Spread the love

ନୂଆଦିଲ୍ଲୀ: ଡିସେମ୍ବର ୬ରୁ ଦିଲ୍ଲୀ ଅଭିମୁଖେ ବାହାରିବେ ଚାଷୀ। ବିଭିନ୍ନ ଦାବି ନେଇ ହରିୟାଣା-ପଞ୍ଜାବ ଶମ୍ଭୁ ବର୍ଡର ଏବଂ ଖନୌରୀ ବର୍ଡରରେ ବିରୋଧ ପ୍ରଦର୍ଶନ କରୁଥିବା ଚାଷୀ ଦିଲ୍ଲୀ ଅଭିମୁଖେ ଯାତ୍ରା କରିବେ। ତେବେ ଟ୍ରାକ୍ଟର ନେଇ ଆଗକୁ ବଢ଼ିବାକୁ ଅନୁମତି ନଥିବାରୁ ଚାଷୀ ଏଥର ଚାଲି ଚାଲି ଭିନ୍ନ ଭିନ୍ନ ଗୋଷ୍ଠୀରେ ଦିଲ୍ଲୀ ଅଭିମୁଖେ ଯିବେ।

ଆଉ ସେଠାରେ ପହଞ୍ଚି ଆନ୍ଦୋଳନକୁ ଆଗକୁ ବଢ଼ାଇବେ।ଚାଷୀ ଆନ୍ଦୋଳନ ୨.୦ ଆରମ୍ଭ ହେବାର ୯ ମାସରୁ ଅଧିକ ସମୟ ବିତିଗଲାଣି। ଏଭଳି ପରିସ୍ଥିତିରେ ପଞ୍ଜାବ-ହରିୟାଣା ସୀମାରେ ଥିବା ଶମ୍ଭୁ ଏବଂ ଖନୌରୀ ସୀମାରେ କୃଷକମାନେ ବସି ବିରୋଧ କରୁଛନ୍ତି। ଏହା ପରେ କୃଷକମାନେ ଏବେ ଦିଲ୍ଲୀ ଯିବାକୁ ନିଷ୍ପତ୍ତି ନେଇଛନ୍ତି।ବିକ୍ଷୋଭକାରୀ କୃଷକମାନେ ଫେବୃଆରୀ ୧୩ରୁ ପଞ୍ଜାବ ଏବଂ ହରିୟାଣା ମଧ୍ୟରେ ଥିବା ଶମ୍ଭୁ ଏବଂ ଖନୌରୀ ସୀମାରେ କ୍ୟାମ୍ପ କରିଛନ୍ତି। ଏହା ପରେ ବର୍ତ୍ତମାନ କେଏମଏମ ନେତା ସୌରଭ ସିଂ ପାଣ୍ଡେର କହିଛନ୍ତି ଯେ ଦୀର୍ଘ ସମୟ ଅପେକ୍ଷା କରିବା ପରେ ସେ ଦିଲ୍ଲୀ ଯିବାକୁ ନିଷ୍ପତ୍ତି ନେଇଛନ୍ତି। ସେ କହିଛନ୍ତି, ଆମେ ଡିସେମ୍ବର ୬ରେ ଦିଲ୍ଲୀ ଅଭିମୁଖେ ବାହାରିବୁ। ପାଣ୍ଡେର୍ କହିଛନ୍ତି ଯେ କୃଷକମାନେ ପ୍ରତିଦିନ ସକାଳ ୯ଟାରୁ ୫ଟା ପର୍ଯ୍ୟନ୍ତ ଯାତ୍ରା କରିବେ। ହରିୟାଣା ସରକାର ମଧ୍ୟ ଚାଷୀଙ୍କୁ ସାହାଯ୍ୟ କରିବେ ବୋଲି ପାଣ୍ଡେ ଆଶା ପ୍ରକଟ କରିଛନ୍ତି। କୃଷକମାନଙ୍କର ପ୍ରଥମ ପର୍ଯ୍ୟାୟ ଅମ୍ବାଲାର ଜଗି ଗ୍ରାମରେ ହେବ।

ଚାଷୀଙ୍କ କହିବା ଅନୁଯାୟୀ ସରକାର ତାଙ୍କ ଦାବି ଶୁଣୁନାହାଁନ୍ତି। ସଂଯୁକ୍ତ କିସାନ ମୋର୍ଚ୍ଚା ଏବଂ ଚାଷୀ ଶ୍ରମିକ ମୋର୍ଚ୍ଚା ଏମଏସପି ପାଇଁ ଆଇନଗତ ଗ୍ୟାରେଣ୍ଟି ଦାବି କରୁଛନ୍ତି। ଭାରତୀୟ କିସାନ ୟୁନିୟନର ତେଜବୀର ସିଂହ କହିଛନ୍ତି ସେମାନେ ଦୀର୍ଘ ୨୮୦ ଦିନରୁ ଦୁଇ ସୀମାରେ ବସିଛନ୍ତି, ଆଉ କେନ୍ଦ୍ର ସରକାର ଏପର୍ଯ୍ୟନ୍ତ ତାଙ୍କ ସହ ଆଲୋଚନା କରିନାହାଁନ୍ତି। ଶେଷ ଥର ଫେବ୍ରୁଆରୀ ୧୮ରେ କେନ୍ଦ୍ର ମନ୍ତ୍ରୀ ଏବଂ ଚାଷୀଙ୍କ ମଧ୍ୟରେ ଆଲୋଚନା ହୋଇଥିଲା। ଏଥିରେ ସରକାରୀ ଏଜେନ୍ସୀ ଏମଏସପିରେ ଡାଲି, ମକା ଏବଂ କପା ଫସଲ ପାଞ୍ଚ ବର୍ଷ ପାଇଁ କିଣିବେ ବୋଲି ପ୍ରସ୍ତାବ ଦେଇଥିଲେ। କିନ୍ତୁ ଚାଷୀ ଏହାକୁ ଖାରଜ କରିଥିଲେ।

Leave a Reply

Your email address will not be published. Required fields are marked *