Spread the love

ଟାଟା ଷ୍ଟିଲ୍ ମୁଖ୍ୟ ଫାଟକ ସମ୍ମୁଖରେ ଟ୍ରକ୍ ଧକ୍କାରେ ଶ୍ରମିକ ମୃତ, ରାସ୍ତାରୋକ

କ୍ଷତିପୂରଣ ଦାବିରେ ଉତ୍ତେଜନା, ସାଢ଼େ ୭ ଘଣ୍ଟା ବନ୍ଦ ରହିଲା କମ୍ପାନି ଫାଟକ

କଣ୍ଟାବଣିଆ, ୨୩/୧୦: ଢେଙ୍କାନାଳ ଜିଲ୍ଲା ମେରାମଣ୍ଡଳୀସ୍ଥିତ ଟାଟା ଷ୍ଟିଲ୍ କାରଖାନାର ମୁଖ୍ୟ ଫାଟକ ସମ୍ମୁଖରେ ଗତକାଲି ଗୁରୁବାର ସକାଳେ ଘଟିଥିବା ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ଏକ ଟ୍ରକ୍ ଧକ୍କାରେ ଗଉଡ଼କାଟେଣୀ ଗ୍ରାମର ସୁଧାକର ଭୂତିଆ ଓରଫ୍ ପିଣ୍ଟୁ (୨୮)ଙ୍କ ଜୀବନ ଯାଇଛି। ଏହାକୁ ନେଇ ଉତ୍ତେଜନା ପ୍ରକାଶ ପାଇବା ସହ କ୍ଷତିପୂରଣ ଦାବିରେ ଶ୍ରମିକ ଓ ସ୍ଥାନୀୟ ଲୋକେ ୫୫ ନମ୍ବର ଜାତୀୟ ରାଜପଥ ଅବରୋଧ କରିଥିଲେ।

ସୂଚନା ଅନୁଯାୟୀ, ସୁଧାକର ଟାଟା ଷ୍ଟିଲ୍ ଅଧୀନରେ ଥିବା ଏକ ଠିକାସଂସ୍ଥାରେ କାର୍ଯ୍ୟ କରୁଥିଲେ। ବୁଧବାର ରାତିରେ ଡ୍ୟୁଟି ସାରି ଗତକାଲି ସକାଳ ପ୍ରାୟ ୬ଟାରେ ସେ ନିଜ ବାଇକ୍‌ରେ କାରଖାନା ପରିସରରୁ ବାହାରୁଥିବା ସମୟରେ ମୁଖ୍ୟ ଫାଟକ ସମ୍ମୁଖରେ ଏକ ଟ୍ରକ୍ ତାଙ୍କ ବାଇକ୍‌କୁ ଧକ୍କା ଦେଇଥିଲା। ଫଳରେ ସେ ଗୁରୁତର ଆହତ ହୋଇଥିଲେ। ତାଙ୍କୁ ଅନୁଗୋଳ ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିବାବେଳେ ଡାକ୍ତର ମୃତ ଘୋଷଣା କରିଥିଲେ।

ଏହି ଦୁଃଖଦ ଘଟଣା ପରେ ଗତକାଲି ସକାଳ ସାଢ଼େ ୬ଟାରୁ ମୃତକଙ୍କ ପରିବାର, ସହକର୍ମୀ ଓ ସ୍ଥାନୀୟ ଲୋକେ କ୍ଷତିପୂରଣ ଦାବିରେ ରାସ୍ତାରୋକ କରିଥିଲେ। ଜାତୀୟ ରାଜପଥ ସହ ଟାଟା ଷ୍ଟିଲ୍‌ର ମୁଖ୍ୟ ଫାଟକକୁ ବନ୍ଦ କରି ଦିଆଯାଇଥିବାରୁ ଉଭୟ ପାର୍ଶ୍ୱରେ ଶହ ଶହ ଗାଡ଼ି ଅଟକି ରହିଥିଲା।

ଖବର ପାଇ କଣ୍ଟାବଣିଆ ଥାନା ଆଇଆଇସି ନିରୋଦ କୁମାର ମଲ୍ଲିକଙ୍କ ସମେତ ପୁଲିସ ଅଧିକାରୀମାନେ ପହଞ୍ଚି ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରିଥିଲେ। ପରେ ଓଡ଼ାପଡ଼ା ଅତିରିକ୍ତ ତହସିଲଦାର ସୁରେନ୍ଦ୍ର ମୁଦୁଲି, ଅତିରିକ୍ତ ଏସ୍‌ପି ରମେଶ ଦୋରା, ହିନ୍ଦୋଳ ଭାରପ୍ରାପ୍ତ ଏସ୍‌ଡିପିଓ ସୁଷମା ପ୍ରଧାନଙ୍କ ସମେତ ଅନ୍ୟ ପୁଲିସ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ଆଲୋଚନା କରିଥିଲେ।

