ପିଏମ୍ ମୋଦୀଙ୍କ ଡିଗ୍ରୀ ମାମଲା: କେଜ୍ରିୱାଲଙ୍କ ଅପିଲ ଖାରଜ, ୨୫ ହଜାର ଟଙ୍କା ଖର୍ଚ୍ଚ ବଳବତ୍ତର
ଅହମଦାବାଦ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଶିକ୍ଷାଗତ ଡିଗ୍ରୀ ସୂଚନା ପ୍ରକାଶ ସମ୍ପର୍କିତ ମାମଲାରେ ଆମ୍ ଆଦମୀ ପାର୍ଟିର ଜାତୀୟ ଆବାହକ ଅରବିନ୍ଦ କେଜ୍ରିୱାଲଙ୍କ ଅପିଲକୁ ଗୁଜରାଟ ହାଇକୋର୍ଟ ଖାରଜ କରିଛନ୍ତି। ଏହା ସହ ୨୦୨୩ରେ ଏକକ ବିଚାରପତି ଲଗାଇଥିବା ୨୫ ହଜାର ଟଙ୍କାର ଖର୍ଚ୍ଚ ମଧ୍ୟ ବଳବତ୍ତର ରହିଛି।
ମୁଖ୍ୟ ବିଚାରପତି ସୁନିତା ଅଗ୍ରୱାଲ ଓ ବିଚାରପତି ଡି.ଏନ୍. ରେଙ୍କ ଡିଭିଜନ୍ ବେଞ୍ଚ କହିଛନ୍ତି ଯେ, ପୂର୍ବ ରାୟରେ ହସ୍ତକ୍ଷେପ କରିବା ଭଳି କୌଣସି ଆଇନଗତ ତ୍ରୁଟି ଅପିଲକାରୀଙ୍କ ଦଲିଲରୁ ପ୍ରମାଣିତ ହୋଇନାହିଁ। ତେଣୁ ଅପିଲ ଖାରଜ କରାଯାଇଛି। ଏହି ଅପିଲରେ କୋର୍ଟ କୌଣସି ଅତିରିକ୍ତ ଖର୍ଚ୍ଚ ଲଗାଇନାହାନ୍ତି।
କେଉଁଠୁ ଆରମ୍ଭ ହୋଇଥିଲା ବିବାଦ?
ଏହି ମାମଲା ୨୦୧୬ ମସିହାର କେନ୍ଦ୍ରୀୟ ସୂଚନା ଆୟୋଗ (CIC) ନିର୍ଦ୍ଦେଶ ସହ ଜଡ଼ିତ। ମୋଦୀଙ୍କ ଶିକ୍ଷାଗତ ଯୋଗ୍ୟତା ସମ୍ପର୍କିତ ତଥ୍ୟ ଗୁଜରାଟ ୟୁନିଭର୍ସିଟିଠାରୁ ପ୍ରକାଶ କରିବାକୁ CIC ନିର୍ଦ୍ଦେଶ ଦେଇଥିଲା। ଏହାକୁ ଗୁଜରାଟ ୟୁନିଭର୍ସିଟି ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲା।
୨୦୨୩ ମାର୍ଚ୍ଚ ୩୧ରେ ହାଇକୋର୍ଟର ଏକକ ବେଞ୍ଚ CICର ନିର୍ଦ୍ଦେଶକୁ ରଦ୍ଦ କରିବା ସହ କେଜ୍ରିୱାଲଙ୍କ ଉପରେ ୨୫ ହଜାର ଟଙ୍କା ଖର୍ଚ୍ଚ ଲଗାଇଥିଲେ। ଏହି ରାୟ ବିରୋଧରେ କେଜ୍ରିୱାଲ ଡିଭିଜନ୍ ବେଞ୍ଚରେ ଅପିଲ କରିଥିଲେ।
ସିଂଘଭିଙ୍କ ଦଲିଲ, ହାଇକୋର୍ଟରେ ଖାରଜ
କେଜ୍ରିୱାଲଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଅଭିଷେକ ମନୁ ସିଂଘଭି ଦଲିଲ ରଖିଥିଲେ। ସେ ୨୫ ହଜାର ଟଙ୍କା ଖର୍ଚ୍ଚ ଲଗାଇବାର ଆଧାରକୁ ଚ୍ୟାଲେଞ୍ଜ କରିଥିଲେ ଏବଂ CIC ନିଜଆଡ଼ୁ ପ୍ରକ୍ରିୟା ଆରମ୍ଭ କରିଥିବା ଯୁକ୍ତି ଦେଇଥିଲେ। ତେବେ ଡିଭିଜନ୍ ବେଞ୍ଚ ଏହି ଯୁକ୍ତି ଆଧାରରେ ପୂର୍ବ ରାୟରେ ହସ୍ତକ୍ଷେପର କୌଣସି ଆଧାର ପାଇନଥିଲେ।
ଫଳରେ, ମାର୍ଚ୍ଚ ୨୦୨୩ର ରାୟ ବଳବତ୍ତର ରହିବା ସହ କେଜ୍ରିୱାଲଙ୍କ ଉପରେ ଥିବା ୨୫ ହଜାର ଟଙ୍କାର ଖର୍ଚ୍ଚ ମଧ୍ୟ ଜାରି ରହିଛି।
