Spread the love

 

ପୁରୀ ଜିଲ୍ଲା ଅସ୍ତରଙ୍ଗ (ନୂଆଗଡ଼)ରେ ମତ୍ସ୍ୟ ବନ୍ଦର ପର୍ଯ୍ୟାୟ-II ନିର୍ମାଣ ପାଇଁ ଆର୍ଥିକ ବିଡ୍‌ର ଅନୁମୋଦନ

୧. ମନ୍ତ୍ରୀମଣ୍ଡଳର ଅନୁମୋଦନ ଓ ପ୍ରକଳ୍ପ ରୂପାୟନ: ରାଜ୍ୟ ମନ୍ତ୍ରୀମଣ୍ଡଳ ପୁରୀ ଜିଲ୍ଲା ଅସ୍ତରଙ୍ଗ (ନୂଆଗଡ଼)ରେ ମତ୍ସ୍ୟ ବନ୍ଦର ପର୍ଯ୍ୟାୟ-II ନିର୍ମାଣ ପାଇଁ ଆର୍ଥିକ ବିଡ୍‌କୁ ଅନୁମୋଦନ ପ୍ରଦାନ କରିଛନ୍ତି। ଏହା ଆଧୁନିକ ମତ୍ସ୍ୟ ଭିତ୍ତିଭୂମିକୁ ସୁଦୃଢ଼ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ଏକ ସ୍ଥାୟୀ ତଥା ଉଚ୍ଚ-ମୂଲ୍ୟବିଶିଷ୍ଟ ମତ୍ସ୍ୟ କ୍ଷେତ୍ର ଗଠନ ପାଇଁ ରାଜ୍ୟର ଦୀର୍ଘକାଳୀନ ଦୃଷ୍ଟିକୋଣକୁ ଏହି ପ୍ରକଳ୍ପ ସମର୍ଥନ କରେ।

  • ଏହାର ନିର୍ମାଣ ଖର୍ଚ୍ଚ (ଜିଏସଟି ବ୍ୟତୀତ) ₹୧୩୩.୮୧ କୋଟି।
  • ପ୍ରକଳ୍ପ ପରିଚାଳନା ପରାମର୍ଶଦାତା (PMC) ଭାବେ ଆଇଆଇଟି ମାଡ୍ରାସର ବୈଷୟିକ ସହାୟତାରେ ୨୪ ମାସ ମଧ୍ୟରେ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ କରିବାକୁ ଲକ୍ଷ୍ୟ ରଖାଯାଇଛି।

୨. କ୍ଷମତା, ଆର୍ଥିକ ଲାଭ ଓ ମତ୍ସ୍ୟଜୀବୀଙ୍କ ଜୀବିକା: ଏହି ବନ୍ଦରରେ ଅବତରଣ ଓ ବର୍ଥିଂ ସ୍ଥାନ, ଆଇଡଲ୍ କ୍ୱେ (idle quay), ନିଲାମ ହଲ୍, ଜାଲ ମରାମତି ଶେଡ୍, ସରଞ୍ଜାମ ଶେଡ୍, ମାର୍କେଟ କମ୍ପ୍ଲେକ୍ସ, ସ୍ଲିପୱେ ଓ ଡଙ୍ଗା ମରାମତି ଭଳି ସମନ୍ୱିତ ସୁବିଧା ଉପଲବ୍ଧ ହେବ। ୨୪ ଘଣ୍ଟିଆ ଜଳ ଏବଂ ବିଦ୍ୟୁତ୍ ଯୋଗାଣ ସ୍ୱଚ୍ଛ ଓ ସ୍ୱାସ୍ଥ୍ୟସମ୍ମତ ମାଛ ପରିଚାଳନାରେ ସହାୟକ ହେବା ସହ କାର୍ଯ୍ୟଦକ୍ଷତା ବୃଦ୍ଧି କରିବ ଏବଂ ସମଗ୍ର ମାଛ ବିପଣନ ଶୃଙ୍ଖଳାକୁ ସୁଦୃଢ଼ କରିବ।

ନିର୍ମାଣ ଶେଷ ହେବା ପରେ ଏହି ବନ୍ଦର:

  • ୧,୯୬୦ଟି ଯନ୍ତ୍ରଚାଳିତ ମାଛଧରା ଡଙ୍ଗା/ଜାହାଜ ପାଇଁ ନିରାପଦ ଅବତରଣ ଓ ବର୍ଥିଂ ସୁବିଧା ଯୋଗାଇବ।
  • ବାର୍ଷିକ ପ୍ରାୟ ୫୫,୮୭୬ ମେଟ୍ରିକ ଟନ୍ ମାଛ ପରିଚାଳନା କରିପାରିବ, ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ₹୪୯୬.୩୬ କୋଟି ହେବ।
  • ପ୍ରାୟ ୩୫,୦୦୦ ମତ୍ସ୍ୟଜୀବୀ ଓ ଅନ୍ୟାନ୍ୟ ହିତାଧିକାରୀ ଏହାଦ୍ୱାରା ପ୍ରତ୍ୟକ୍ଷ ତଥା ପରୋକ୍ଷ ଭାବେ ଉପକୃତ ହେବେ।

୩. ଅମଳୋତ୍ତର କ୍ଷତି ହ୍ରାସ ଓ ସାମୁଦ୍ରିକ ସୁରକ୍ଷା: ବନ୍ଦରର ସୁବିଧା ଆରମ୍ଭ ହେବା ଦ୍ୱାରା:

