Spread the love

ବନ୍ୟା ସମୟରେ ଡ୍ୟୁଟିରେ ଅନୁପସ୍ଥିତି ପଡ଼ିଲା ମହଙ୍ଗା

କୋଡିଙ୍ଗା RIଙ୍କୁ ନିଲମ୍ବନ କଲେ ନବରଙ୍ଗପୁର ଜିଲ୍ଲାପାଳ

ନବରଙ୍ଗପୁର, ୨୯/୦୯: ବନ୍ୟା ଓ ପ୍ରବଳ ବର୍ଷା ସମୟରେ ସରକାରୀ ଦାୟିତ୍ୱରେ ଅବହେଳା ଅଭିଯୋଗରେ ନବରଙ୍ଗପୁର ଜିଲ୍ଲାର ଜଣେ ରାଜସ୍ୱ ନିରୀକ୍ଷକ (RI)ଙ୍କ ବିରୋଧରେ ପ୍ରଶାସନିକ କାର୍ଯ୍ୟାନୁଷ୍ଠାନ ହୋଇଛି। କୋଡିଙ୍ଗା ରାଜସ୍ୱ ନିରୀକ୍ଷକ ବିରଞ୍ଚି ନାରାୟଣ ଦାସଙ୍କୁ ଜିଲ୍ଲାପାଳ ନିଲମ୍ବିତ କରିଛନ୍ତି।

ବନ୍ୟା ଓ ବର୍ଷାଜନିତ ପରିସ୍ଥିତିକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ସରକାରୀ କର୍ମଚାରୀ ଓ ଅଧିକାରୀଙ୍କ ଛୁଟି ବାତିଲ କରାଯାଇଥିଲା। ଏଭଳି ଜରୁରୀ ପରିସ୍ଥିତିରେ ଡ୍ୟୁଟିରେ ଉପସ୍ଥିତ ରହିବାକୁ ସ୍ପଷ୍ଟ ନିର୍ଦ୍ଦେଶ ଥିବା ସତ୍ତ୍ୱେ RI ଅନୁପସ୍ଥିତ ଥିବା ଜଣାପଡ଼ିବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି।

ଏ ସମ୍ପର୍କରେ ନବରଙ୍ଗପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ ଅଫିସ୍ ଅର୍ଡର ଜାରି ହୋଇଛି। ନିଲମ୍ବନ ଅବଧିରେ ବିରଞ୍ଚି ନାରାୟଣ ଦାସ ନବରଙ୍ଗପୁର କଲେକ୍ଟରେଟ୍‌ର ରେଭେନ୍ୟୁ ସେକ୍ସନରେ ରହିବେ। ଏହି ସମୟରେ ସେ ଅତିରିକ୍ତ ଜିଲ୍ଲାପାଳ (ରେଭେନ୍ୟୁ)ଙ୍କ ପ୍ରଶାସନିକ ନିୟନ୍ତ୍ରଣରେ ରହିବେ।

ନିଲମ୍ବନ କାଳରେ କର୍ତ୍ତୃପକ୍ଷଙ୍କ ପୂର୍ବ ଅନୁମତି ବିନା ସେ ମୁଖ୍ୟାଳୟ ଛାଡ଼ିପାରିବେ ନାହିଁ ବୋଲି ଅଫିସ୍ ଅର୍ଡରରେ ଉଲ୍ଲେଖ ରହିଛି।

ବନ୍ୟା ଭଳି ଜରୁରୀ ପରିସ୍ଥିତିରେ ପ୍ରଶାସନିକ ନିର୍ଦ୍ଦେଶ ଅବହେଳା କଲେ କାର୍ଯ୍ୟାନୁଷ୍ଠାନ ନିଆଯିବ—ଏହି ଘଟଣା ଜିଲ୍ଲା ପ୍ରଶାସନର କଠୋର ଆଭିମୁଖ୍ୟକୁ ସୂଚାଉଛି।

Leave a Reply

Your email address will not be published. Required fields are marked *