Spread the love

*ପ୍ରବଳ ବର୍ଷା ପୂର୍ବାନୁମାନକୁ ଦୃଷ୍ଟିରେ ରଖି ବନ୍ୟା ମୁକାବିଲାର ପ୍ରସ୍ତୁତି ଜୋରଦାର କରିଛି ଜଳ ସମ୍ପଦ ବିଭାଗ*

*ସମ୍ବେଦନଶୀଳ ନଦୀବନ୍ଧ ଓ ନଦୀ ଅବବାହିକା ଉପରେ ନଜରଦାରି ବୃଦ୍ଧି ପାଇଁ ପ୍ରମୁଖ ଶାସନ ସଚିବା ଶ୍ରୀମତୀ ଶୁଭା ଶର୍ମାଙ୍କ ନିର୍ଦ୍ଦେଶ*

ଭୁବନେଶ୍ୱର, ୧୬ ନଭେମ୍ବର ୨୦୨୬: ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଆଗାମୀ କିଛି ଦିନ ମଧ୍ୟରେ ଓଡ଼ିଶାର କେତେକ ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ପୂର୍ବାନୁମାନ କରାଯାଇଥିବା ପରିପ୍ରେକ୍ଷୀରେ, ଜନଜୀବନ, ଜୀବିକା ଓ ଗୁରୁତ୍ୱପୂର୍ଣ୍ଣ ଜଳ ଭିତ୍ତିଭୂମିର ସୁରକ୍ଷା ନିମନ୍ତେ ଜଳ ସମ୍ପଦ ବିଭାଗ ପକ୍ଷରୁ ବନ୍ୟା ପ୍ରସ୍ତୁତି ଓ ସତର୍କତାମୂଳକ ପଦକ୍ଷେପକୁ ଜୋରଦାର କରାଯାଇଛି। ଏହି ପରିପ୍ରେକ୍ଷୀରେ ଆଜି ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଶୁଭା ଶର୍ମାଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ବିଶେଷକରି ଦକ୍ଷିଣ ଓଡ଼ିଶାରେ ସମ୍ଭାବ୍ୟ ଅଧିକ ବର୍ଷାକୁ ଦୃଷ୍ଟିରେ ରଖି ସମସ୍ତ ଅଧିକାରୀଙ୍କୁ ସତର୍କ ରହିବା ସହ ସମୟୋଚିତ ପ୍ରତିଷେଧମୂଳକ ପଦକ୍ଷେପ ଗ୍ରହଣ ପାଇଁ କୁହାଯାଇଥିଲା।

ବୈଠକରେ ନଦୀ ଅବବାହିକା ପରିଚାଳନା, ଜଳଭଣ୍ଡାର ପରିଚାଳନା ଏବଂ ବନ୍ୟା ନିୟନ୍ତ୍ରଣ ବ୍ୟବସ୍ଥାର ସମୀକ୍ଷା କରାଯାଇଥିଲା। ଋଷିକୁଲ୍ୟା, ବାହୁଦା, ବଂଶଧାରା ଓ ତେଲେଙ୍ଗିରି ନଦୀ ପ୍ରଣାଳୀ, ଇବ୍ ଅବବାହିକା ଏବଂ ପୋଟେରୁ ଡ୍ୟାମ୍ ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଥିଲା। ସମ୍ଭାବ୍ୟ ପାଣିପାଗ ପରିସ୍ଥିତି ଓ ନଦୀଗୁଡ଼ିକରେ ଜଳପ୍ରବାହ ବୃଦ୍ଧି ଆଶଙ୍କାର ମୁକାବିଲା ପାଇଁ ଆବଶ୍ୟକ ପଦକ୍ଷେପ ସମ୍ପର୍କରେ ସର୍ବୋଚ୍ଚ ଯନ୍ତ୍ରୀ ଇଂ ଦିଲୀପ କୁମାର ରାଉତ୍ ବୈଠକକୁ ଅବଗତ କରାଇଥିଲେ। ଜଳଭଣ୍ଡାରର ଗେଟ୍ ଖୋଲିବା ଓ ବନ୍ଦ କରିବାର ସମୟ, ଆବଶ୍ୟକସ୍ଥଳେ ଆଗୁଆ ଓ ନିୟନ୍ତ୍ରିତ ଜଳ ନିଷ୍କାସନ ଏବଂ ବର୍ଷା ସମୟରେ ଗେଟ୍ ପରିଚାଳନା ଉପରେ ଆଲୋଚନା ହୋଇଥିଲା। ଏହାଦ୍ୱାରା ନିମ୍ନ ଅବବାହିକାରେ ବନ୍ୟା ଆଶଙ୍କାକୁ କମାଇବା ଉପରେ ଗୁରୁତ୍ୱ ଦିଆଯାଇଥିଲା। ବୈତରଣୀ ଅବବାହିକା ସମେତ ଅନ୍ୟାନ୍ୟ ନିରୀକ୍ଷଣ ଆବଶ୍ୟକ ଥିବା ଅଞ୍ଚଳରେ ମଧ୍ୟ ସତର୍କ ନଜର ରଖିବାକୁ ଅଧିକାରୀମାନଙ୍କୁ କୁହାଯାଇଥିଲା।

