ ନ୍ୟାୟିକ ତଦନ୍ତ କରାଯାଇ ଦୋଷୀଙ୍କୁ ଉପଯୁକ୍ତ ଦଣ୍ଡ ଓ ଚାମେଲି ଓଝାଙ୍କୁ ନ୍ୟାୟ ପ୍ରଦାନ କରାଯାଉ । ମହାକାଳପଡା ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ଦପ୍ତର ଓ ମହାକାଳପଡା ଥାନାର ସିସି ଟିଭିର ଏବଂ ଚାମେଲି ଓଝାଙ୍କ ମୋବାଇଲ୍‌ରେ ରେକର୍ଡ ହୋଇଥିବା ସମଗ୍ର ବିଷୟ ବିବଦ୍ଧ ଭାବେ ସର୍ବ ସମ୍ମୁଖକୁ ଅଣାଯାଉ । ମହାକାଳପଡା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ ମହାକାଳପଡା ପୋଲିସ୍‌ର ଅଭିଯୋଗ କ୍ରମେ ଚାମେଲି ଓଝାଙ୍କ ବିରୁଦ୍ଧରେ ଦାୟର ହୋଇଥିବା ମୋକଦ୍ଦମାକୁ ପ୍ରତ୍ୟାହାର କରାଯାଇ ତାଙ୍କୁ ସସମ୍ମାନେ ନିର୍ଦ୍ଦେଷରେ ଖଲାସ କରାଯାଉ । ଜନପ୍ରତିନିଧି ମାନଙ୍କ ପ୍ରତି ଅମଲାତନ୍ତ୍ର ଦ୍ବାରା ହେଉଥିବା ବିଭିନ୍ନ ଅନ୍ୟାୟ ତଥା ନିର୍ଯ୍ୟାତନାର ମୂଳୋପ୍ଲାଟନ ନିମନ୍ତେ ଅଙ୍କୁଶ ଲଗାଯାଉ ।

Leave a Reply

Your email address will not be published. Required fields are marked *