Spread the love

ପ୍ରେମିକ କବି ଡ଼. ମାୟାଧର ମାନସିଂହଙ୍କ ଜୟନ୍ତୀ ପାଳିତ
‘ଜି.ଏମ୍. କଲେଜ୍‌ର ସୁବର୍ଣ୍ଣ ଯୁଗ ଥିଲା ମାନସିଂହଙ୍କ ରହଣି କାଳ’
କୁଚିଣ୍ଡା, ୧୩/୧୧ (ନି.ପ୍ର.): ଓଡ଼ିଆ ସାହିତ୍ୟ ଜଗତର ଅନନ୍ୟ ପ୍ରତିଭା, ପ୍ରଖ୍ୟାତ କବି ତଥା ବିଶିଷ୍ଟ ଶିକ୍ଷାବିତ୍ ଡ଼. ମାୟାଧର ମାନସିଂହଙ୍କ ପବିତ୍ର ଜୟନ୍ତୀ ଉତ୍ସବ ସ୍ଥାନୀୟ କୁଟୁରାଚୁଆଁ ମହାବିଦ୍ୟାଳୟ ପ୍ରେକ୍ଷାଳୟଠାରେ ମହାସମାରୋହରେ ପାଳିତ ହୋଇଯାଇଛି। ମାନସିଂହ ଜୟନ୍ତୀ କମିଟିର ସଭାପତି ଅଧ୍ୟାପକ କୃଷ୍ଣ ଚନ୍ଦ୍ର ପୂଜାରୀଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସାରସ୍ୱତ ସମାରୋହରେ ବିଶିଷ୍ଟ ସାହିତ୍ୟିକ, ଶିକ୍ଷାବିତ୍ ତଥା ପ୍ରାକ୍ତନ ଅଧ୍ୟକ୍ଷ ସୁବାସ ଚନ୍ଦ୍ର ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।
କବିଙ୍କ କାଳଜୟୀ ସୃଷ୍ଟି ସମ୍ଭାର ଉପରେ ଆଲୋକପାତ କରି ମୁଖ୍ୟ ଅତିଥି ଶ୍ରୀ ନାୟକ ତାଙ୍କ ଅମର ଲେଖନୀ ନିଃସୃତ କାବ୍ୟ ‘ଧୂପ’ ଏବଂ ଆତ୍ମଜୀବନୀ ‘ଶିକ୍ଷାବିତ୍‌ର ଗାଥା’ର ବିଭିନ୍ନ ଦିଗ ଉପରେ ଗଭୀର ଆଲୋଚନା କରିଥିଲେ। ଡ଼. ମାନସିଂହ ଜଣେ ଅସାଧାରଣ ଓ ବହୁମୁଖୀ ପ୍ରତିଭାସମ୍ପନ୍ନ ବ୍ୟକ୍ତିତ୍ୱ ଥିଲେ ବୋଲି ମତବ୍ୟକ୍ତ କରିବା ସହ, ତାଙ୍କର ସମ୍ବଲପୁର ରହଣି କାଳ ତତ୍କାଳୀନ ଗଙ୍ଗାଧର ମେହେର ମହାବିଦ୍ୟାଳୟର ‘ସୁବର୍ଣ୍ଣ ଯୁଗ’ ଥିଲା ବୋଲି ସେ ସ୍ମୃତିଚାରଣ କରିଥିଲେ।
ସଭାରେ କୁଟୁରାଚୁଆଁ ମହାବିଦ୍ୟାଳୟର ଓଡ଼ିଆ ବିଭାଗୀୟ ଅଧ୍ୟାପକ ସୁଧୀର ନାଏକ ମୁଖ୍ୟବକ୍ତା ଭାବେ ଯୋଗଦେଇ ଡ଼. ମାନସିଂହଙ୍କ ସଂଘର୍ଷମୟ ଜୀବନୀ, ସାହିତ୍ୟ ସାଧନା ଓ ଓଡ଼ିଆ ଭାଷା-ସାହିତ୍ୟ ପ୍ରତି ତାଙ୍କର ଅତୁଳନୀୟ ଅବଦାନ ସମ୍ପର୍କରେ ସାରଗର୍ଭକ ବକ୍ତବ୍ୟ ପ୍ରଦାନ କରିଥିଲେ।
କାର୍ଯ୍ୟକ୍ରମର ପ୍ରାରମ୍ଭରେ ଅଧ୍ୟାପକ ସତ୍ୟନାରାୟଣ ପଟେଲ ସ୍ୱାଗତ ଭାଷଣ ପ୍ରଦାନ କରିବା ସହ ମଞ୍ଚାସୀନ ଅତିଥିମାନଙ୍କର ପରିଚୟ କରାଇଥିଲେ। ଉତ୍ସବର ଅନ୍ୟତମ ଆୟୋଜକ ସରୋଜ ମେହେର ଓ ସମିନ ନାୟକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ। ପରିଶେଷରେ ଜୟନ୍ତୀ କମିଟିର ସଭ୍ୟ ସତ୍ୟମ ନାୟକ ଆନୁଷ୍ଠାନିକ ଭାବେ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *