Spread the love

ନୂଆଦିଲ୍ଲୀ, ୧୧/୧୧ : ୨ୟ ଟ୍ବେଣ୍ଟି୨୦ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକା ୩ ୱିକେଟ୍‌ରେ ଭାରତକୁ ପରାସ୍ତ କରିଛି। ବ୍ୟାଟିଂ ବିଫଳତା ଭୋଗି ଭାରତ ୬ ୱିକେଟ୍‌ରେ ୧୨୪ ରନ୍‌ କରିଥିଲା। ପରେ ୬ଟି ବଲ୍‌ ବାକିଥାଇ ୭ ୱିକେଟ୍‌ ହରାଇ ଘରୋଇ ଦକ୍ଷିଣ ଆଫ୍ରିକା ଜିତିଥିଲା। ଫଳରେ ୪ ମ୍ୟାଚ୍‌ର ଶୃଙ୍ଖଳା ଏବେ ୧-୧ ସ୍ଥିତିରେ ରହିଛି । ବୁଧବାର ୩ୟ ମ୍ୟାଚ୍‌ ଖେଳାଯିବ।

ଦକ୍ଷିଣ ଆଫ୍ରିକା ୧୨୫ ରନ୍‌ର ପିଛାକରି ଓପ୍‌ନିଂ ଯୋଡ଼ିରେ ୨୨ ରନ୍‌ କରିଥିଲା। ରିୟାନ୍ ରିକେଲ୍‌ଟନ ୧୧ ବଲ୍‌ରୁ ୨ଟି ଚୌକା ସହ ୧୩ ରନ୍‌କରି ଆଉଟ୍‌ ହୋଇଥିଲେ। ପରେ ବରୁଣ ଚକ୍ରବର୍ତ୍ତୀ କ୍ରମାଗତ ୫ଟି ୱିକେଟ୍‌ ନେଇ ଭାରତକୁ ମ୍ୟାଚ୍‌ରେ ରଖିଥିଲେ। ଅଧିନାୟକ ଐଡେନ ମାର୍କରାମ ୩ ରନ୍‌କରି ବିଦାୟ ନେଇଥିଲେ।୮ମ ଓଭର ପର‌୍ୟ୍ୟନ୍ତ କ୍ରିଜ୍‌ରେ ଥିବା ରିଜା ହେଣ୍ଡ୍ରିକ୍‌ସ ୨୧ ବଲ୍‌ରୁ ଗୋଟିଏ ଛକା ଓ ୩ଟି ଚୌକା ସହ ୨୪ ରନ୍‌କରି ଆଉଟ୍‌ ହୋଇଥିଲେ। ବ୍ୟାଟିଂରେ ପଦୋନ୍ନତି ପାଇଥିବା ମାର୍କୋ ୟାନ୍‌ସେନ ୭ ରନ୍‌କରି ଆଉଟ୍‌ ହୋଇଥିଲେ। ହେନ୍‌ରିକ କ୍ଲାସେନ୍ ୨ ରନ୍‌କରି ୱିକେଟ୍‌ ଫିଙ୍ଗିଥିଲେ। ପରବର୍ତ୍ତୀ ବଲ୍‌ରେ ଡେଭିଡ୍‌ ମିଲର ବୋଲ୍‌ଡ ହୋଇ ବରୁଣଙ୍କୁ ୫ମ ୱିକେଟ୍‌ ଦେଇଥିଲେ।

୬୬ ରନ୍‌ରେ ୬ଟି ୱିକେଟ୍‌ ପଡ଼ିବା ପରେ ଟ୍ରିଷ୍ଟାନ୍ ଷ୍ଟବ୍‌ସ ଓ ଆନ୍ଦିଲେ ସିମିଲାନେ ୨୦ ରନ୍‌ ଯୋଡ଼ିବା ପରେ ସିମିଲାନେ ୭ ରନ୍‌କରି ବିଦାୟ ନେଇଥିଲେ। ୪ ଓଭରରୁ ଦକ୍ଷିଣ ଆଫ୍ରିକା ୩୭ ରନ୍‌ ଆବଶ୍ୟକ କରୁଥିବା ବେଳେ ପରବର୍ତ୍ତୀ ୨ ଓଭରରୁ ୨୪ ରନ୍‌ ହୋଇଥିଲା। ଟ୍ରିଷ୍ଟାନ୍ ଷ୍ଟବ୍‌ସ ଓ ଜେରାଲ୍‌ଡ କୋଏଜି ଅବିଭାଜିତ ୮ମ ୱିକେଟ୍‌ ପାଇଁ ୨୦ ବଲ୍‌ରୁ ୪୨ ରନ୍‌ର ବିସ୍ଫୋରକ ଭାଗୀଦାରି କରି ଦକ୍ଷିଣ ଆଫ୍ରିକାକୁ ଜିତାଇଥିଲେ। ଷ୍ଟବ୍‌ସ ୪୧ ବଲ୍‌ରୁ ୭ଟି ଚୌକା ସହ ୪୭ ଏବଂ କୋଏଜି ୯ ବଲ୍‌ରୁ ଗୋଟିଏ ଛକା ଓ ୨ଟି ଚୌକା ସହ ୧୯ ରନ୍‌କରି ଅପରାଜିତ ଥିଲେ। ଜୀବନର ଶ୍ରେଷ୍ଠ ବୋଲିଂ ସଫଳତା ହାସଲକରି ବରୁଣ ଚକ୍ରବର୍ତ୍ତୀ ମାତ୍ର ୧୭ ରନ୍‌ଦେଇ ୫ଟି ୱିକେଟ୍‌ ନେଇଥିଲେ। ଟ୍ରିଷ୍ଟାନ୍ ଷ୍ଟବ୍‌ସ ପ୍ଲେୟର ଅଫ୍ ଦି ମ୍ୟାଚ୍‌ ହୋଇଥିଲେ।

Leave a Reply

Your email address will not be published. Required fields are marked *