ପ୍ରକୃତି, ସଂସ୍କୃତି ଓ ଦୁଃସାହସିକ ପର୍ଯ୍ୟଟନର ସମନ୍ୱୟରେ ହୀରାକୁଦକୁ ଏକ ସ୍ଥାୟୀ ପର୍ଯ୍ୟଟନ ଲକ୍ଷ୍ୟସ୍ଥଳ ଭାବେ ବିକଶିତ କରିବା ଲକ୍ଷ୍ୟ – ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଗର୍ଗ
- ହୀରାକୁଦ ଅଞ୍ଚଳରେ ପର୍ଯ୍ୟଟନ ଭିତ୍ତିଭୂମିର ସମନ୍ୱିତ ବିକାଶ ସଂପର୍କରେ ବୈଠକ
- ମୁଖ୍ୟ ଶାସନ ସଚିବଙ୍କ ସ୍ଥିତି ଅନୁଧ୍ୟାନ ସହ କାର୍ଯ୍ୟ ଅଗ୍ରଗତି ସମୀକ୍ଷା
ଭୁବନେଶ୍ୱର, ୧୭/୧୧/୨୦୨୬
ହୀରାକୁଦ ଅଞ୍ଚଳକୁ ଏକ ପ୍ରମୁଖ ଜାତୀୟ ଓ ଆନ୍ତର୍ଜାତୀୟ ପର୍ଯ୍ୟଟନ ଗନ୍ତବ୍ୟସ୍ଥଳ ଭାବେ ବିକଶିତ କରିବା ଲକ୍ଷ୍ୟରେ ଲୋକସେବା ଭବନଠାରେ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଏଥି ନିମନ୍ତେ ଗଠିତ ମାର୍ଗଦର୍ଶକ କମିଟି (ଷ୍ଟିଅରିଂ କମିଟି) ବୈଠକ ଅନୁଷ୍ଠିତ ହୋଇଯାଇଛି। ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ବୈଠକରେ ହୀରାକୁଦ ଅଞ୍ଚଳର ସମନ୍ୱିତ ପର୍ଯ୍ୟଟନ ବିକାଶ ପାଇଁ ପ୍ରସ୍ତୁତ ମାଷ୍ଟର ପ୍ଲାନ୍ ସହ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ ଓ କେନ୍ଦ୍ରୀୟ ସଂସ୍ଥା ଦ୍ୱାରା ରୂପାୟିତ ହେଉଥିବା ବିଭିନ୍ନ ପ୍ରକଳ୍ପଗୁଡ଼ିକର ଅଗ୍ରଗତି ସମୀକ୍ଷା କରାଯାଇଥିଲା।
ରାଜ୍ୟ ପୂର୍ତ୍ତ ବିଭାଗ ଅନ୍ତର୍ଗତ ଓଡ଼ିଶା ସେତୁ ଓ ନିର୍ମାଣ ନିଗମ, ରାଜ୍ୟ ଜଳ ସମ୍ପଦ ବିଭାଗ, ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ, ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ, ଏନଟିପିସି, ଭାରତୀୟ ଅନ୍ତର୍ଦେଶୀୟ ଜଳପଥ ପ୍ରାଧିକରଣ (ଆଇଡବ୍ଲୁଏଆଇ) ଆଦିଙ୍କ ସମନ୍ୱିତ ପ୍ରୟାସରେ ହୀରାକୁଦ ଅଞ୍ଚଳରେ ପର୍ଯ୍ୟଟନ ଭିତ୍ତିଭୂମିକୁ ସୁଦୃଢ଼ ଓ ଆକର୍ଷଣୀୟ କରିବା ପାଇଁ ବିଭିନ୍ନ ପ୍ରକଳ୍ପ କାର୍ଯ୍ୟକାରୀ କରାଯାଉଛି। ଏ ସଂପର୍କରେ କାର୍ଯ୍ୟ ଆରମ୍ଭ ସ୍ଥିତି, ବାକି ରହିଥିବା ଟେଣ୍ଡର ପ୍ରକ୍ରିୟା ସଂପର୍କରେ ବୈଠକରେ ସମୀକ୍ଷା କରାଯାଇଥିଲା।