  • ମାଛର ଅମଳୋତ୍ତର (post-harvest) କ୍ଷତି ପ୍ରାୟ ୨୦% ରୁ ୭%କୁ ହ୍ରାସ ପାଇବ।
  • ଉନ୍ନତ ଅବତରଣ, ପରିଚାଳନା, ନିଲାମ, ସଂରକ୍ଷଣ ତଥା ବଜାର-ସଂଯୋଗୀକରଣ ଭିତ୍ତିଭୂମି ମାଧ୍ୟମରେ ମତ୍ସ୍ୟଜୀବୀମାନେ ସେମାନଙ୍କ ଉତ୍ପାଦର ଉପଯୁକ୍ତ ମୂଲ୍ୟ ପାଇପାରିବେ।
  • ଉପଭୋକ୍ତା ତଥା ବଜାରରେ ପହଞ୍ଚୁଥିବା ମାଛର ଗୁଣବତ୍ତା ଏବଂ ସଂରକ୍ଷଣ ଅବଧି (ଶେଲ୍ଫ ଲାଇଫ୍) ବୃଦ୍ଧି ପାଇବ।
  • କୋଷ୍ଟ ଗାର୍ଡ ଏବଂ ମେରାଇନ୍ ପୋଲିସ ଜାହାଜ ପାଇଁ ସୁରକ୍ଷିତ ବର୍ଥିଂ ସୁବିଧା ଯୋଗାଇ ସାମୁଦ୍ରିକ ସୁରକ୍ଷା ତଥା ଉପକୂଳ ନିରାପତ୍ତାକୁ ମଜବୁତ କରିବ।
  • ବାତ୍ୟା ଓ ଅନ୍ୟାନ୍ୟ ପ୍ରତିକୂଳ ପାଗ ସମୟରେ ମାଛଧରା ଡଙ୍ଗାଗୁଡ଼ିକ ଏଠାରେ ସୁରକ୍ଷିତ ଆଶ୍ରୟ ପାଇପାରିବେ।

୪. ଗଭୀର ସମୁଦ୍ର ମତ୍ସ୍ୟ ମିଶନ ଓ ଭିଜନ ୨୦୩୬-୪୭କୁ ସହାୟତା:

  • ଅସ୍ତରଙ୍ଗ ମତ୍ସ୍ୟ ବନ୍ଦର ସାମୁଦ୍ରିକ ମାଛର ସୁରକ୍ଷିତ ଅବତରଣ, ପରିଚାଳନା, ଏକତ୍ରୀକରଣ ଓ ବିପଣନ ପାଇଁ ଆଧୁନିକ ଉପକୂଳ ଭିତ୍ତିଭୂମି ଯୋଗାଇ ରାଜ୍ୟର ‘ଗଭୀର ସମୁଦ୍ର ମତ୍ସ୍ୟ ମିଶନ’କୁ ସୁଦୃଢ଼ କରିବ।
  • ଏହି ପ୍ରକଳ୍ପ ମାଛଧରା କାର୍ଯ୍ୟ ଏବଂ ସ୍ଥଳଭାଗର ଅମଳୋତ୍ତର ତଥା ବିପଣନ ଭିତ୍ତିଭୂମି ମଧ୍ୟରେ ଉତ୍ତମ ସମନ୍ୱୟ ସ୍ଥାପନ କରିବ।
  • ଓଡ଼ିଶାର ମତ୍ସ୍ୟ କ୍ଷେତ୍ରକୁ ଏକ ଆଧୁନିକ, ଉତ୍ପାଦନକ୍ଷମ, ସ୍ଥାୟୀ ଏବଂ ରପ୍ତାନି-ଭିତ୍ତିକ ‘ବ୍ଲୁ ଇକୋନୋମି’ (Blue Economy)ରେ ପରିଣତ କରିବାର ‘ଭିଜନ ୨୦୩୬-୪୭’ ସହିତ ଏହା ସମ୍ପୂର୍ଣ୍ଣ ସୁସଙ୍ଗତ।
  • ଏହି ଉନ୍ନତ ଭିତ୍ତିଭୂମି ଦ୍ୱାରା ମତ୍ସ୍ୟଜୀବୀ, ମତ୍ସ୍ୟଚାଷୀ, ମତ୍ସ୍ୟ ଶ୍ରମିକ ଓ ଅନ୍ୟାନ୍ୟ ହିତାଧିକାରୀଙ୍କ ଜୀବିକା, ରୋଜଗାର, ନିଯୁକ୍ତି ଏବଂ ସାମାଜିକ-ଆର୍ଥିକ ସ୍ଥିତିରେ ବ୍ୟାପକ ଉନ୍ନତି ଆସିବ।
  • ମତ୍ସ୍ୟ ଭିତ୍ତିଭୂମି ତଥା ବଜାର ସଂଯୋଗକୁ ସୁଦୃଢ଼ କରି ଏହି ପ୍ରକଳ୍ପ ଉପକୂଳ ଅଞ୍ଚଳର ସାମଗ୍ରିକ ବିକାଶରେ ପ୍ରମୁଖ ଭୂମିକା ଗ୍ରହଣ କରିବ।

Leave a Reply

Your email address will not be published. Required fields are marked *