Spread the love

### ବଅଁରପାଳ ବ୍ଲକ୍ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା-୨୦୨୬ ଅନୁଷ୍ଠିତ, ସଫଳ ଚାଷୀଙ୍କୁ ସମ୍ମାନିତ କଲେ ବିଧାୟକ

ବନ୍ଦାରେ ଆୟୋଜିତ ମେଳାରେ ଚାଷୀଙ୍କୁ ଉନ୍ନତ କୃଷି, ମତ୍ସ୍ୟଚାଷ ଓ ପଶୁପାଳନ ପାଇଁ ଦିଆଗଲା ପ୍ରୋତ୍ସାହନ

ବଅଁରପାଳ, ୨୯ ନଭେମ୍ବର: ଚାଷୀଙ୍କ ଆୟ ବୃଦ୍ଧି, ମତ୍ସ୍ୟଚାଷ ଓ ପଶୁପାଳନ କ୍ଷେତ୍ରରେ ଆଧୁନିକ ଜ୍ଞାନକୌଶଳର ପ୍ରସାର ତଥା ଗ୍ରାମୀଣ ଅର୍ଥନୀତିକୁ ସୁଦୃଢ଼ କରିବା ଲକ୍ଷ୍ୟରେ ଓଡ଼ିଶା ସରକାରଙ୍କ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ ପକ୍ଷରୁ ବଅଁରପାଳ ବ୍ଲକ୍‌ର ବନ୍ଦାଠାରେ ବ୍ଲକ୍ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା-୨୦୨୬ ଆୟୋଜିତ ହୋଇଥିଲା। ଏହି ମେଳାରେ ଅନୁଗୋଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ ମୁଖ୍ୟଅତିଥି ଭାବେ ଯୋଗଦେଇ ଚାଷୀ ଭାଇ ଓ ଭଉଣୀମାନଙ୍କୁ ଉତ୍ସାହିତ କରିଥିଲେ।

ମେଳାରେ ଛେଣ୍ଡିପଦା ବିଧାୟକ ଅଗସ୍ତି ବେହେରାଙ୍କ ସମେତ ବିଭିନ୍ନ ଜନପ୍ରତିନିଧି ଓ ବିଭାଗୀୟ ଅଧିକାରୀ ଉପସ୍ଥିତ ରହିଥିଲେ। ଏହି ଅବସରରେ ସଫଳ ଚାଷୀମାନଙ୍କୁ ସମ୍ମାନିତ କରାଯିବା ସହ ସହାୟତା ରାଶି ପ୍ରଦାନ କରି ଅଧିକ ଉନ୍ନତ ଓ ଲାଭଜନକ ଚାଷ କରିବାକୁ ପ୍ରୋତ୍ସାହିତ କରାଯାଇଥିଲା।

ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ଚାଷୀ, ମତ୍ସ୍ୟଚାଷୀ ଓ ପଶୁପାଳକଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ମଞ୍ଚ। ଏହି ମେଳା ମାଧ୍ୟମରେ ମାଛଚାଷ, ଗୋପାଳନ, ଛେଳି ପାଳନ, କୁକୁଡ଼ା ପାଳନ ଓ ଅନ୍ୟାନ୍ୟ ପଶୁପାଳନ ସମ୍ପର୍କରେ ଉନ୍ନତ ଜ୍ଞାନକୌଶଳ ଓ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା। ଏଥିସହ ବିଭିନ୍ନ ପ୍ରଜାତିର ମାଛ, ଗାଈ, ଛେଳି, କୁକୁଡ଼ା ଓ ଅନ୍ୟାନ୍ୟ ପଶୁପକ୍ଷୀଙ୍କ ପ୍ରଦର୍ଶନ ମାଧ୍ୟମରେ ଚାଷୀମାନଙ୍କୁ ଉନ୍ନତ ଜ୍ଞାନକୌଶଳ, ଆଧୁନିକ ଯନ୍ତ୍ରପାତି, ପଶୁଙ୍କ ଚିକିତ୍ସା ଓ ସରକାରୀ ଯୋଜନା ସମ୍ପର୍କରେ ସଚେତନ କରାଯାଇଥିଲା।

