Spread the love

ବଅଁରପାଳ ଥାନାରେ ନୂତନ ଥାନାଧିକାରୀ ଭାବେ ଦାୟିତ୍ୱ ଗ୍ରହଣ କଲେ ଅୟେଶକାନ୍ତ ଜେନା: ଅପରାଧ ନିୟନ୍ତ୍ରଣ ଓ ଆଇନଶୃଙ୍ଖଳା ରକ୍ଷାକୁ ଦିଆଯିବ ପ୍ରାଥମିକତା

ବଅଁରପାଳ (ଜାଗ୍ରତ ଭାରତ ନ୍ୟୁଜ): ଅନୁଗୋଳ ଜିଲ୍ଲା ବଅଁରପାଳ ଥାନାର ନୂତନ ଥାନାଧିକାରୀ (IIC) ଭାବେ ଯୋଗଦେଇଛନ୍ତି ଦକ୍ଷ ପୋଲିସ ଅଧିକାରୀ ଅୟେଶକାନ୍ତ ଜେନା। ପୂର୍ବତନ ଥାନାଧିକାରୀ ଦୁଷ୍ମନ୍ତ କୁମାର ସିଂହ ନିଶା ଶିଳ୍ପାଞ୍ଚଳ ଥାନାକୁ ବଦଳି ହୋଇଯିବା ପରେ ଶ୍ରୀ ଜେନା ଏହି ଗୁରୁଦାୟିତ୍ୱ ଗ୍ରହଣ କରିଛନ୍ତି।

ପୂର୍ବରୁ ଶ୍ରୀ ଜେନା ଅନୁଗୋଳ ଜିଲ୍ଲା ସ୍ପେଶାଲ ସ୍କ୍ୱାଡ୍‌ ଅଧିକାରୀ ଭାବେ କାର୍ଯ୍ୟରତ ଥିଲେ। ସେହି ସମୟରେ ଅଞ୍ଚଳରେ ଅପରାଧ ଦମନ, ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ କାବୁ କରିବା ଏବଂ ଚାରି ଚାରି ଥର ସଫଳ ଏନକାଉଣ୍ଟର କରି ସେ ଜିଲ୍ଲାସ୍ତରରେ ବେଶ୍ ପ୍ରଶଂସିତ ହୋଇଥିଲେ। ଜଣେ ନିର୍ଭୀକ ତଥା କର୍ତ୍ତବ୍ୟନିଷ୍ଠ ଅଧିକାରୀ ଭାବେ ତାଙ୍କର ସ୍ୱତନ୍ତ୍ର ପରିଚୟ ରହିଛି।

କାର୍ଯ୍ୟଭାର ସମ୍ଭାଳିବା ପରେ ନୂତନ ଥାନାଧିକାରୀ ଶ୍ରୀ ଜେନା କହିଛନ୍ତି ଯେ, ସ୍ଥାନୀୟ ଜନସାଧାରଣଙ୍କ ସହ ଉତ୍ତମ ସମନ୍ୱୟ ରକ୍ଷା କରି ଅଞ୍ଚଳରେ ଶାନ୍ତି ଓ ଆଇନଶୃଙ୍ଖଳା ବଜାୟ ରଖିବା ତାଙ୍କର ପ୍ରମୁଖ ଲକ୍ଷ୍ୟ। ଏଥିସହ ଟ୍ରାଫିକ୍ ସମସ୍ୟାର ସମାଧାନ, ଚୋରି, ଡକାୟତି ତଥା ଅସାମାଜିକ କାର୍ଯ୍ୟକଳାପ ଉପରେ କଡ଼ା ନଜର ରଖାଯାଇ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ଶ୍ରୀ ଜେନାଙ୍କ ଯୋଗଦାନ ପରେ ବଅଁରପାଳ ତଥା ଆଖପାଖ ଅଞ୍ଚଳରେ ଅପରାଧ ନିୟନ୍ତ୍ରଣ ହୋଇ ଆଇନଶୃଙ୍ଖଳା ସ୍ଥିତି ଆହୁରି ସୁଦୃଢ଼ ହେବ ବୋଲି ସ୍ଥାନୀୟ ଜନସାଧାରଣଙ୍କ ମଧ୍ୟରେ ଆଶା ପ୍ରକାଶ ପାଇଛି।

Leave a Reply

Your email address will not be published. Required fields are marked *