କ୍ଷେତ୍ରସ୍ତରୀୟ ସତର୍କତାକୁ ପ୍ରାଥମିକତା ଦେଇ ପ୍ରମୁଖ ଶାସନ ସଚିବ ସମ୍ବେଦନଶୀଳ ନଦୀବନ୍ଧ, ପୂର୍ବରୁ କ୍ଷତିଗ୍ରସ୍ତ ହୋଇଥିବା ଅଞ୍ଚଳ ଏବଂ ବନ୍ୟା ଆଶଙ୍କା ଥିବା ସ୍ଥାନଗୁଡ଼ିକୁ ଚିହ୍ନଟ କରି ନିୟମିତ ନିରୀକ୍ଷଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଆବଶ୍ୟକ ପରିମାଣର ବାଲିବସ୍ତା ଓ ଅନ୍ୟାନ୍ୟ ସୁରକ୍ଷା ସାମଗ୍ରୀ ମହଜୁଦ ରଖିବା ସହ ସମ୍ବେଦନଶୀଳ ସ୍ଥାନଗୁଡ଼ିକରେ ବିଭାଗୀୟ କର୍ମଚାରୀଙ୍କୁ ନିୟୋଜିତ କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା। ଆର୍‌ବିଭିଏନ୍‌ ଅବବାହିକାରେ ନଜରଦାରିକୁ ଅଧିକ ସୁଦୃଢ଼ କରିବା ସହ ଇବ୍ ଅବବାହିକାରେ ପ୍ରତି ଘଣ୍ଟାରେ ନିରୀକ୍ଷଣ ଏବଂ ବ୍ୟବସ୍ଥିତ ଜଳ ପରିଚାଳନା ଉପରେ ଗୁରୁତ୍ୱ ଦିଆଯାଇଥିଲା।

ସାମୂହିକ ଦାୟିତ୍ୱବୋଧ ଓ ତ୍ୱରିତ ପଦକ୍ଷେପ ଉପରେ ଗୁରୁତ୍ୱାରୋପ କରି ପ୍ରମୁଖ ଶାସନ ସଚିବ ଯନ୍ତ୍ରୀ ଓ କ୍ଷେତ୍ରସ୍ତରୀୟ ଅଧିକାରୀମାନଙ୍କୁ ନିକଟ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବା, ବିଚାରବିମର୍ଶପୂର୍ଣ୍ଣ ନିଷ୍ପତ୍ତି ନେବା ଏବଂ ଆଗୁଆ ପଦକ୍ଷେପ ଗ୍ରହଣ କରିବାକୁ ଆହ୍ୱାନ ଦେଇଥିଲେ। ସମୟୋଚିତ ନିଷ୍ପତ୍ତି, ପ୍ରଭାବଶାଳୀ ଯୋଗାଯୋଗ ଓ କ୍ଷେତ୍ରସ୍ତରରେ ପ୍ରସ୍ତୁତି ବିଭାଗର ମୁକାବିଲା ରଣନୀତିର ମୁଖ୍ୟ ଆଧାର ବୋଲି ସେ କରିଥିଲେ। ପରିବର୍ତ୍ତିତ ପାଣିପାଗ ପରିସ୍ଥିତିରେ ବନ୍ୟା ବିପଦ ହ୍ରାସ, ନିମ୍ନ ଅବବାହିକାର ଜନସାଧାରଣଙ୍କ ସୁରକ୍ଷା ଏବଂ ରାଜ୍ୟର ଜଳ ଭିତ୍ତିଭୂମିର ସୁପରିଚାଳନା ସୁନିଶ୍ଚିତ କରିବା ଉପରେ ଏହି ସମୀକ୍ଷା ବୈଠକରେ ଗୁରୁତ୍ୱ ଦିଆଯାଇଥିଲା।

Leave a Reply

Your email address will not be published. Required fields are marked *

You missed