Spread the love

ରାଉରକେଲା: ପୁରୁଷ ହକି ଇଣ୍ଡିଆ ଲିଗ ଷଷ୍ଠ ସଂସ୍କରଣ ୨୦୨୪-୨୫ର ଚାମ୍ପିୟନ ଆଖ୍ୟା ଅର୍ଜନ କରିଛି ଶ୍ରାଚୀ ରା’ବେଙ୍ଗଲ ଟାଇଗର୍ସ । ଶନିବାର ରାଉରକେଲା ବିର୍ସା ମୁଣ୍ଡା ଷ୍ଟାଡିୟମରେ ଫାଇନାଲ ମ୍ୟାଚ ଖେଳାଯାଇଥିଲା । ଏହି ଫାଇନାଲ ଫାଇଟରେ ହାଇଦ୍ରାବାଦ ତୁଫାନ୍ସକୁ ୪-୩ ଗୋଲରେ ପରାସ୍ତ କରି ବେଙ୍ଗଲ ଟାଇଗର୍ସ ଟ୍ରଫି ନିଜ ନାଁରେ କରି ସ୍ବର୍ଣ୍ଣ ପଦକ ଜିତିଛି ।

ସେହିପରି ହାଇଦ୍ରାବାଦ ତୁଫାନ୍ସ ରନର୍ସଅପ ହୋଇ ରୌପ ପଦକ ହାସଲ କରିଛି ।ଶନିବାର ଅପରାହ୍ନ ୫ଟା୪୫ରେ ୩ୟ ସ୍ଥାନ ପାଇଁ ଖେଳାଯାଇଥିଲା । ଏହି ମ୍ୟାଚରେ ସୁରମା ହକି କ୍ଲବ ୩-୨ଗୋଲରେ ଅମିତ ରୋହିଦାସଙ୍କ ଦଳ ତାମିଲନାଡ଼ୁ ଡ୍ରାଗନ୍ସ ପରାସ୍ତ କରି ବ୍ରୋଞ୍ଚ ପଦକ ହାସଲ କରିଛି ।ରାତି ୮ଟା୧୫ ମିନିଟରେ ଫାଇନାଲ ମ୍ୟାଚ ଖେଳାଯାଇଥିଲା । ବେଶ୍ ରୋମାଞ୍ଚକର ଫାଇନାଲ ମ୍ୟାଚ ରହିଥିଲା । ପ୍ରଥମ କ୍ବାର୍ଟରର ନବମ ମିନିଟ୍ ରେ ଗୋଞ୍ଜାଲୋ ପିଲାଟ ହାଇଦ୍ରାବାଦ ତୁଫାନ୍ସ ପକ୍ଷରୁ ଗୋଲ୍ କରି ୧-୦ରେ ଅଗ୍ରଣୀ ହାସଲ କରିଥିଲେ। ଏହାପରେ ମ୍ୟାଚର ଦ୍ବିତୀୟ କ୍ବାର୍ଟରରେ ବେଙ୍ଗଲ ପକ୍ଷରୁ ୨୫ ମିନିଟରେ ଯୁଗରାଜ ଗୋଟିଏ ଗୋଲ କରି ଗୋଲ ବରାବାର କରିଥିଲେ। ବିପକ୍ଷ ଦଳ ତୁଫାନ୍ସ ପକ୍ଷରୁ ୨୬ ମିନିଟ୍ ରେ ହିଁ ଅମନଦୀପ ଆଉ ଏକ ଗୋଲ କରିଥିଲେ । ଫଳରେ ଦ୍ବିତୀୟ କ୍ବାର୍ଟର ସୁଦ୍ଧା ହାଇଦ୍ରାବାଦ ୨-୧ରେ ଆଗୁଆ ରହିଥିଲା।ତୃତୀୟ କ୍ବାର୍ଟରରେ ବେଙ୍ଗଲ ପକ୍ଷରୁ ଯୁଗରାଜ ସିଂ ୨ଟି ଗୋଲ୍ କରିଥିବାବେଳେ ତୁଫାନ୍ସ ପକ୍ଷରୁ ଗୋଞ୍ଜାଲୋ ଏକ ଗୋଲ୍ କରି ଗୋଲ୍ ବରାବର କରିଥିଲେ । ଚତୁର୍ଥ କ୍ବାର୍ଟରରେ ମ୍ୟାଚ ଡ୍ର ଆଡକୁ ଯାଉଥିବା ବେଳେ, ୫୪ ମିନିଟରେ ବେଙ୍ଗଲ ପକ୍ଷରୁ ସାମ ଲେନ ନିର୍ଣ୍ଣାୟକ ଗୋଲ କରି ଫାଇନାଲ ଫାଇଟ୍ ରେ ବିଜୟ ହାସଲ କରିଛନ୍ତି ।

ଫାଇନାଲ ମ୍ୟାଚ ଦେଖିବାକୁ ରାଉରକେଲା ବିର୍ସା ମୁଣ୍ଡା ଷ୍ଟାଡିୟମରେ ପ୍ରବଳ ଭିଡ ଜମିଥିଲା । ଫାଇନାଲ ମ୍ୟାଚ ପୂର୍ବରୁ ସନ୍ଧ୍ୟାରେ ବଲିଉଡ ଅଭିନେତ୍ରୀ ସାରା ଅଲୀ ଖାନ ନୃତ୍ୟ ପରିବେଷଣ କରିଥିଲେ।

Leave a Reply

Your email address will not be published. Required fields are marked *