Spread the love

ଜୁନାଗଡ଼ ବାଇପାସ୍ ନିର୍ମାଣ ଦାବି ଜୋରଦାର, ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ

ଆନ୍ଦୋଳନକୁ ତୀବ୍ର କରିବାକୁ ସଂଘର୍ଷ ସମିତିର ଚେତାବନୀ

ଜୁନାଗଡ଼ : (ବାଲେଶ୍ୱର ସୁନାନୀ, ଜାଗ୍ରତ ଭାରତ ନିୟୁଜ )ଜୁନାଗଡ଼ ସହରରେ ବାଇପାସ୍ ରାସ୍ତା ନିର୍ମାଣ ଦାବିକୁ ନେଇ ଆନ୍ଦୋଳନ ଜୋରଦାର ହେବାକୁ ଯାଉଛି। ଦୀର୍ଘଦିନ ଧରି ଏହି ଦାବି ଉଠାଇ ଆସୁଥିବା ଜୁନାଗଡ଼ ବାଇପାସ୍ ରାସ୍ତା ନିର୍ମାଣ ସଂଘର୍ଷ ସମିତି ପକ୍ଷରୁ ବୁଧବାର ସନ୍ଧ୍ୟା ୭ଟାରେ ଜୁନାଗଡ଼ ନୂତନ ବସଷ୍ଟାଣ୍ଡଠାରେ ଏକ ଜନସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ସହରର ବୁଦ୍ଧିଜୀବୀ, ବିଭିନ୍ନ ବର୍ଗର ଲୋକ ଓ ଜନସାଧାରଣ ଯୋଗଦେଇ ବାଇପାସ୍ ନିର୍ମାଣ ଦାବି ଉପରେ ଆଲୋଚନା କରିଥିଲେ।

ଉକ୍ତ ବୈଠକରେ ନିଆଯାଇଥିବା ନିଷ୍ପତ୍ତି ଅନୁଯାୟୀ, ଗୁରୁବାର ସଂଘର୍ଷ ସମିତି ପକ୍ଷରୁ କଳାହାଣ୍ଡି ଜିଲ୍ଲାପାଳଙ୍କ ଜରିଆରେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉଦ୍ଦେଶ୍ୟରେ ଏକ ବିସ୍ତୃତ ଦାବିପତ୍ର ପ୍ରଦାନ କରାଯାଇଛି। ଦାବିପତ୍ରରେ ଜୁନାଗଡ଼ ସହରରେ ବାଇପାସ୍ ରାସ୍ତା ନିର୍ମାଣର ଆବଶ୍ୟକତା ସହ ଏହି ପ୍ରକଳ୍ପ ସମ୍ପର୍କିତ ପୂର୍ବ ଘଟଣାବଳୀ ଓ ସରକାରୀ ସ୍ତରରେ ହୋଇଥିବା ଆଲୋଚନା ସମ୍ପର୍କରେ ଉଲ୍ଲେଖ କରାଯାଇଛି।

ଜୁନାଗଡ଼ ଏକ ପ୍ରମୁଖ ବାଣିଜ୍ୟିକ ଓ ଜନଗହଳିପୂର୍ଣ୍ଣ ସହର ହୋଇଥିବାରୁ ଏଠାରେ ପ୍ରତିଦିନ ଯାନବାହନ ଚଳାଚଳ ବୃଦ୍ଧି ପାଉଛି। ଫଳରେ ଟ୍ରାଫିକ୍ ସମସ୍ୟା, ଦୁର୍ଘଟଣାର ଆଶଙ୍କା ଏବଂ ସାଧାରଣ ଲୋକଙ୍କ ଯାତାୟାତରେ ବିଭିନ୍ନ ଅସୁବିଧା ସୃଷ୍ଟି ହେଉଛି। ବାଇପାସ୍ ନିର୍ମାଣ ହେଲେ ସହରର ଟ୍ରାଫିକ୍ ଚାପ ହ୍ରାସ ପାଇବା ସହ ଯାତାୟାତ ବ୍ୟବସ୍ଥା ସୁଗମ ହୋଇପାରିବ ବୋଲି ସମିତି ଦର୍ଶାଇଛି।

ସମିତି ପକ୍ଷରୁ ପୂର୍ବରୁ ବାଇପାସ୍ ନିର୍ମାଣ ପାଇଁ ସର୍ଭେ, ଡିପିଆର୍ ପ୍ରସ୍ତୁତି ଏବଂ ଜାତୀୟ ରାଜପଥ ବିଭାଗ ସହ ହୋଇଥିବା ଆଲୋଚନାର ବିବରଣୀ ମଧ୍ୟ ଦାବିପତ୍ରରେ ଉପସ୍ଥାପନ କରାଯାଇଛି। ଏତେ ଦିନ ପରେ ମଧ୍ୟ ପ୍ରକଳ୍ପର ଚୂଡ଼ାନ୍ତ ନିଷ୍ପତ୍ତି ଓ କାର୍ଯ୍ୟାରମ୍ଭ ନେଇ ଅନିଶ୍ଚିତତା ରହିଥିବାରୁ ସମିତି ଅସନ୍ତୋଷ ପ୍ରକାଶ କରିଛି।

ତେଣୁ ଆଉ ବିଳମ୍ବ ନକରି ବାଇପାସ୍ ନିର୍ମାଣ ପାଇଁ ସ୍ପଷ୍ଟ ସରକାରୀ ଘୋଷଣା, ପ୍ରକଳ୍ପକୁ ଅନୁମୋଦନ ଏବଂ ତୁରନ୍ତ କାର୍ଯ୍ୟାରମ୍ଭ କରିବାକୁ ସମିତି ପକ୍ଷରୁ ଦାବି କରାଯାଇଛି। ଏହା ସହ ଦାବି ପୂରଣ ନହେଲେ ଆଗାମୀ ଦିନରେ ଗଣତାନ୍ତ୍ରିକ ପଦ୍ଧତିରେ ଆନ୍ଦୋଳନକୁ ଆହୁରି ତୀବ୍ର କରାଯିବ ବୋଲି ସମିତି ପକ୍ଷରୁ ଚେତାବନୀ ଦିଆଯାଇଛି।

ଜୁନାଗଡ଼ ସହରର ସାମଗ୍ରିକ ବିକାଶ, ଜନସାଧାରଣଙ୍କ ସୁରକ୍ଷା ଓ ସୁବିଧାଜନକ ଯାତାୟାତ ପାଇଁ ବାଇପାସ୍ ନିର୍ମାଣ ଅତ୍ୟନ୍ତ ଜରୁରୀ ହୋଇପଡ଼ିଥିବାରୁ ଏହି ଦାବି ପ୍ରତି ରାଜ୍ୟ ସରକାର ଗୁରୁତ୍ୱ ଦେଇ ଶୀଘ୍ର ପଦକ୍ଷେପ ନେବାକୁ ସହରବାସୀ ଆଶା ପ୍ରକାଶ କରିଛନ୍ତି।

Leave a Reply

Your email address will not be published. Required fields are marked *