ମୁଖ୍ୟ ଶାସନ ସଚିବ ଏହି ଅବସରରେ କହିଥିଲେ ଯେ, ହୀରାକୁଦ ରାଜ୍ୟର ଅନ୍ୟତମ ଶ୍ରେଷ୍ଠ ପର୍ଯ୍ୟଟନ ଲକ୍ଷ୍ୟସ୍ଥଳ ହେବାକୁ ଯାଉଛି। ହୀରାକୁଦ ଅଞ୍ଚଳର ସମସ୍ତ ପ୍ରକଳ୍ପର ସମନ୍ୱିତ କାର୍ଯ୍ୟାନ୍ୱୟନ ମାଧ୍ୟମରେ ପର୍ଯ୍ୟଟନ ଭିତ୍ତିଭୂମିର ବିକାଶ, ଆଞ୍ଚଳିକ ଯୋଗାଯୋଗର ସୁଦୃଢ଼ୀକରଣ, ସ୍ଥାନୀୟ କଳା ଓ ସଂସ୍କୃତିର ପ୍ରୋତ୍ସାହନ, ନିବେଶ ବୃଦ୍ଧି ଏବଂ ନିଯୁକ୍ତି ଓ ଜୀବିକାର ନୂତନ ସୁଯୋଗ ସୃଷ୍ଟି ହେବାର ଆଶା ରହିଛି। ଏହା ଓଡ଼ିଶାକୁ ଜାତୀୟ ଓ ଆନ୍ତର୍ଜାତୀୟ ପର୍ଯ୍ୟଟନ ମାନଚିତ୍ରରେ ଏକ ସ୍ୱତନ୍ତ୍ର ପରିଚୟ ଦେବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ଏଥିପାଇଁ ପ୍ରତ୍ୟେକ କାର୍ଯ୍ୟରେ ଗୁଣାତ୍ମକତା ବଜାୟ ରଖିବା ସହ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ପ୍ରକଳ୍ପ କାର୍ଯ୍ୟ ସଂପୂର୍ଣ୍ଣ କରିବାକୁ ସେ ନିର୍ମାଣକାରୀ ବିଭାଗ ଓ ସଂସ୍ଥାମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସବୁ କାମକୁ ଭଲ ଭାବେ ଏବଂ ଆକର୍ଷଣୀୟ ଭାବେ ସାରିବା ସହ ପ୍ରକଳ୍ପଗୁଡ଼ିକରେ ପାରିପାର୍ଶ୍ୱିକ ସୌନ୍ଦର୍ଯ୍ୟକରଣକୁ ମଧ୍ୟ ସେ ଗୁରୁତ୍ୱ ଦେଇଛନ୍ତି।
ବୈଠକରେ ରାଜ୍ୟ ପର୍ଯ୍ୟଟନ ବିଭାଗ କମିଶନର ତଥା ଶାସନ ସଚିବ ଶ୍ରୀ ବଲୱନ୍ତ ସିଂ ଯୋଗ ଦେଇ ବିଭିନ୍ନ ପ୍ରକଳ୍ପର କାର୍ଯ୍ୟାରମ୍ଭ ଓ ଆଗାମୀ ପଦକ୍ଷେପ ସଂପର୍କରେ ସ୍ଥିତି ଓ ପ୍ରସ୍ତାବ ଉପସ୍ଥାପନ କରିଥିଲେ। ସେ କହିଥିଲେ ଯେ, ଓଡ଼ିଶାକୁ ଏକ ଆକର୍ଷଣୀୟ ପର୍ଯ୍ୟଟନ ଓ ନିବେଶର ଗନ୍ତବ୍ୟସ୍ଥଳୀ ଭାବେ ପ୍ରତିଷ୍ଠିତ କରିବା ପାଇଁ ପ୍ରୟାସ ରହିଛି, ଯାହା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିବ, ନୂତନ ଅନୁଭବର ସୁଯୋଗ ଦେବ ଏବଂ ନିବେଶ ପାଇଁ ପ୍ରେରିତ କରିବ। ସ୍ଥାନୀୟ ପର୍ଯ୍ୟଟନ ଅନୁଭୂତିକୁ ସୁଦୃଢ଼ କରିବା ପାଇଁ ବିଭିନ୍ନ ବିଭାଗ ଓ ସଂସ୍ଥାମାନଙ୍କର ସମ୍ମିଳିତ ନେତୃତ୍ୱାଧୀନ ଫଳରେ ସ୍ଥାୟୀ ପର୍ଯ୍ୟଟନର ବିକାଶ ସଂପର୍କରେ ସେ ଆଲୋଚନା କରିଥିଲେ।
