Spread the love

ଛାତ୍ର ସଂସଦ ନିର୍ବାଚନକୁ ଝଟକା: ଭଦ୍ରକର ୨ କଲେଜରେ ନିର୍ବାଚନ ବାତିଲ, ବ୍ୟାସନଗରରେ ସ୍ଥଗିତ

ଭଦ୍ରକ: ଦୀର୍ଘ ୮ ବର୍ଷର ବ୍ୟବଧାନ ପରେ ରାଜ୍ୟର କଲେଜ କ୍ୟାମ୍ପସରେ ଫେରିଛି ଛାତ୍ର ସଂସଦ ନିର୍ବାଚନର ଉଷ୍ମତା। ତେବେ ନିର୍ବାଚନୀ ପ୍ରକ୍ରିୟା ଆରମ୍ଭ ହେଉ ହେଉ କେତେକ ଶିକ୍ଷାନୁଷ୍ଠାନରେ ଦେଖାଦେଇଛି ଅଶାନ୍ତିର ପରିସ୍ଥିତି। ଭଦ୍ରକ ଜିଲ୍ଲାର ଦୁଇଟି କଲେଜରେ ନାମାଙ୍କନ ଦାଖଲ ପୂର୍ବରୁ ନିର୍ବାଚନ ବାତିଲ କରାଯାଇଥିବାବେଳେ, ଯାଜପୁର ଜିଲ୍ଲାର ବ୍ୟାସନଗର ସ୍ୱୟଂଶାସିତ ମହାବିଦ୍ୟାଳୟରେ ନିର୍ବାଚନକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖାଯାଇଛି।

ଶୃଙ୍ଖଳାଗତ କାରଣରୁ ଭଦ୍ରକର ୨ କଲେଜରେ ନିର୍ବାଚନ ବନ୍ଦ

ଭଦ୍ରକ ଜିଲ୍ଲାର ମହିଳା ମହାବିଦ୍ୟାଳୟ ଏବଂ ଭଣ୍ଡାରୀପୋଖରୀର ନାଆମୀ କଲେଜରେ ଛାତ୍ର ସଂସଦ ନିର୍ବାଚନ ବାତିଲ କରାଯାଇଛି। କଲେଜ ପରିସରରେ ଶୃଙ୍ଖଳା ବଜାୟ ରଖିବା ଉଦ୍ଦେଶ୍ୟରେ ଅଧ୍ୟକ୍ଷମାନେ ଏହି ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି। ନାମାଙ୍କନ ପ୍ରକ୍ରିୟା ଆରମ୍ଭ ପୂର୍ବରୁ ଏଭଳି ନିଷ୍ପତ୍ତି ଛାତ୍ରଛାତ୍ରୀଙ୍କ ମଧ୍ୟରେ ଚର୍ଚ୍ଚା ସୃଷ୍ଟି କରିଛି।

ବୋମାମାଡ଼ ପରେ ବ୍ୟାସନଗର କଲେଜରେ ଅନିଶ୍ଚିତତା

ଅନ୍ୟପକ୍ଷରେ, ଯାଜପୁର ଜିଲ୍ଲାର ବ୍ୟାସନଗର ସ୍ୱୟଂଶାସିତ ମହାବିଦ୍ୟାଳୟରେ ବୋମାମାଡ଼ ଘଟଣା ପରେ ଛାତ୍ର ସଂସଦ ନିର୍ବାଚନକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖିଛନ୍ତି କଲେଜ ଅଧ୍ୟକ୍ଷ। ଏଥିସହ କଲେଜରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ସାଇନ୍-ଏ-ଡାଏ ଘୋଷଣା କରାଯାଇଛି। ଛାତ୍ରଛାତ୍ରୀଙ୍କୁ ହଷ୍ଟେଲ ଖାଲି କରି ଚାଲିଯିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଆଜି ନାମାଙ୍କନ, ୧୫ରେ ନିର୍ବାଚନ

ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ, ଅକ୍ଟୋବର ୯ ତାରିଖ ସକାଳ ୧୦ଟାରୁ ଦିନ ୧ଟା ପର୍ଯ୍ୟନ୍ତ ପ୍ରାର୍ଥୀମାନେ ନାମାଙ୍କନପତ୍ର ଦାଖଲ କରିବେ। ସନ୍ଧ୍ୟା ୫ଟାରେ ବୈଧ ନାମାଙ୍କନ ତାଲିକା ପ୍ରକାଶ ପାଇବ। ଅକ୍ଟୋବର ୧୪ରେ ‘ହ୍ୱାଏ ଆଇ ଏମ୍ ଷ୍ଟାଣ୍ଡିଂ’ କାର୍ଯ୍ୟକ୍ରମ, ୧୫ ତାରିଖରେ ମତଦାନ ଏବଂ ୧୬ ତାରିଖରେ ନବନିର୍ବାଚିତ ଛାତ୍ର ପ୍ରତିନିଧିଙ୍କ ଶପଥ ଗ୍ରହଣ କାର୍ଯ୍ୟକ୍ରମ ରହିଛି।

ଦୀର୍ଘ ବ୍ୟବଧାନ ପରେ କଲେଜ କ୍ୟାମ୍ପସରେ ଛାତ୍ର ରାଜନୀତି ଫେରିଥିବାରୁ ବିଭିନ୍ନ ଶିକ୍ଷାନୁଷ୍ଠାନରେ ଉତ୍ସାହ ଓ ରାଜନୈତିକ ଚଳଚଞ୍ଚଳତା ବଢ଼ିଛି। ତେବେ କେତେକ କଲେଜରେ ନିର୍ବାଚନ ବାତିଲ ଓ ସ୍ଥଗିତ ହେବା ଘଟଣା ଏହି ପ୍ରକ୍ରିୟାକୁ ନେଇ ନୂଆ ପ୍ରଶ୍ନ ସୃଷ୍ଟି କରିଛି।

Leave a Reply

Your email address will not be published. Required fields are marked *