Spread the love

ବଲାଙ୍ଗୀର ଆଇଟିଆଇ ଅଧ୍ୟକ୍ଷଙ୍କ ଠାବ ହେଲା ଆୟବହିର୍ଭୂତ ସମ୍ପତ୍ତି

୨ଟି କୋଠା, ୧୧ଟି ମୂଲ୍ୟବାନ ପ୍ଲଟ୍, ୨୬୩ ଗ୍ରାମ ସୁନା ଓ ୨.୫ କେଜି ରୁପା ଜବତ

ବଲାଙ୍ଗୀର: ଲାଞ୍ଚ ନେବା ଅଭିଯୋଗରେ ଓଡ଼ିଶା ଭିଜିଲାନ୍ସ ହାତରେ ଧରାପଡ଼ିଥିବା ବଲାଙ୍ଗୀର ସରକାରୀ ଆଇଟିଆଇର ଅଧ୍ୟକ୍ଷ ସୁରେଶ କୁମାର ଦଳବେହେରାଙ୍କ ସମ୍ପତ୍ତି ଯାଞ୍ଚ ବେଳେ ବିପୁଳ ସମ୍ପତ୍ତିର ତଥ୍ୟ ସାମ୍ନାକୁ ଆସିଛି। ତାଙ୍କ ନାମରେ ଏବଂ ପରିବାର ସଦସ୍ୟଙ୍କ ନାମରେ ୨ଟି କୋଠା, ୧୧ଟି ମୂଲ୍ୟବାନ ପ୍ଲଟ୍, ସୁନା ଓ ରୁପା ଅଳଙ୍କାର ସମେତ ନଗଦ ଟଙ୍କା ଠାବ କରିଛି ଭିଜିଲାନ୍ସ।

ସୂଚନା ଅନୁଯାୟୀ, ଅନୁଷ୍ଠାନର ଜଣେ ଇନଷ୍ଟ୍ରକ୍ଟର ଏବଂ ଅନ୍ୟ ଅତିଥି ପ୍ରଶିକ୍ଷକମାନଙ୍କ ଚାକିରି ଅବଧି ବୃଦ୍ଧି ଓ ନିୟମିତ ଦରମା ପ୍ରଦାନରେ ସହଯୋଗ କରିବା ପାଇଁ ଶ୍ରୀ ଦଳବେହେରା ୩୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ତାଙ୍କୁ ଧରିଥିଲା। ଏହାପରେ ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କ ସହ ସମ୍ପର୍କିତ ବିଭିନ୍ନ ସ୍ଥାନରେ ଏକକାଳୀନ ଚଢ଼ାଉ କରାଯାଇଥିଲା।

ଚଢ଼ାଉ ସମୟରେ ଭିଜିଲାନ୍ସ ଯେଉଁ ସମ୍ପତ୍ତି ଠାବ କରିଛି, ସେଥିମଧ୍ୟରେ ରାଉରକେଲାରେ ଥିବା ଗୋଟିଏ ଦୁଇ ମହଲା କୋଠା ସମେତ ମୋଟ ୨ଟି କୋଠା ରହିଛି। ଏହାସହ ରାଉରକେଲା, ସୁନ୍ଦରଗଡ଼, ଜଟଣୀ, କଟକ ଓ ମହାକାଳପଡ଼ା ଅଞ୍ଚଳରେ ୧୧ଟି ମୂଲ୍ୟବାନ ପ୍ଲଟ୍ ଠାବ ହୋଇଛି।

ସେହିପରି ୨୬୩ ଗ୍ରାମ ସୁନା ଅଳଙ୍କାର, ପ୍ରାୟ ୨ କିଲୋ ୫୦୦ ଗ୍ରାମ ରୁପା ଅଳଙ୍କାର ଓ ୫ ଲକ୍ଷ ୧୬ ହଜାର ଟଙ୍କା ନଗଦ ଜବତ କରାଯାଇଛି। ଏଥିସହ ଗୋଟିଏ ହୁଣ୍ଡାଇ ଚାରିଚକିଆ ଗାଡ଼ି ଏବଂ ୩ଟି ଦୁଇଚକିଆ ଯାନ ମଧ୍ୟ ଠାବ ହୋଇଛି।

ଅନ୍ୟପକ୍ଷରେ, ଅଭିଯୁକ୍ତ ସୁରେଶ କୁମାର ଦଳବେହେରାଙ୍କୁ ଗିରଫ କରାଯାଇଛି। ଆଜି ତାଙ୍କୁ ବଲାଙ୍ଗୀର ସ୍ୱତନ୍ତ୍ର ଭିଜିଲାନ୍ସ ଅଦାଲତରେ ହାଜର କରାଯିବ ବୋଲି ଭିଜିଲାନ୍ସ ପକ୍ଷରୁ ସୂଚନା ମିଳିଛି। ଘଟଣାର ତଦନ୍ତ ଜାରି ରହିଛି।

Leave a Reply

Your email address will not be published. Required fields are marked *