ଜୁନାଗଡ଼ ବ୍ଲକରେ ‘ବିକଶିତ ଗାଁ, ବିକଶିତ ଓଡ଼ିଶା’ ଯୋଜନାର କାର୍ଯ୍ୟକୁ ନେଇ ଉଚ୍ଚ ନ୍ୟାୟାଳୟଙ୍କ ଅନ୍ତରୀଣ ରୋକ୍
ନ୍ୟାୟାଳୟଙ୍କ ଆଦେଶର ନକଲ ବିଡିଓଙ୍କୁ ପ୍ରଦାନ, ମାମଲାର ଫଇସଲା ପର୍ଯ୍ୟନ୍ତ ସମସ୍ତ ଚାଲୁ କାର୍ଯ୍ୟ ବନ୍ଦ କରିବାକୁ ଦାବି।
ଜୁନାଗଡ଼, ତା. ୦୯/୧୧/୨୦୨୬:(ବାଲେଶ୍ୱର ସୁନାନୀ,ଜାଗ୍ରତ ଭାରତ ନିୟୁଜ )
ଜୁନାଗଡ଼ ବ୍ଲକରେ ‘ବିକଶିତ ଗାଁ, ବିକଶିତ ଓଡ଼ିଶା’ ଯୋଜନାର କାର୍ଯ୍ୟକାରିତାକୁ ନେଇ ଉଠିଥିବା ଅନିୟମିତତା, ଗ୍ରାମସଭାକୁ ଉପେକ୍ଷା ଏବଂ ନିର୍ବାଚିତ ଜନପ୍ରତିନିଧିଙ୍କ ମତାମତକୁ ଅଣଦେଖା କରିବା ପ୍ରସଙ୍ଗରେ ମାନ୍ୟବର ଓଡ଼ିଶା ଉଚ୍ଚ ନ୍ୟାୟାଳୟଙ୍କ ଅନ୍ତରୀଣ ନିର୍ଦ୍ଦେଶ ପରେ ଏହି ମାମଲା ନୂଆ ମୋଡ଼ ନେଇଛି।
ଏହି ପରିପ୍ରେକ୍ଷୀରେ ଜୁନାଗଡ଼ ପଞ୍ଚାୟତ ସମିତିର ଅଧ୍ୟକ୍ଷା, ଉପାଧ୍ୟକ୍ଷ ଶ୍ରୀ ପ୍ରମୋଦ ବେହେରା, ତାରା ରାୟଗୁରୁଙ୍କ ସମେତ ଅନ୍ୟାନ୍ୟ ଜନପ୍ରତିନିଧିମାନେ ମାନ୍ୟବର ଉଚ୍ଚ ନ୍ୟାୟାଳୟଙ୍କ ଆଦେଶର ନକଲ ଜୁନାଗଡ଼ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ପ୍ରଦାନ କରିଛନ୍ତି।
ଉକ୍ତ ଆଦେଶରେ ମାମଲାର ଚୂଡ଼ାନ୍ତ ଫଇସଲା ନହେବା ପର୍ଯ୍ୟନ୍ତ ଆନେକ୍ସର-୨ରେ ଉଲ୍ଲେଖିତ କାର୍ଯ୍ୟଯୋଜନାକୁ କାର୍ଯ୍ୟକାରୀ ନକରିବାକୁ ମାନ୍ୟବର ନ୍ୟାୟାଳୟ ସ୍ପଷ୍ଟ ନିର୍ଦ୍ଦେଶ ଦେଇଛନ୍ତି।
ତେଣୁ ନ୍ୟାୟାଳୟଙ୍କ ଆଦେଶକୁ ଅକ୍ଷରେ ଅକ୍ଷରେ ପାଳନ କରିବା ସହ ଏହି ମାମଲାର ଚୂଡ଼ାନ୍ତ ଫଇସଲା ନହେବା ପର୍ଯ୍ୟନ୍ତ ଜୁନାଗଡ଼ ବ୍ଲକରେ ଉକ୍ତ ଯୋଜନା ଅନ୍ତର୍ଗତ ଚାଲୁଥିବା ସମସ୍ତ କାର୍ଯ୍ୟ ତୁରନ୍ତ ବନ୍ଦ ରଖିବାକୁ ସେମାନେ ବିଡିଓଙ୍କ ନିକଟରେ ଦାବି ଜଣାଇଛନ୍ତି।
ଏଥିସହ ଗ୍ରାମସଭାର ଅଧିକାର, ନିର୍ବାଚିତ ଜନପ୍ରତିନିଧିଙ୍କ ଭାଗିଦାରି ଓ ସରକାରୀ ନିୟମାବଳୀକୁ ଅଣଦେଖା କରି କୌଣସି କାର୍ଯ୍ୟ ଆଗକୁ ନବଢ଼ାଇବାକୁ ଦାବି କରାଯାଇଛି।
ଜନପ୍ରତିନିଧିମାନେ କହିଛନ୍ତି ଯେ, ବିକାଶ ନାମରେ ମନମୁଖୀ ନିଷ୍ପତ୍ତି ଗ୍ରହଣୀୟ ନୁହେଁ। ଗ୍ରାମସଭାର ସମ୍ମତି, ଜନପ୍ରତିନିଧିଙ୍କ ଭାଗିଦାରି ଓ ଆଇନର ଅନୁପାଳନ ହିଁ ପ୍ରକୃତ ବିକାଶର ଆଧାର।
