ବନ୍ୟାବିପନ୍ନଙ୍କ ସହାୟତାରେ ଆଗେଇ ଆସିଲେ ଶ୍ରୀ ଶ୍ରୀ ନୀଳକଣ୍ଠେଶ୍ୱର ମନ୍ଦିର ସେବା ପ୍ରତିଷ୍ଠାନ କମିଟି :
୧୫୦୦ରୁ ଊର୍ଦ୍ଧ୍ୱ ଲୋକଙ୍କୁ ରିଲିଫ୍ ବଣ୍ଟନ କରି ବ୍ରହ୍ମପୁର ସହରର ଶ୍ରୀ ଶ୍ରୀ ଶ୍ରୀ ନୀଳକଣ୍ଠେଶ୍ୱର ମନ୍ଦିର ସେବା ପ୍ରତିଷ୍ଠାନ କମିଟି ସଦସ୍ୟଙ୍କ ମାନବିକ ସେବା

ବ୍ରହ୍ମପୁର, ୫/୧୧ : ବିପଦରେ ବନ୍ଧୁ ହୋଇ ଛିଡ଼ା ହେବା ହିଁ ପ୍ରକୃତ ମାନବିକତାର ପରିଚୟ । ଗଞ୍ଜାମ ଜିଲ୍ଲାର ବନ୍ୟାବିପନ୍ନ ତଥା ଦୁର୍ଗମ ଅଞ୍ଚଳରେ ଖାଦ୍ୟ ଓ ଅତ୍ୟାବଶ୍ୟକ ସାମଗ୍ରୀର ଅଭାବ ଦେଖାଦେଇଥିବା ବେଳେ ଅସହାୟ ଲୋକଙ୍କ ସହାୟତା ପାଇଁ ମାନବିକତାର ହାତ ବଢ଼ାଇଛି ବ୍ରହ୍ମପୁର ସହରର ନୀଳକଣ୍ଠେଶ୍ୱର ମନ୍ଦିର ସେବା ପ୍ରତିଷ୍ଠାନ କମିଟି । କମିଟି ପକ୍ଷରୁ ବନ୍ୟା ପ୍ରଭାବିତ ଅଞ୍ଚଳରେ ୧୫୦୦ରୁ ଊର୍ଦ୍ଧ ଲୋକଙ୍କୁ ରିଲିଫ୍ ସାମଗ୍ରୀ ବଣ୍ଟନ କରାଯାଇ ମାନବିକତା ଓ ସାମାଜିକ ସେବାର ଏକ ଉଦାହରଣ ସୃଷ୍ଟି କରାଯାଇଛି । ବନ୍ୟାର ଦୀର୍ଘ ସାତ ଦିନ ପରେ ମଧ୍ୟ ଗଞ୍ଜାମ ଜିଲ୍ଲାର ବିଭିନ୍ନ ଦୁର୍ଗମ ଅଞ୍ଚଳରେ ଲୋକଙ୍କ ନିକଟରେ ପର୍ଯ୍ୟାପ୍ତ ଖାଦ୍ୟ ସାମଗ୍ରୀ ପହଞ୍ଚିବାରେ ଅସୁବିଧା ଦେଖାଦେଇଥିଲା । ଏଭଳି ସଙ୍କଟମୟ ପରିସ୍ଥିତିରେ ବନ୍ୟାପୀଡ଼ିତଙ୍କ ଦୁଃଖ ଓ ଦୁର୍ଦ୍ଦଶାକୁ ହୃଦୟଙ୍ଗମ କରି ନୀଳକଣ୍ଠେଶ୍ୱର ମନ୍ଦିର କମିଟି ପକ୍ଷରୁ ନୂଆଗଡ଼, ବ୍ରାହ୍ମଣୀଦେଇ ଓ ଆସିକା ଲକ୍ଷ୍ମୀବଜାର ଆଦି ଅଞ୍ଚଳରେ ରିଲିଫ୍ ବଣ୍ଟନ କାର୍ଯ୍ୟ କମିଟି ପକ୍ଷରୁ ହାତକୁ ନିଆଯାଇଥିଲା । ଚାଉଳ, ଆଳୁ, ସୋୟାବିନ୍, ବିସ୍କୁଟ ଆଦି ଶୁଖିଲା ଖାଦ୍ୟ ସହ ପଲାଉ, ଖୁରୁମା ଭଳି ରନ୍ଧନ ଖାଦ୍ୟ ଏବଂ ପ୍ୟାଣ୍ଟ, ସାର୍ଟ, ଲୁଙ୍ଗି, ଶାଢ଼ୀ, ଚାଦର ଭଳି ବସ୍ତ୍ର ସହ ଅତ୍ୟାବଶ୍ୟକ ସାମଗ୍ରୀ ବଣ୍ଟନ କରାଯାଇଥିଲା । ଏହି ମହତ କାର୍ଯ୍ୟରେ ବ୍ରହ୍ମପୁର ସହରର ଶ୍ରୀ ଶ୍ରୀ ଶ୍ରୀ ନୀଳକଣ୍ଠେଶ୍ୱର ମନ୍ଦିର ସେବା ପ୍ରତିଷ୍ଠାନ କମିଟିର ସଭାପତି କାଳୀକିଙ୍କର ପାତ୍ର,ଜଗଦୀଶ ପାଣିଗ୍ରାହୀ,ଅଜୟ କୁମାର ଦଳେଇ,ବି ପ୍ରଶାନ୍ତ ପାତ୍ର,କେଦାର ପାଣିଗ୍ରାହୀ,ଡ଼ି ବୀରଭଦ୍ର ରାଓ,ଜଗନ୍ନାଥ ପଣ୍ଡା,ଆକାଶ ମୂଳି,ସିଏଚ ଶ୍ରୀନିବାସ ରାଓ,ମନୋଜ ପଣ୍ଡା,ମୋହନ ସ୍ୱାଇଁ,ରଞ୍ଜନ ଗୈାଡ଼,ସୁକାନ୍ତ ପଣ୍ଡା, କୁମାର ବେହେରା,ଶମ୍ଭୁ କୁମାର ଦଳେଇ,ସୁନିଲ କୁମାର ସାହୁ,ଅଶ୍ୱିନୀ ପଟ୍ଟନାୟକ,ଶିବ ପ୍ରସାଦ ପଣ୍ଡା,ମୁକେଶ ରାଉଳ,ଶଙ୍କର ରାଉଳ ପ୍ରମୁଖ ଯୋଗଦେଇ ରିଲିଫ୍ ବଣ୍ଟନରେ ସକ୍ରିୟ ସହଯୋଗ କରିଥିଲେ । ଏହି ସେବା କାର୍ଯ୍ୟରେ ସହଯୋଗର ହାତ ବଢ଼ାଇଥିଲେ ସାପ୍ତାହିକ ଖବରକାଗଜ ‘ଓଁକାର ଦର୍ପଣ’ର ସମ୍ପାଦକ ଅନନ୍ତ ରାମ ପ୍ରଧାନ ଓ ଜିଲ୍ଲା ପ୍ରତିନିଧି ପ୍ରଫୁଲ୍ଲ ଚନ୍ଦ୍ର ବେହେରା ମଧ୍ୟ ଉପସ୍ଥିତ ରହି ସେବା କାର୍ଯ୍ୟରେ ସହଯୋଗ କରିଥିଲେ । ଏଥିସହ ଋଷିକୁଲ୍ୟା ଡିଗ୍ରୀ କଲେଜ, ସୋରଡ଼ାର ଜାତୀୟ ସେବା ଯୋଜନା (ଏନ୍ଏସ୍ଏସ୍)ର ପ୍ରୋଗ୍ରାମ ଅଫିସର ହୃଷୀକେଶ ମିଶ୍ରଙ୍କ ନେତୃତ୍ୱରେ ବହୁ ଛାତ୍ରଛାତ୍ରୀ ରିଲିଫ୍ ବଣ୍ଟନରେ ସାମିଲ ହୋଇ ସହଯୋଗ କରିଥିଲେ । ବନ୍ୟାବିପନ୍ନଙ୍କ ଦୁଃଖ ସମୟରେ ଏହି ସାମୂହିକ ସେବା କାର୍ଯ୍ୟ ଅଞ୍ଚଳରେ ଏକ ଉଦାହରଣ ସୃଷ୍ଟି କରିଛି । ଜାତି, ଧର୍ମ ଓ ବର୍ଗର ଊର୍ଦ୍ଧରେ ରହି ମାନବିକତାର ସେବା କରିବା ହିଁ ଏହି ଉଦ୍ୟମର ମୂଳ ଉଦ୍ଦେଶ୍ୟ ବୋଲି ମତ ପ୍ରକାଶ ପାଇଛି । ଏହି ମହତ୍ କାର୍ଯ୍ୟରେ ସହଯୋଗ କରିଥିବା ସମସ୍ତ କମିଟି ସଦସ୍ୟ, ଏନ୍ଏସ୍ଏସ୍ ସ୍ୱେଚ୍ଛାସେବୀ ଓ ସହଯୋଗୀଙ୍କୁ କମିଟିର ସଭାପତି ଶ୍ରୀ ପାତ୍ର ଧନ୍ୟବାଦ ଜଣାଇଥିଲେ ।
*ସୁନିଲ କୁମାର ସାହୁ*
