Spread the love

ନବବଧୂଙ୍କ ମୃତ୍ୟୁକୁ ନେଇ ଚାଞ୍ଚଲ୍ୟ, ହତ୍ୟା ଅଭିଯୋଗ ପରେ ପୋଲିସର ତଦନ୍ତ

ବଅଁରପାଳ: ବଅଁରପାଳ ଥାନା ଅନ୍ତର୍ଗତ ଗୋତମରା ପଞ୍ଚାୟତର ବିଶ୍ୱନାଥପୁର ସାହିରେ ଜଣେ ନବବଧୂଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ଚାଞ୍ଚଲ୍ୟ ଦେଖାଦେଇଛି। ମୃତକ ହେଲେ ଢେଙ୍କାନାଳ ଜିଲ୍ଲା ମୋଟଙ୍ଗା ଥାନା ଅଧୀନ କୁଶୁପଙ୍ଗା ଗ୍ରାମର ଗିରୀଶ ଚନ୍ଦ୍ର ନାୟକଙ୍କ ଝିଅ ସୋନାଲି ନାୟକ।

ସୂଚନା ଅନୁସାରେ, ଗତ ଫେବୃଆରୀ ୨୨ରେ ସୋନାଲିଙ୍କ ବିବାହ ଗୋତମରା ଗ୍ରାମର ମନ୍ଦର ସାମଲଙ୍କ ପୁଅ ଗଣେଶ ସାମଲଙ୍କ ସହ ବୈଦିକ ରୀତିରେ ହୋଇଥିଲା। ବିବାହ ପରେ କିଛିଦିନ ସବୁକିଛି ସ୍ୱାଭାବିକ ଥିବା କୁହାଯାଉଥିବା ବେଳେ ଗତ ୧୪ ତାରିଖ ରାତି ପ୍ରାୟ ୧୦ଟାରେ ସୋନାଲି ସ୍ୱାମୀଙ୍କ ମୋବାଇଲ ଫୋନରୁ ବାପାଙ୍କ ସହ କଥା ହୋଇଥିଲେ। ହେଲେ ପରଦିନ ସକାଳ ପ୍ରାୟ ୧୦ଟାରେ ଘରୁ ତାଙ୍କ ମୃତଦେହ ମିଳିଥିଲା।

ସୋନାଲିଙ୍କ ମୃତ୍ୟୁକୁ ସ୍ୱାଭାବିକ ବୋଲି ଗ୍ରହଣ କରିପାରିନଥିବା ପରିବାର ହତ୍ୟା ଅଭିଯୋଗ ଆଣିଛନ୍ତି। ତାଙ୍କ ଭାଇ ସତ୍ୟରଞ୍ଜନ ନାୟକ ବଅଁରପାଳ ଥାନାରେ ଏନେଇ ଅଭିଯୋଗ କରିଛନ୍ତି।

ଅନ୍ୟପକ୍ଷରେ, ସୋନାଲି ମୃତ୍ୟୁ ପୂର୍ବରୁ ଏକ ଚିଠି ଲେଖିଥିବା ଦାବି କରି ଶ୍ୱଶୁର ମନ୍ଦର ସାମଲ ଏହାକୁ ପୋଲିସ ସମ୍ମୁଖରେ ଦେଖାଇଥିବା ଜଣାପଡ଼ିଛି। ତେବେ ଘଟଣାକୁ ନେଇ ଶ୍ୱଶୁରଙ୍କ ବାରମ୍ବାର ଭିନ୍ନ ମତ ଦେବା ନେଇ ପରିବାର ପକ୍ଷରୁ ସନ୍ଦେହ ପ୍ରକାଶ କରାଯାଇଛି।

ଅଭିଯୋଗ ପାଇବା ପରେ ବଅଁରପାଳ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ମାମଲା ରୁଜୁ କରି ପୋଲିସ ଘଟଣାର ବିଭିନ୍ନ ଦିଗ ନେଇ ତଦନ୍ତ ଚଳାଇଛି। ବ୍ୟବଚ୍ଛେଦ ରିପୋର୍ଟ ଓ ପୋଲିସ ତଦନ୍ତ ପରେ ସୋନାଲିଙ୍କ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହେବ।

Leave a Reply

Your email address will not be published. Required fields are marked *