ବନ୍ୟାଜଳରେ ବିଚ୍ଛିନ୍ନ ହୋଇଥିବା ୩ ଗାଁରେ ଉଦ୍ଧାର କାର୍ଯ୍ୟ ଜୋରଦାର, ବୋଟ୍ରେ ଉଦ୍ଧାର ହେଲେ ଜଳବନ୍ଦୀ ପରିବାର

ଗଞ୍ଜାମ: ବାତ୍ୟା ଓ ବନ୍ୟାର ସଙ୍କଟ ମଧ୍ୟରେ ଗଞ୍ଜାମ ଜିଲ୍ଲାର ଖଣ୍ଡଦେଉଳି, ଭୁଆଁଭୁଇଁ ଓ ବଡ଼ପଲ୍ଲୀ ଗାଁରେ ଜନଜୀବନ ଗୁରୁତର ଭାବେ ପ୍ରଭାବିତ ହୋଇଛି। ଗାଁଗୁଡ଼ିକରେ ବନ୍ୟାଜଳ ପ୍ରବେଶ କରିବା ଯୋଗୁଁ ସ୍ଥଳପଥରେ ଯୋଗାଯୋଗ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇପଡ଼ିଥିଲା। ଫଳରେ ଅନେକ ପରିବାର ଜଳବନ୍ଦୀ ଅବସ୍ଥାରେ ରହିଥିଲେ।
ଏଭଳି ଦୁର୍ଦ୍ଦିନରେ ଉଦ୍ଧାରକାରୀ ଦଳ ବୋଟ୍ ସାହାଯ୍ୟରେ ପ୍ରଭାବିତ ଗ୍ରାମଗୁଡ଼ିକରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ବିଶେଷକରି ଜଳବନ୍ଦୀ ହୋଇ ରହିଥିବା ପରିବାର, ବୟସ୍କ ବ୍ୟକ୍ତି ଓ ବୃଦ୍ଧବୃଦ୍ଧାଙ୍କୁ ସୁରକ୍ଷିତ ଭାବେ ବୋଟ୍ ଯୋଗେ ଉଦ୍ଧାର କରାଯାଇଥିଲା।
କେବଳ ଉଦ୍ଧାର କାର୍ଯ୍ୟ ନୁହେଁ, ପ୍ରଭାବିତ ଲୋକଙ୍କ ମୌଳିକ ଆବଶ୍ୟକତା ପୂରଣ ପାଇଁ ମଧ୍ୟ ତ୍ୱରିତ ପଦକ୍ଷେପ ନିଆଯାଇଥିଲା। ରିଲିଫ୍ ସାମଗ୍ରୀ ସହ ଜରୁରୀ ଔଷଧ, ଜଳ ବିଶୋଧନ ବଟିକା ଏବଂ ରୋଷେଇ ପାଇଁ ଚାଉଳ, ଡାଲି, ଶୁଖିଲା ଖାଦ୍ୟ ଓ କିରୋସିନି ଆଦି ବଣ୍ଟନ କରାଯାଇଥିଲା।
ଏହା ସହିତ ବନ୍ୟା ପ୍ରଭାବିତ ଲୋକଙ୍କୁ ତୁରନ୍ତ ଗରମ ଖାଦ୍ୟ ଯୋଗାଇଦେବା ଉଦ୍ଦେଶ୍ୟରେ ଅସ୍ଥାୟୀ ରୋଷେଇ ଘରର ବ୍ୟବସ୍ଥା ମଧ୍ୟ କରାଯାଇଥିଲା।
ବିପର୍ଯ୍ୟୟ ସମୟରେ ଜଳବନ୍ଦୀ ଲୋକଙ୍କୁ ସୁରକ୍ଷା ଦେବା ସହ ଖାଦ୍ୟ, ପାନୀୟ ଜଳ ଓ ଔଷଧ ଯୋଗାଣ ଉପରେ ଗୁରୁତ୍ୱ ଦିଆଯାଇଥିବାରୁ ପ୍ରଭାବିତ ଗ୍ରାମବାସୀଙ୍କୁ ଆଶ୍ୱସ୍ତି ମିଳିଛି।
ଜାଗ୍ରତ ଭାରତ ନ୍ୟୁଜ୍
