Spread the love

ଫୁଲୁଛି ମହାନଦୀ, ତଳିଆ ଅଞ୍ଚଳରେ ବନ୍ୟା ଆଶଙ୍କା; ସୁବର୍ଣ୍ଣରେଖା ଏବେ ବି ବିପଦ ସଙ୍କେତ ଉପରେ

ଭୁବନେଶ୍ୱର, ୨୮/୦୯: ଉପରମୁଣ୍ଡ ଓ ମହାନଦୀ ଅବବାହିକାରେ ଲଗାଣ ବର୍ଷା ପରେ ମହାନଦୀର ଜଳସ୍ତର ବଢ଼ିବାରେ ଲାଗିଛି। ହୀରାକୁଦ ଜଳଭଣ୍ଡାରରୁ ୨୮ଟି ଗେଟ୍ ଦେଇ ପାଣି ଛଡ଼ାଯାଉଥିବାରୁ ତଳମୁଣ୍ଡରେ ଛୋଟଧରଣର ବନ୍ୟା ସ୍ଥିତି ଆଶଙ୍କା କରାଯାଉଛି। ସୋମବାର ସୁଦ୍ଧା ମୁଣ୍ଡୁଳିରେ ପ୍ରାୟ ୮ ଲକ୍ଷ ଘନଫୁଟ ପ୍ରତି ସେକେଣ୍ଡ ଜଳ ପ୍ରବାହିତ ହେବାର ଆକଳନ କରିଛି ଜଳସମ୍ପଦ ବିଭାଗ।

ରବିବାର ରାତି ୯ଟା ସୁଦ୍ଧା ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୨୮.୫୪ ଫୁଟ ରହିଥିଲା। ୨୮ଟି ଗେଟ୍ ଦେଇ ପ୍ରତି ସେକେଣ୍ଡରେ ପ୍ରାୟ ୫.୪୦ ଲକ୍ଷ ଘନଫୁଟ ପାଣି ନିଷ୍କାସିତ ହେଉଥିଲା। ଏହାସହ ତେଲ ନଦୀର ପଥରଳା ଅଞ୍ଚଳରୁ ପ୍ରାୟ ୧.୮୩ ଲକ୍ଷ ଘନଫୁଟ ପାଣି ମହାନଦୀରେ ପ୍ରବେଶ କରୁଥିଲା। ଖଇରମାଳ ଓ ବରମୂଳରେ ମଧ୍ୟ ଉଚ୍ଚ ଜଳପ୍ରବାହ ରେକର୍ଡ ହୋଇଛି।

ମୁଣ୍ଡୁଳିରେ ୮ ଲକ୍ଷ ଘନଫୁଟ ପାଣିର ଆକଳନ

ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଦିଲୀପ କୁମାର ରାଉତଙ୍କ ଆକଳନ ଅନୁଯାୟୀ, ମହାନଦୀର ବିଭିନ୍ନ ଅବବାହିକାରେ ପ୍ରବଳ ବର୍ଷା ହେବାରୁ ସେଓନାଥ, ଜୋଙ୍କ ସମେତ ବିଭିନ୍ନ ଉପନଦୀରେ ଜଳପ୍ରବାହ ବଢ଼ିଛି। ଏହାର ପ୍ରଭାବରେ ମୁଣ୍ଡୁଳିରେ ଜଳପ୍ରବାହ ବଢ଼ିବ ଏବଂ ଛୋଟଧରଣର ବନ୍ୟା ସ୍ଥିତି ସୃଷ୍ଟି ହୋଇପାରେ।

ମହାନଦୀର ଶାଖା ନଦୀ ଲୁଣା, ଚିତ୍ରୋତ୍ପଳା, କାଠଯୋଡ଼ି, କୁଆଖାଇ, ଦେବୀ, କୁଶଭଦ୍ରା, ଦୟା, ଭାର୍ଗବୀ, ରାଜୁଆ ଓ ମକରା ଆଦିରେ ମଧ୍ୟ ଜଳସ୍ତର ବଢ଼ିବା ଆଶଙ୍କା ରହିଛି। ଏହା ଫଳରେ ନଦୀ ନିକଟବର୍ତ୍ତୀ ଚାଷଜମି ଜଳମଗ୍ନ ହୋଇପାରେ।

ବାଙ୍କୀ, ଆଠଗଡ଼ ଓ ବଡ଼ମ୍ବାର ତଳିଆ ଅଞ୍ଚଳ ପ୍ରଭାବିତ ହୋଇପାରେ

ମହାନଦୀର ଜଳସ୍ତର ବୃଦ୍ଧି ପାଇଲେ ବାଙ୍କୀ, ଆଠଗଡ଼ ଓ ବଡ଼ମ୍ବାର ତଳିଆ ଅଞ୍ଚଳରେ ପାଣି ପଶିବା ଆଶଙ୍କା ରହିଛି। ରଣା ଓ କଣ୍ଟିଆ ନାଳରେ ମଧ୍ୟ ଜଳପ୍ରବାହ ବଢ଼ିପାରେ। ଖୋର୍ଦ୍ଧା, କଟକ, ପୁରୀ, ଜଗତସିଂହପୁର ଓ କେନ୍ଦ୍ରାପଡ଼ାର କିଛି ତଳିଆ ଅଞ୍ଚଳରେ ସାମୟିକ ଜଳବନ୍ଦୀ ସ୍ଥିତି ଦେଖାଦେବା ସମ୍ଭାବନା ରହିଛି।

ତେବେ ଏହା ବ୍ୟାପକ ବନ୍ୟାର ରୂପ ନେବାର ଆଶଙ୍କା କମ୍ ଥିବା ବିଭାଗ ପକ୍ଷରୁ କୁହାଯାଇଛି।

ସୁବର୍ଣ୍ଣରେଖା ଏବେ ବି ବିପଦ ସଙ୍କେତ ଉପରେ

ଅନ୍ୟପକ୍ଷରେ ସୁବର୍ଣ୍ଣରେଖା ନଦୀର ରାଜଘାଟ ଠାରେ ଜଳସ୍ତର ଏବେ ବି ବିପଦ ସଙ୍କେତ ଉପରେ ରହିଛି। ଏଠାରେ ବିପଦ ସଙ୍କେତ ୧୦.୩୬ ମିଟର ଥିବାବେଳେ ଜଳସ୍ତର ୧୧.୦୪ ମିଟର ରେକର୍ଡ ହୋଇଛି।

ଜଳକା ନଦୀର ମଥାନି ରୋଡ୍‌ଠାରେ ବିପଦ ସଙ୍କେତ ୬.୫୦ ମିଟର ଥିବାବେଳେ ଜଳସ୍ତର ୬.୬୦ ମିଟର ରହିଛି। ତେବେ ବୁଢ଼ାବଳଙ୍ଗ, ଋଷିକୁଲ୍ୟା ଓ ବଂଶଧାରାର ଜଳସ୍ତର ଧୀରେ ଧୀରେ ହ୍ରାସ ପାଉଛି।

ବ୍ରାହ୍ମଣୀ ଓ ବୈତରଣୀର ଜଳସ୍ତର ମଧ୍ୟ ବିପଦ ସଙ୍କେତ ତଳେ ରହିଥିବା ସତ୍ତ୍ୱେ ଏବେ ସୁଦ୍ଧା ଉଲ୍ଲେଖନୀୟ ଭାବେ ହ୍ରାସ ପାଇନାହିଁ। ଜେନାପୁରଠାରେ ବ୍ରାହ୍ମଣୀର ଜଳସ୍ତର ୧୯.୯୧ ମିଟର ରହିଥିବାବେଳେ ବିପଦ ସଙ୍କେତ ୨୩ ମିଟର। ବୈତରଣୀର ଆଖୁଆପଦାଠାରେ ୧୮.୩୩ ମିଟର ବିପଦ ସଙ୍କେତ ବିପରୀତରେ ୧୮.୨୦ ମିଟର ଜଳ ପ୍ରବାହିତ ହେଉଛି।

ବାଲେଶ୍ୱରରେ ୩.୫୭ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ

ବନ୍ୟାର ପ୍ରଭାବ ବାଲେଶ୍ୱର ଜିଲ୍ଲାରେ ମଧ୍ୟ ଦେଖାଦେଇଛି। ଜିଲ୍ଲାର ୧୧ଟି ବ୍ଲକ୍‌ର ୧୨୬ଟି ପଞ୍ଚାୟତ ଓ ୭୩୦ଟି ଗାଁ ପ୍ରଭାବିତ ହୋଇଛି। ପ୍ରାୟ ୩ ଲକ୍ଷ ୫୭ ହଜାର ୪୬୬ ଜଣ ଲୋକ ପ୍ରଭାବିତ ହୋଇଥିବାବେଳେ ୬୭ ହଜାର ୨୬୬ ଜଣଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି।

କୋରାପୁଟ, ନବରଙ୍ଗପୁର ଓ ମାଲକାନଗିରିରେ ପୂର୍ବରୁ ଗମ୍ଭୀର ଥିବା ବନ୍ୟା ସ୍ଥିତିରେ ଏବେ କିଛି ସୁଧାର ଆସିଛି। ତଳିଆ ଅଞ୍ଚଳରୁ ପାଣି ଖସୁଥିଲେ ମଧ୍ୟ ବନ୍ୟା ପ୍ରଭାବିତ ଲୋକଙ୍କ ଦୁର୍ଦ୍ଦଶା ଜାରି ରହିଛି।

ଏପଟେ ହୀରାକୁଦ ଜଳଭଣ୍ଡାରରେ ଆବଶ୍ୟକ ଫ୍ଲଡ୍ କଣ୍ଟ୍ରୋଲ୍ ସ୍ପେସ୍ ବଜାୟ ରଖିବା ଏବଂ ଜଳସ୍ତର ନିୟନ୍ତ୍ରଣ ପାଇଁ ଅଧିକ ଜଳ ନିଷ୍କାସନ ଜାରି ରହିଛି। ଆଗାମୀ କିଛି ଘଣ୍ଟାରେ ମହାନଦୀ ସମେତ ବିଭିନ୍ନ ନଦୀର ଜଳସ୍ତର ଉପରେ ନଜର ରଖାଯାଉଛି।

Leave a Reply

Your email address will not be published. Required fields are marked *