ବନ୍ୟା ବିପନ୍ନ ଅଞ୍ଚଳର ଆକାଶମାର୍ଗରୁ ସ୍ଥିତି ପରଖିଲେ ମୁଖ୍ୟମନ୍ତ୍ରୀ, କ୍ଷୟକ୍ଷତିର କଲେ ଅନୁଧ୍ୟାନ
ଗଞ୍ଜାମ: ବାତ୍ୟା ‘ଅର୍ଣ୍ଣବ’ ପରବର୍ତ୍ତୀ ପ୍ରବଳ ବର୍ଷା ଓ ବନ୍ୟାରେ ଦକ୍ଷିଣ ଓଡ଼ିଶାରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ବେଳେ ପ୍ରଭାବିତ ଅଞ୍ଚଳର ସ୍ଥିତି ପରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଗଞ୍ଜାମ ଜିଲ୍ଲା ଗସ୍ତରେ ଯାଇ ସେ ଆକାଶମାର୍ଗରୁ ବନ୍ୟାଞ୍ଚଳର ସ୍ଥିତି ଓ କ୍ଷୟକ୍ଷତିର ଅନୁଧ୍ୟାନ କରିଛନ୍ତି।
ଏହି ଆକାଶମାର୍ଗ ସମୀକ୍ଷା ସମୟରେ ମୁଖ୍ୟମନ୍ତ୍ରୀଙ୍କ ସହ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଏବଂ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ଉପସ୍ଥିତ ଥିଲେ। ଆସିକା, ସୋରଡ଼ା, ହିଞ୍ଜିଳି, ବେଲଗୁଣ୍ଠା ଓ ଭଞ୍ଜନଗର ଅଞ୍ଚଳରେ ବନ୍ୟାର ପ୍ରଭାବ, ଭାଙ୍ଗିଥିବା ଘର ଏବଂ ଅନ୍ୟାନ୍ୟ କ୍ଷୟକ୍ଷତି ସମ୍ପର୍କରେ ସେମାନେ ଆକାଶମାର୍ଗରୁ ଅନୁଧ୍ୟାନ କରିଛନ୍ତି।
ବାତ୍ୟା ‘ଅର୍ଣ୍ଣବ’ ଆନ୍ଧ୍ରପ୍ରଦେଶରେ ସ୍ଥଳଭାଗ ଛୁଇଁଥିଲେ ମଧ୍ୟ ଏହାର ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ଲଗାଣ ବର୍ଷା ହୋଇଥିଲା। ବିଶେଷକରି ଗଞ୍ଜାମ ଜିଲ୍ଲାରେ ଅତି ପ୍ରବଳ ବର୍ଷା ଯୋଗୁଁ ବିଭିନ୍ନ ନଦୀ ଓ ଜଳାଶୟର ଜଳସ୍ତର ବୃଦ୍ଧି ପାଇବା ସହ ଅନେକ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଫଳରେ ଘରଦ୍ୱାର, ରାସ୍ତାଘାଟ ଓ ଜନଜୀବନ ଗୁରୁତର ଭାବେ ପ୍ରଭାବିତ ହୋଇଛି।
ବାତ୍ୟାର ବିପଦ ଟଳିବା ପରେ ଏବେ ବନ୍ୟା ବିପନ୍ନଙ୍କ ସମସ୍ୟା ବଢ଼ିଛି। ଅନେକ ପରିବାର ଘରଦ୍ୱାର ନଷ୍ଟ ହେବା ସହ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି।
ଏଭଳି ପରିସ୍ଥିତିରେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତରେ ବନ୍ୟା ପରବର୍ତ୍ତୀ ସ୍ଥିତିର ଆକଳନ, ପ୍ରଭାବିତ ପରିବାରଙ୍କୁ ରିଲିଫ୍ ଯୋଗାଣ ଏବଂ କ୍ଷତିଗ୍ରସ୍ତ ଅଞ୍ଚଳରେ ପୁନରୁଦ୍ଧାର କାର୍ଯ୍ୟକୁ ଗୁରୁତ୍ୱ ଦିଆଯିବା ଆଶା କରାଯାଉଛି।
