Spread the love

ବଲାଣିଥାନା ଅନ୍ତର୍ଗତରେ ବିଦେଶୀ ମଦଦୋକାନକୁ ବିରୋଧ, ରାଜରାସ୍ତାରେ ଶତାଧିକ ମହିଳା ।

ବିଦେଶୀ ମଦ ଦୋକାନକୁ ବିରୋଧ କରି ରାଜରାସ୍ତାରେ ଶତାଧିକ ମହିଳା।କେନ୍ଦୁଝର ଜିଲ୍ଲା ଯୋଡ଼ା ବ୍ଲକ୍ ଅନ୍ତର୍ଗତ ବଡ଼ବିଲ-ବଲାଣି ମୁଖ୍ୟ ରାସ୍ତାର ଆରିୟା କଲୋନୀ ନିକଟରେ ଏକ ନୂତନ ବିଦେଶୀ ମଦ ଦୋକାନ ସ୍ଥାପନକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ବିରୋଧ ଦେଖାଦେଇଛି। ଶୁକ୍ରବାର ବଲାଣି ବସ୍ତିର ଶତାଧିକ ମହିଳା ଏକତ୍ରିତ ହୋଇ ପ୍ରସ୍ତାବିତ ମଦ ଦୋକାନ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଦୋକାନ ନ ଖୋଲିବା ପାଇଁ ଜୋରଦାର ନାରାବାଜି କରିଛନ୍ତି।
ଆନ୍ଦୋଳନରତ ମହିଳାମାନଙ୍କ କହିବା ଅନୁଯାୟୀ, ଜନବସତି ଏବଂ ଭବିଷ୍ୟତର ରିଙ୍ଗ୍‌ ରୋଡ୍‌ ପ୍ରକଳ୍ପ ନିକଟରେ ଏଭଳି ଦୋକାନ ଖୋଲିଲେ ସ୍ଥାନୀୟ ଅଞ୍ଚଳର ଶାନ୍ତିଶୃଙ୍ଖଳା ଏବଂ ସୁରକ୍ଷା ପ୍ରତି ବିପଦ ସୃଷ୍ଟି ହେବ। ଏଥିସହ ଉକ୍ତ ଜମିକୁ ନେଇ ପୂର୍ବରୁ ବିବାଦ ରହିଥିବା ଏବଂ ଏନେଇ ଚମ୍ପୁଆ ଉପଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରାଯାଇଥିବା ସେମାନେ ପ୍ରକାଶ କରିଛନ୍ତି। ମୁଖ୍ୟ ରାସ୍ତାକଡ଼ରେ ମଦ ଦୋକାନ ହେଲେ ଯାତାୟାତ ପ୍ରଭାବିତ ହେବା ସହ ମହିଳା ଓ ଛାତ୍ରଛାତ୍ରୀଙ୍କ ସୁରକ୍ଷା ପ୍ରତି ବିପଦର ଆଶଙ୍କା ଦେଖାଦେବ ବୋଲି ସେମାନେ ଅଭିଯୋଗ କରିଛନ୍ତି। ପ୍ରଶାସନ ଏହି ନିଷ୍ପତ୍ତିର ପୁନର୍ବିଚାର ନ କଲେ ଆଗାମୀ ଦିନରେ ଆନ୍ଦୋଳନକୁ ଆହୁରି ବ୍ୟାପକ କରାଯିବ ବୋଲି ଏହି ମହିଳାମାନେ ଚରମ ଚେତାବନୀ ଦେଇଛନ୍ତି।

କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *