Spread the love

‘ଫ୍ଲୋ’ ମିଟର ବିନା ଜଳ ଶୋଷୁଛନ୍ତି ଶିଳ୍ପସଂସ୍ଥା
ନଦୀରୁ ମନଇଚ୍ଛା ଶୋଷୁଛନ୍ତି ପାଣି ଏଥିରେ ଲାଗୁନି ରୋକ୍‌
ତାଳଚେର, ୨୧/୦୫ ସାଧାରଣ ଜନତା ପାଣି ପାଇଁ ଡ଼ହକବିକଳ ହେଉଥିବା ବେଳେ ତାଳଚେର ଅଂଚଳରେ ରହିଥିବା ବିଭିନ୍ନ କଳକାରଖାନାକୁ ବ୍ରାହ୍ମଣୀ ନଦୀରୁ ବଡ଼ବଡ଼ ହୋମପାଇପ୍ ଦ୍ୱାରା ସରକାର ପାଣି ଯୋଗାଇ ଦେଉଥିବା କେତେ ଯୁକ୍ତିଯୁକ୍ତ । ରାଜ୍ୟ ସରକାର ଶିଳ୍ପସଂସ୍ଥାମାନଙ୍କୁ ସେମାନଙ୍କ ଚାହିଦା ମୂତାବକ ନଦୀରୁ ଜଳ ନେବାପାଇଁ ଅନୁମତି ଦେଇଥାନ୍ତି । ଏହାମଧ୍ୟ ଜଳସମ୍ପଦ ବିଭାଗର ଧାର୍ଯ୍ୟ ନିୟମ ଅନୁଯାୟୀ ଚୁକ୍ତିନାମା ଦ୍ୱାରା ଅନୁମୋଦିତ ହୋଇଥାଏ । କିନ୍ତୁ ତାଳଚେରରେ ଶିଳ୍ପସଂସ୍ଥାମାନେ ଜଳକର ପୈଠ କରୁନଥିବା ବେଳେ ଚୁକ୍ତିନାମା ଠାରୁ ବହୂମାତ୍ରାରେ ମନଇଚ୍ଛା ନଦୀରେ ପମ୍ପହାଉସ୍ ନିର୍ମାଣ କରି ଜଳ ନେଉଥିବା ଅଭିଯୋଗ ହେଉଛି । ଏପରିକି, କମ୍ପାନୀମାନେ ବଡ଼ବଡ଼ ବୋର୍‌ୱେଲ ନିର୍ମାଣକରି ମନଇଚ୍ଛାଭାବେ ଭୂତଳ ଜଳକୁ ଶୋଷି ନେଉଛନ୍ତି । ଜଳ ଉଠାଣର ହିସାବପାଇଁ ଶିଳ୍ପସଂସ୍ଥା ମାନଙ୍କ ପାଇଁ ଚୁକ୍ତିନାମା ଅନୁଯାୟୀ ‘ଫ୍ଲୋ’ ମିଟର ବାଧ୍ୟତାମୂଳକ ରହିଥିବା ବେଳେ ଏହି ନିୟମକୁ କୌଣସି ସଂସ୍ଥା ମାନୁନଥିବା କୁହାଯାଉଛି । ମୁଖ୍ୟତଃ ବ୍ରାହ୍ମଣୀନଦୀ ଅବବାହିକାରେ ରହିଥିବା ଅଂଚଳବାସୀ ନଦୀ ଉପରେ ନିର୍ଭର କରିଥାନ୍ତି । ବର୍ଷା ଦୁଇ ତିନିମାସ ଛାଡ଼ିଦେଲେ ଶିଳ୍ପସଂସ୍ଥାମାନେ ନଦୀରୁ ମନଇଚ୍ଛା ପାଣି ଟାଣି ନେଉଥିବା ବେଳେ ପ୍ରାୟ ଜାନୁଆରୀ ଫେବୃଆରୀରୁ ଜଳସଙ୍କଟ ଦେଖାଦେଇଥାଏ । ଏପରିକି, ଜଳବାୟୁ ପରିବର୍ତନ ଓ ନିଅଂଟିଆ ବର୍ଷା ଯୋଗୁଁ ନଦୀରେ ଜଳପ୍ରବାହ କମିବାରେ ଲାଗୁଥିବା ବେଳେ କମ୍ପାନୀମାନେ ଏଥିରୁ ପାଣି ଶୋଷିନେବା କେତେ ଯୁକ୍ତି ସଙ୍ଗତ ତାକୁ ନେଇ ଅଂଚଳରେ ପରିବେଶବିତ୍‌ମାନେ ଉଦବେଗ ପ୍ରକାଶ କରିଛନ୍ତି । ଏନେଇ ବାରମ୍ବାର ଅଭିଯୋଗ ହେଉଥିଲେ ମଧ୍ୟ କେହି ହେଲେ ଦୃଷ୍ଟି ଦେଇନଥାନ୍ତି । ଅପରପକ୍ଷେ ସରକାର ଜନସାଧାରଣଙ୍କୁ ପାନୀୟଜଳ ବ୍ୟବସ୍ଥା କରାଇ ‘ଫ୍ଲୋ’ମିଟର ଲଗାଇ ବେସ କର ଆଦାୟ କରୁଥିବା ବେଳେ କମ୍ପାନୀମାନଙ୍କ ପ୍ରତି କାହିଁକି ଆଖିବୁଜି ଦେଉଛନ୍ତି ତାକୁ ନେଇ ବିଭିନ୍ନ କଳ୍ପନାଜଳ୍ପନା ବୃଦ୍ଧି ପାଇଛି । ବ୍ରାହ୍ମଣୀନଦୀର ଉପର ଭାଗରେ ଏକାଧିକ ପମ୍ପହାଉସ ରହିଥିବା ବେଳେ, ରେଳୱେ, ନାଲକୋ, ଥର୍ମାଲ, ଏଫସିଆଇ, ଏମସିଏଲ ଭଳି ପମ୍ପହାଉସ ନିର୍ମାଣ କରି ଜଳ ଶୋଷୁଥିବା ବେଳେ ଅଂଚଳବାସୀଙ୍କୁ ମାତ୍ର ଅଧେଘଂଟରୁ ଘାଂଟାଏ ଜଳ ଯୋଗାଇ ଦିଆଯାଇଥାଏ, ସେଥିରେ ପୁଣି ସେମାନଙ୍କୁ କର ଦେବାକୁ ପଡ଼ିଥାଏ । ଯଦି ଏଥିରେ ବ୍ୟତୀକ୍ରମ ଘଟେ ତେବେ ଜଳଯୋଗାଣ ବ୍ୟବସ୍ଥାକୁ ବନ୍ଦ କରି ଦେଉଥିବା ଅଭିଯୋଗ ହେଉଛି । ଏଠାରେ ଉଲ୍ଲେଖଯୋଗ୍ୟ ଯେ, ତାଳଚେରରେ ପ୍ରଚୁରମାତ୍ରାରେ କୋଇଲା ଖଣି ଓ ସୁବିଧାରେ ପାଣି ବ୍ୟବସ୍ଥାକୁ ନଜରରେ ରଖି କମ୍ପାନୀଙ୍କ ଲଲୁପ ଦୃଷ୍ଟି ତାଳଚେର ଅଂଚଳରେ ପଡ଼ିଥାଏ । କାରଣ କମ ଖର୍ଚ୍ଚରେ ବେସ ମାଲାମାଲ ହେବା ଲକ୍ଷ୍ୟରେ ଆଗକୁ ମାଡ଼ି ଚାଲିଛନ୍ତି ।

Leave a Reply

Your email address will not be published. Required fields are marked *