ଦୁର୍ଘଟଣା ରୋକିବା ପାଇଁ ଘଟଣାସ୍ଥଳରେ ସ୍ଥାୟୀ ଟ୍ରାଫିକ୍ ପୋଷ୍ଟ ନିର୍ମାଣ, ଟ୍ରାଫିକ୍ ପୁଲିସ ମୁତୟନ ଏବଂ ଟାଟା ଷ୍ଟିଲ୍ ମୁଖ୍ୟ ଫାଟକ ସମ୍ମୁଖରେ ଫ୍ଲାଏଓଭର୍ ନିର୍ମାଣ କରିବାକୁ ଆନ୍ଦୋଳନକାରୀମାନେ ଦାବି କରିଥିଲେ। ପ୍ରଶାସନର ହସ୍ତକ୍ଷେପ ପରେ ଗତକାଲି ସକାଳ ପ୍ରାୟ ୧୦ଟା ୩୦ରେ ଜାତୀୟ ରାଜପଥରୁ ଅବରୋଧ ହଟିଥିଲା। ତେବେ କମ୍ପାନିର ମୁଖ୍ୟ ଫାଟକ ପ୍ରାୟ ସାଢ଼େ ୭ ଘଣ୍ଟା ଧରି ବନ୍ଦ ରହିଥିଲା।

ଅନ୍ୟପକ୍ଷରେ, ଅନୁଗୋଳ ମୁଖ୍ୟ ଚିକିତ୍ସାଳୟରେ ଶବ ବ୍ୟବଚ୍ଛେଦ ପରେ ମୃତକଙ୍କ ପରିବାର, ଟାଟା ଷ୍ଟିଲ୍ ଶ୍ରମିକ ସଭାର ସାଧାରଣ ସମ୍ପାଦକ ପବିତ୍ର କୁମାର ବିଶ୍ୱାଳ, ଅନୁଗୋଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ ଏବଂ ଠିକାସଂସ୍ଥାର ମାନବ ସମ୍ବଳ ଅଧିକାରୀ ବିଦ୍ୟାଧର ବେହେରାଙ୍କ ମଧ୍ୟରେ କ୍ଷତିପୂରଣ ନେଇ ଆଲୋଚନା ହୋଇଥିଲା।

ଆଲୋଚନା ପରେ ଠିକାସଂସ୍ଥା ପକ୍ଷରୁ ମୃତକଙ୍କ ଶେଷକୃତ୍ୟ ପାଇଁ ୫ ଲକ୍ଷ ଟଙ୍କା ଏବଂ ତାଙ୍କ ପତ୍ନୀଙ୍କୁ ଏକକାଳୀନ ୭ ଲକ୍ଷ ୫୦ ହଜାର ଟଙ୍କା ସହାୟତା ଦିଆଯାଇଥିଲା। ଏଥିସହ କମ୍ପାନିର ନିୟମ ଅନୁଯାୟୀ ୧୩ ଲକ୍ଷ ଟଙ୍କାରୁ ଅଧିକ କ୍ଷତିପୂରଣ ପ୍ରଦାନ କରାଯିବ ବୋଲି ଠିକାସଂସ୍ଥାର ମାନବ ସମ୍ବଳ ଅଧିକାରୀ ପ୍ରତିଶ୍ରୁତି ଦେଇଥିଲେ।

ଉଲ୍ଲେଖଯୋଗ୍ୟ, ଗତ ଦୁଇ ସପ୍ତାହ ମଧ୍ୟରେ ଦୁଇଟି ଦୁର୍ଘଟଣାରେ ଦୁଇ ଜଣ କାର୍ଯ୍ୟରତ ଶ୍ରମିକଙ୍କ ମୃତ୍ୟୁ ହୋଇଥିବାରୁ ଅଞ୍ଚଳରେ ଶ୍ରମିକଙ୍କ ସୁରକ୍ଷାକୁ ନେଇ ଚିନ୍ତା ବଢ଼ିଛି। ଏହି ଘଟଣାରେ ଢେଙ୍କାନାଳର ପୂର୍ବତନ ସାଂସଦ ମହେଶ ସାହୁ ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି।

Leave a Reply

Your email address will not be published. Required fields are marked *