ଏହି କାର୍ଯ୍ୟକ୍ରମରେ ବଅଁରପାଳ ବ୍ଲକ୍ ଅଧ୍ୟକ୍ଷ ବିଜୟ କୁମାର ନାଥ, ୨୭ ନମ୍ବର ଜୋନ୍‌ର ଜିଲ୍ଲା ପରିଷଦ ସଦସ୍ୟ ଗୋପାଳ ନାଏକ, ୨୮ ନମ୍ବର ଜୋନ୍‌ର ଜିଲ୍ଲା ପରିଷଦ ସଦସ୍ୟା ମୀରା ଗଡ଼ନାୟକ, ୨୫ ନମ୍ବର ଜୋନ୍‌ର ଜିଲ୍ଲା ପରିଷଦ ସଦସ୍ୟ ଦିଲୀପ କୁମାର ପ୍ରଧାନ, ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣିଙ୍କ ପ୍ରତିନିଧି ପ୍ରତ୍ୟୁଷ ରଞ୍ଜନ ପଣ୍ଡା, ବଅଁରପାଳ ବ୍ଲକ୍‌ର ପୂର୍ବତନ ଅଧ୍ୟକ୍ଷ ଛବି ମୋହନ ସାହୁ, ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ସତ୍ୟ ନାରାୟଣ ସାହୁ, ଜିଲ୍ଲା ମତ୍ସ୍ୟ ଅଧିକାରୀ ଶରତ ପାଣିଗ୍ରାହୀ, ବନ୍ଦା ଗ୍ରାମ ପଞ୍ଚାୟତର ସରପଞ୍ଚ ନକୁଳ ସାହୁ ଓ ସମିତି ସଭ୍ୟ ଦୁଷ୍ମନ୍ତ ଗଡ଼ନାୟକ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଚାଷୀମାନଙ୍କୁ ଉତ୍ସାହିତ କରିଥିଲେ।

କାର୍ଯ୍ୟକ୍ରମରେ ବ୍ଲକ୍ ଭେଟେନାରୀ ଅଫିସର କମୋଳ ଲୋଚନ ଦାସ ମଞ୍ଚ ପରିଚାଳନା କରିଥିଲେ।

ମତ୍ସ୍ୟ ଓ ପ୍ରାଣୀ ସମ୍ପଦ କ୍ଷେତ୍ର ଗ୍ରାମୀଣ ଅର୍ଥନୀତିର ଏକ ମୁଖ୍ୟ ଆଧାର। ଏହି କ୍ଷେତ୍ରରେ ଆଧୁନିକ ପ୍ରଣାଳୀ, ବୈଜ୍ଞାନିକ ପଦ୍ଧତି ଓ ସରକାରୀ ସହାୟତାର ସଠିକ୍ ଉପଯୋଗ ଦ୍ୱାରା ଚାଷୀଙ୍କ ଆୟ ବୃଦ୍ଧି ସହ ଆତ୍ମନିର୍ଭରଶୀଳତା ହାସଲ କରିବା ସମ୍ଭବ। ଏଭଳି ମେଳା ଚାଷୀଙ୍କୁ ନୂତନ ଜ୍ଞାନ, ସୁଯୋଗ ଓ ପ୍ରୋତ୍ସାହନ ଯୋଗାଇବା ସହ କୃଷି ଓ ଗ୍ରାମୀଣ ଅର୍ଥନୀତିର ବିକାଶରେ ସହାୟକ ହେବ ବୋଲି ମତ ପ୍ରକାଶ ପାଇଥିଲା।

Leave a Reply

Your email address will not be published. Required fields are marked *