Judge gavel and law books in court, law and justice background concept
Spread the love

### ଜମି ଅଧିଗ୍ରହଣ କ୍ଷତିପୂରଣ ଟଙ୍କା ମଞ୍ଜୁର ପାଇଁ ୫.୧୦ ଲକ୍ଷ ଲାଞ୍ଚ! ଭିଜିଲାନ୍ସ ଜାଲରେ ସ୍ୱତନ୍ତ୍ର ଜମି ଅଧିଗ୍ରହଣ ଅଧିକାରୀ

୮୪.୬୨ ଲକ୍ଷ ଟଙ୍କା କ୍ଷତିପୂରଣ ମଞ୍ଜୁର ପାଇଁ ନେଉଥିଲେ ଲାଞ୍ଚ, ଗିରଫ ପରେ କୋର୍ଟ ଚାଲାଣ

ସମ୍ବଲପୁର: ଜମି ଅଧିଗ୍ରହଣ ବାବଦ କ୍ଷତିପୂରଣ ଅର୍ଥ ମଞ୍ଜୁର କରିବା ପାଇଁ ଲାଞ୍ଚ ନେବା ଅଭିଯୋଗରେ ଓଡ଼ିଶା ଭିଜିଲାନ୍ସ ଜଣେ ବରିଷ୍ଠ ଅଧିକାରୀଙ୍କୁ ଗିରଫ କରିଛି। ଗିରଫ ଅଧିକାରୀ ହେଉଛନ୍ତି ଅଜୟ କୁମାର ଗରନାୟକ। ସେ ସମ୍ବଲପୁର-ତାଳଚେର ରେଳ ପ୍ରକଳ୍ପର ସ୍ୱତନ୍ତ୍ର ଜମି ଅଧିଗ୍ରହଣ ଅଧିକାରୀ (Special Land Acquisition Officer) ଭାବେ କାର୍ଯ୍ୟରତ ଥିଲେ।

ଭିଜିଲାନ୍ସ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଜଣେ ଜମି ମାଲିକଙ୍କଠାରୁ ୫ ଲକ୍ଷ ୧୦ ହଜାର ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି। ସମ୍ପୃକ୍ତ ଜମି ମାଲିକଙ୍କ ଅଧିଗ୍ରହଣ ହୋଇଥିବା ଜମି ବାବଦରେ ୮୪ ଲକ୍ଷ ୬୨ ହଜାର ୨୮୮ ଟଙ୍କା କ୍ଷତିପୂରଣ ଅର୍ଥ ମଞ୍ଜୁର କରିବା ବଦଳରେ ଅଧିକାରୀ ଜଣକ ଏହି ଲାଞ୍ଚ ଦାବି କରିଥିବା ଅଭିଯୋଗ ହୋଇଛି।

କେବଳ ସେତିକି ନୁହେଁ, ଆଗାମୀ ତୃତୀୟ ରେଳ ଲାଇନ୍‌ ପ୍ରକଳ୍ପରେ ମଧ୍ୟ ଜମି ମାଲିକଙ୍କୁ କ୍ଷତିପୂରଣ ଦେବା କ୍ଷେତ୍ରରେ ସୁବିଧା କରାଇଦେବା ପାଇଁ ସେ ଲାଞ୍ଚ ନେଉଥିବା ଭିଜିଲାନ୍ସ ଅଭିଯୋଗରେ ଉଲ୍ଲେଖ କରିଛି।

ଗିରଫ ଅଜୟ କୁମାର ଗରନାୟକଙ୍କୁ ଆଜି ସମ୍ବଲପୁରସ୍ଥିତ ମାନ୍ୟବର ସ୍ୱତନ୍ତ୍ର ଭିଜିଲାନ୍ସ ଅଦାଲତରେ ହାଜର କରାଯାଉଛି।

ଏହି ଘଟଣାରେ ସମ୍ବଲପୁର ଭିଜିଲାନ୍ସ ଥାନାରେ କେସ୍‌ ନମ୍ବର ୨୦/୨୦୨୬ ଅନୁଯାୟୀ, ଦୁର୍ନୀତି ନିବାରଣ (ସଂଶୋଧନ) ଆଇନ, ୨୦୧୮ର ଧାରା ୭ ଅନୁସାରେ ମାମଲା ରୁଜୁ ହୋଇଛି। ଏହି ଘଟଣାରେ ଭିଜିଲାନ୍ସ ପକ୍ଷରୁ ତଦନ୍ତ ଜାରି ରହିଛି।

ଜାଗ୍ରତ ଭାରତ ନ୍ୟୁଜ୍ | ସମ୍ବଲପୁର

Leave a Reply

Your email address will not be published. Required fields are marked *