Spread the love

ପରିବାରଭିତ୍ତିକ ଶିଶୁ ଯତ୍ନ ଏବଂ ସୁରକ୍ଷା ଉପରେ କର୍ମଶାଳା ଅନୁଷ୍ଠିତ

ଅନୁଗୋଳ, ୧୦.୧୧ : ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ (OSCPCR) ଏବଂ ୟୁନିସେଫର ବୈଷୟିକ ସହଯୋଗରେ ସ୍ଥାନୀୟ ସର୍କିଟ ହାଉସ ସମ୍ମିଳନୀ କକ୍ଷଠାରେ ପରିବାର ଭିତ୍ତିକ ଶିଶୁ ଯତ୍ନ ଏବଂ ପରିବାରରୁ ଶିଶୁ ବିଚ୍ଛିନ୍ନତା ରୋକିବା ନେଇ ଏକ ଆଞ୍ଚଳିକ ପରାମର୍ଶ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ରାଜ୍ୟରେ ହେବାକୁ ଥିବା ୯ଟି “ପରିବାରଭିତ୍ତିକ ଯତ୍ନ” କର୍ମଶାଳା ମଧ୍ୟରୁ ଏହା ପଞ୍ଚମ ପର୍ଯ୍ୟାୟ ଥିଲା। ଏହି କାର୍ଯ୍ୟକ୍ରମରେ ମାନ୍ୟବର ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ଅଧ୍ୟକ୍ଷା ଶ୍ରୀମତୀ ବବିତା ପାତ୍ର ମୁଖ୍ୟ ଅତିଥିଭାବେ ଯୋଗଦେଇ ଶିଶୁ ଯତ୍ନ ଅନୁଷ୍ଠାନଗୁଡ଼ିକ ଶିଶୁଙ୍କ ପାଇଁ ଶେଷ ବିକଳ୍ପ ହେବା ଉଚିତ୍ ବୋଲି କହିଥିଲେ। ଶିଶୁମାନଙ୍କୁ ଫୋଷ୍ଟର କେୟାର ଏବଂ କିନ୍‌ସିପ୍ କେୟାର ଭଳି ପରିବାର ଭିତ୍ତିକ ସେବାରେ ସାମିଲ କରିବା ପାଇଁ ଅଧିକ ଉଦ୍ୟମ ଓ ପ୍ରଚେଷ୍ଟା କରିବାକୁ ସେ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ସେହିଭଳି ୟୁନିସେଫ୍‌ର ଶିଶୁ ସୁରକ୍ଷା ପରାମର୍ଶଦାତା ଶ୍ରୀ ଅଙ୍କିତ କେଶରୀ ଏହି ଅବସରରେ ବୈଷୟିକ ଅଧିବେଶନ ପରିଚାଳନା କରିଥିଲେ। ଏଥିରେ ପରିବାରରୁ ଶିଶୁଙ୍କ ବିଚ୍ଛିନ୍ନତା ରୋକିବା, ପରିବାର ସହାୟତା ସେବାକୁ ସୁଦୃଢ଼ କରିବା, ଶିଶୁ ଯତ୍ନ ଅନୁଷ୍ଠାନଗୁଡ଼ିକର ଭୂମିକା, ଫୋଷ୍ଟର ଓ କିନ୍‌ସିପ୍ କେୟାରର ପ୍ରସାର ଏବଂ ଅନୁଷ୍ଠାନ ଛାଡ଼ୁଥିବା ଶିଶୁମାନଙ୍କ ପାଇଁ ଆଫ୍ଟର-କେୟାର ସେବାର ସୁଧାର ଉପରେ ଆଲୋଚନା କରାଯାଇଥିଲା। ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମାୟାଧର ବେହେରା କାର୍ଯ୍ୟକ୍ରମରେ ଉପସ୍ଥିତ ରହି ସହଯୋଗ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ସଦସ୍ୟା ଶ୍ରୀମତୀ କସ୍ତୁରୀ ମିଶ୍ର, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ପୁଷ୍ପାଞ୍ଜଳି ଶତପଥୀ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ଗୌରୀ ଶଙ୍କର ବେହେରାଙ୍କ ସମେତ ଶିଶୁ ମଙ୍ଗଳ କମିଟି,ଶିଶୁ ନ୍ୟାୟ ବୋର୍ଡର ସଦସ୍ୟ, ସ୍ୱତନ୍ତ୍ର ଶିଶୁ ପୋଲିସ ୟୁନିଟ୍, ଚାଇଲ୍ଡ ହେଲ୍ପଲାଇନ୍, ମହିଳା ସଶକ୍ତିକରଣ କେନ୍ଦ୍ର ଏବଂ ୱାନ ଷ୍ଟପ୍ ସେଣ୍ଟରର ପ୍ରତିନିଧିପ୍ରମୁଖ ଉପସ୍ଥିତ ଥିଲେ। ଏହି କର୍ମଶାଳାରେ ପ୍ରାୟ ୫୦ ରୁ ଊର୍ଦ୍ଧ୍ୱ ପ୍ରତିନିଧି ଅଂଶଗ୍ରହଣ କରିଥିଲେ।

Leave a Reply

Your email address will not be published. Required fields are marked *