ହୀରାକୁଦ ଜଳଭଣ୍ଡାର ଓ ଏହାର ପ୍ରସ୍ତାବିତ କର୍ତ୍ତୃପକ୍ଷ କ୍ଷେତ୍ରକୁ ପ୍ରକୃତି, ସଂସ୍କୃତି ଓ ସାହସିକ ପର୍ଯ୍ୟଟନର ଏକ ଆକର୍ଷଣୀୟ କେନ୍ଦ୍ର ଭାବେ ଗଢ଼ିତୋଳିବା ପାଇଁ ହୋଟେଲ୍, ଟେଣ୍ଟ ସିଟି, କ୍ରୁଜ୍ ହବ୍, ଜଳକ୍ରୀଡ଼ା, ଆଡଭେଞ୍ଚର୍ ଟୁରିଜିମ୍, ଇକୋ-ଟୁରିଜିମ୍, ସାଂସ୍କୃତିକ ଐତିହ୍ୟସ୍ଥଳୀ ଏବଂ ଆଧୁନିକ ପର୍ଯ୍ୟଟକ ସୁବିଧାର ବିକାଶ ଉପରେ ଆଲୋଚନା ହୋଇଥିଲା। ପ୍ରସ୍ତାବିତ ଆରାଇଭାଲ୍ ପ୍ଲାଜା ଓ ଡ୍ୟାମ୍ ମ୍ୟୁଜିୟମ୍, ଲାଇଟ୍ ଆଣ୍ଡ୍ ଲେଜର୍ ସିମ୍ଫୋନି, ୱାଟର୍ ଆଣ୍ଡ୍ ଲାଇଟ୍ ସିମ୍ଫୋନି ଏବଂ ମହାନଦୀ ୱାଟରଫ୍ରଣ୍ଟ ଡେଭଲପମେଣ୍ଟ ପ୍ରକଳ୍ପର ଅଗ୍ରଗତି ସମୀକ୍ଷା କରାଯାଇଥିଲା। ଏଥି ସହିତ ସମଲେଶ୍ୱରୀ ମନ୍ଦିରର ଦ୍ୱିତୀୟ ପର୍ଯ୍ୟାୟ ବିକାଶ, ହୁମା ମନ୍ଦିର ଓ ଘଣ୍ଟେଶ୍ୱରୀ ମନ୍ଦିରର ବିକାଶ, ପାୱାର ଚ୍ୟାନେଲ୍ ୱାଟରଫ୍ରଣ୍ଟ ପ୍ରୋମେନାଡ୍, ମହାନଦୀ ଆଇକନିକ୍ ବ୍ରିଜ୍ ଏବଂ ମହାନଦୀ ଦ୍ୱୀପ ପ୍ରକୃତି ଉଦ୍ୟାନ ଓ ପ୍ରୋମେନାଡ୍ ଆଦି ପ୍ରକଳ୍ପର ସ୍ଥିତି ଉପସ୍ଥାପନ କରାଯାଇଥିଲା।
ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ ଦେବ୍ରିଗଡ଼ ଅଭୟାରଣ୍ୟର ବିକାଶ, ବିକ୍ରମଖୋଲ ଓ ଭୀମମଣ୍ଡଳୀର ପ୍ରାଗୈତିହାସିକ ଶୈଳାଶ୍ରୟର ସଂରକ୍ଷଣ ଓ ବିକାଶ, ରାମ୍ପେଲା ପବ୍ଲିକ୍ ରିକ୍ରିଏସନ୍ ପ୍ଲାଜା ଏବଂ ବୁଢ଼ାରଜା ପାହାଡ଼ ସଂରକ୍ଷଣ ପ୍ରକଳ୍ପ ସମ୍ପର୍କରେ ଆଲୋଚନା ହୋଇଥିଲା। ଦେବ୍ରିଗଡ଼ରେ ଇକୋ-ଟୁରିଜିମ୍ ସେଲ୍, ହୋମ୍ଷ୍ଟେ, ଲଗ୍ ହାଉସ୍, ନେଚର୍ ମେଡିଟେସନ୍ କ୍ୟାମ୍ପ, ସଫାରି ଯାନ, କ୍ରୁଜ୍ ବୋଟ୍ ଓ କ୍ୟାନୋପି ୱାକ୍ ଭଳି ସୁବିଧାର ବିକାଶ ଉପରେ ଗୁରୁତ୍ୱ ଦିଆଯାଇଥିଲା। ଜମାଦାରପାଲି ଏୟାରଷ୍ଟ୍ରିପ୍ର ସମ୍ପ୍ରସାରଣ କରି ବିକଶିତ କରିବା ପ୍ରସ୍ତାବ ସମୀକ୍ଷା କରାଯାଇଥିଲା। ଏଥି ସହିତ ହୀରାକୁଦ ଓ ବୁର୍ଲା ରିଙ୍ଗ୍ ରୋଡ୍, ଝାରସୁଗୁଡ଼ା ବାଇପାସ୍, ମହାନଦୀ ଆଇକନିକ୍ ବ୍ରିଜ୍, ବୁର୍ଲା ଓ ଏମସିଏଲ୍ ଛକରେ ଗ୍ରେଡ୍ ସେପାରେଟେଡ୍ ଷ୍ଟ୍ରକ୍ଚର୍ ଏବଂ ଅନ୍ୟାନ୍ୟ ଜାତୀୟ ରାଜପଥ ପ୍ରକଳ୍ପର କାର୍ଯ୍ୟକାରିତା ନେଇ ସ୍ଥିତି ଉପସ୍ଥାପନ କରାଯାଇଥିଲା।
ସାଗରମାଳା ଯୋଜନା ଓ ଇନଲ୍ୟାଣ୍ଡ୍ ୱାଟରୱେଜ୍ ଅଥରିଟି ଅଫ୍ ଇଣ୍ଡିଆ ସହଯୋଗରେ ହୀରାକୁଦ ଜଳଭଣ୍ଡାର ଠାରେ ପର୍ଯ୍ୟଟନ ପାଇଁ ନାଭିଗେସନ୍ ରୁଟ୍ ଓ ଟର୍ମିନାଲ୍ ବିକାଶ ଯୋଜନା ସମୀକ୍ଷା କରାଯାଇଥିଲା। ସମ୍ବଲପୁରର କାଇଁସର ସ୍କୋୟାର, ଝାରସୁଗୁଡ଼ାର ରାମ୍ପାଲୁଙ୍ଗା ଏବଂ ବରଗଡ଼ ଜିଲ୍ଲାରେ ଚାରୋଟି ସମ୍ଭାବ୍ୟ ସ୍ଥାନ ମଧ୍ୟରୁ ଗୋଟିଏ ସ୍ଥାନ ଚୟନ କରି କ୍ରୁଜ୍ ଟର୍ମିନାଲ୍ ବିକାଶ କରିବାର ଯୋଜନା ରହିଛି। ପ୍ରକଳ୍ପଗୁଡ଼ିକର ଅଧ୍ୟୟନ, ଡିପିଆର୍ ପ୍ରସ୍ତୁତି ଓ କାର୍ଯ୍ୟାନ୍ୱୟନ ପାଇଁ ସମୟସୀମା ଉପସ୍ଥାପନ କରାଯାଇଥିଲା।
ମହାନଦୀ କୋଲ୍ଫିଲ୍ଡସ୍ ଲିମିଟେଡ୍ (ଏମ୍ସିଏଲ୍) ପକ୍ଷରୁ ମାଇନ୍ ମ୍ୟୁଜିୟମ୍, ଅଣ୍ଡରଗ୍ରାଉଣ୍ଡ ମାଇନ୍ ଏକ୍ସପିରିଏନ୍ସ ସେଣ୍ଟର୍ ଓ ଇକୋ ପାର୍କ ବିକାଶ ପ୍ରକଳ୍ପର ଉପସ୍ଥାପନା କରାଯାଇଥିଲା। ଏଥିରେ ଖଣି ଇତିହାସ, ଭୂତତ୍ତ୍ୱ, ଖଣି ପ୍ରଯୁକ୍ତିବିଦ୍ୟା, ଭର୍ଚୁଆଲ୍ ରିଅଲିଟି ଏବଂ ଅଣ୍ଡରଗ୍ରାଉଣ୍ଡ ମାଇନ୍ ଅନୁଭୂତି ଭଳି ଆକର୍ଷଣ ରହିବ। ଏଥିସହ ରୋପ୍ୱେ ଓ ଜିପ୍ଲାଇନ୍ ବିକାଶ ଏବଂ ପାୱାର ଚ୍ୟାନେଲ୍ ପ୍ରୋମେନାଡ୍ ପ୍ରକଳ୍ପ ସଂପର୍କରେ ମଧ୍ୟ ଆଲୋଚନା ହୋଇଥିଲା। ଏନଟିପିସି ପକ୍ଷରୁ ଏନର୍ଜି ଏକ୍ସପିରିଏନ୍ସ ସେଣ୍ଟର୍ ସମ୍ପର୍କରେ ଉପସ୍ଥାପନା କରାଯାଇଥିଲା। ଏଥିରେ ଶକ୍ତି ଉତ୍ପାଦନ, ନବୀକରଣଯୋଗ୍ୟ ଶକ୍ତି, ଭର୍ଚୁଆଲ୍ ରିଅଲିଟି, ଇନୋଭେସନ୍ ପ୍ଲାଜା ଓ ଶକ୍ତି ପ୍ରଯୁକ୍ତିବିଦ୍ୟା ସମ୍ପର୍କିତ ଶିକ୍ଷଣୀୟ ସୁବିଧା ରହିବ। ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ ପକ୍ଷରୁ କର୍ଡୋଲା ଓ ସିଙ୍ଗପାଲିରେ ବୁଣାକାର ଗ୍ରାମ, ଜବାହର ଉଦ୍ୟାନ, ଫ୍ଲୋଟେଲ୍ସ ଓ ଟେଣ୍ଟ ସିଟି ଭଳି ପ୍ରକଳ୍ପର ଅଗ୍ରଗତି ସମୀକ୍ଷା କରାଯାଇଥିଲା। ଏହା ମାଧ୍ୟମରେ ସ୍ଥାନୀୟ ହସ୍ତଶିଳ୍ପ, ବୁଣାକାର ପରମ୍ପରା ଓ ଜୀବିକାକୁ ପ୍ରୋତ୍ସାହନ ଦେବା ଲକ୍ଷ୍ୟ ରହିଛି।
ହୀରାକୁଦ ଅଞ୍ଚଳର ସମନ୍ୱିତ ଯୋଜନା, ପରିଚାଳନା ଓ ପର୍ଯ୍ୟଟନ ବିକାଶ ପାଇଁ ହୀରାକୁଦ ଡେଭଲପମେଣ୍ଟ ଅଥରିଟି ଗଠନ ସମ୍ପର୍କରେ ମଧ୍ୟ ବିସ୍ତୃତ ଆଲୋଚନା ହୋଇଥିଲା। ପ୍ରସ୍ତାବିତ ଅଥରିଟିରେ ପ୍ରଶାସନିକ ପରିଚାଳନା, ଯୋଜନା ଓ ନିୟାମକ କ୍ଷମତା, ପର୍ଯ୍ୟଟନ ବିକାଶ, ନାଗରିକ ଭିତ୍ତିଭୂମି, ସୁରକ୍ଷା ଓ ନିୟମ ପ୍ରବର୍ତ୍ତନ ଏବଂ ବିଭିନ୍ନ ଅଂଶୀଦାରଙ୍କ ସହଯୋଗ ଭଳି ପ୍ରମୁଖ ଦିଗ ସ୍ଥାନ ପାଇଛି। ହୀରାକୁଦର ପର୍ଯ୍ୟଟନ ଓ ଭିତ୍ତିଭୂମି ବିକାଶକୁ ତ୍ୱରାନ୍ୱିତ କରିବା ପାଇଁ ଶକ୍ତି ମନ୍ତ୍ରଣାଳୟ, କୋଇଲା ମନ୍ତ୍ରଣାଳୟ, ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ, ସଂସ୍କୃତି ମନ୍ତ୍ରଣାଳୟ, ବନ୍ଦର, ଜାହାଜ ଚଳାଚଳ ଓ ଜଳପଥ ମନ୍ତ୍ରଣାଳୟ, ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ, ଜଳଶକ୍ତି ମନ୍ତ୍ରଣାଳୟ ଏବଂ ପର୍ଯ୍ୟଟନ ମନ୍ତ୍ରଣାଳୟର ସହଯୋଗ ଲୋଡ଼ିବା ନେଇ ଆଲୋଚନା ହୋଇଥିଲା।
ବୈଠକରେ ରାଜ୍ୟ ସରକାରଙ୍କ ଅର୍ଥ, ଜଳ ସଂପଦ, ବାଣିଜ୍ୟ ଓ ପରିବହନ, ଷ୍ଟେଟ୍ ଇନଷ୍ଟିଚ୍ୟୁଟ୍ ଫର୍ ଟ୍ରାନ୍ସଫର୍ମେଟିଭ୍ ଇନିସିଏଟିଭ୍ସର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ସଚିବ, ଓବିସିସିର ପରିଚାଳନା ନିର୍ଦ୍ଦେଶକଙ୍କ ସମେତ ସଂପୃକ୍ତ ବିଭିନ୍ନ ବିଭାଗ ଏବଂ ସଂସ୍ଥାର ଉଚ୍ଚ ପଦାଧିକାରୀମାନେ ଯୋଗଦେଇ ଆଲୋଚନା କରିଥିଲେ। ଜିଲ୍ଲାପାଳ, ସମ୍ବଲପୁର ଓ ଡିଏଫଓ, ଦେବ୍ରିଗଡ଼ ବନ୍ୟପ୍ରାଣୀ ଡିଭିଜନ ଆଭାସୀ ମାଧ୍ୟମରେ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ।
