Spread the love

*ବାତ୍ୟା ‘ଅର୍ଣ୍ଣବ’ ପରବର୍ତ୍ତୀ ରିଲିଫ୍ ଓ ପୁନରୁଦ୍ଧାର କାର୍ଯ୍ୟକୁ ଜୋରଦାର କଲା ନଗର ଉନ୍ନୟନ ବିଭାଗ*

*ବ୍ରହ୍ମପୁରରେ ଦୈନିକ ଜଳ ଯୋଗାଣ ୭୦ ଏମ୍‌ଏଲ୍‌ଡିକୁ ବୃଦ୍ଧି; ଅତିରିକ୍ତ ୫ ଜଣ ଯନ୍ତ୍ରୀ ନିୟୋଜିତ; ୬ଟି ଜିଲ୍ଲାକୁ କ୍ଷୟକ୍ଷତିର ପ୍ରାଥମିକ ଆକଳନ ରିପୋର୍ଟ ଦାଖଲ ନିର୍ଦ୍ଦେଶ; ପ୍ରଭାବିତ ପରିବାରଙ୍କୁ ମାନବୀୟ ସହାୟତା ଯୋଗାଇବାକୁ ଇଓମାନଙ୍କୁ ଆହ୍ୱାନ*

ଭୁବନେଶ୍ୱର, ୧ ନଭେମ୍ବର ୨୦୨୬:

ବାତ୍ୟା ‘ଅର୍ଣ୍ଣବ’ ପରବର୍ତ୍ତୀ ପରିସ୍ଥିତିରେ ରିଲିଫ୍, ଜରୁରୀକାଳୀନ ସେବା ଓ ପୁନରୁଦ୍ଧାର କାର୍ଯ୍ୟକୁ ଅଧିକ ତ୍ୱରାନ୍ୱିତ କରିଛି ରାଜ୍ୟ ସରକାରଙ୍କ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ । ବିଶେଷକରି ଅତ୍ୟାବଶ୍ୟକ ସେବାର ପୁନଃସ୍ଥାପନ, କ୍ଷେତ୍ରସ୍ତରରେ ଅଧିକ ଯାନ୍ତ୍ରିକ ଓ ପ୍ରଶାସନିକ ସହାୟତା ଯୋଗାଣ ଏବଂ ପ୍ରଭାବିତ ପରିବାରଙ୍କୁ ତ୍ୱରିତ ସହାୟତା ପ୍ରଦାନ ଉପରେ ବିଭାଗ ଗୁରୁତ୍ୱ ଦେଇଛି ।

ବ୍ରହ୍ମପୁରରେ ଜଳ ଯୋଗାଣ ସ୍ୱାଭାବିକ କରିବାକୁ ଜରୁରୀ ପଦକ୍ଷେପ

ବାତ୍ୟା ପ୍ରଭାବରେ ବ୍ରହ୍ମପୁର ସହରର ଜଳ ଯୋଗାଣ ବ୍ୟବସ୍ଥାକୁ ସ୍ୱାଭାବିକ କରିବା ପାଇଁ ଜରୁରୀକାଳୀନ ଭିତ୍ତିରେ ପଦକ୍ଷେପ ନିଆଯାଇଛି । ଜନିଭିଲି ଇଣ୍ଟେକ୍‌ର ପୁନରୁଦ୍ଧାର କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଥିବାବେଳେ ଗ୍ରାହକମାନଙ୍କୁ ଅସୁବିଧାରୁ ରକ୍ଷା କରିବା ପାଇଁ ବିକଳ୍ପ ବ୍ୟବସ୍ଥା କରାଯାଇଛି ।

ନଭେମ୍ବର ୧ ତାରିଖ ସକାଳ ୧୦ଟା ସୁଦ୍ଧା ମିଳିଥିବା ତଥ୍ୟ ଅନୁଯାୟୀ, ବ୍ରହ୍ମପୁର ସହରର ଦୈନିକ ଜଳ ଆବଶ୍ୟକତା ୯୦ ଏମ୍‌ଏଲ୍‌ଡି ଥିବାବେଳେ ବର୍ତ୍ତମାନ ୭୦ ଏମ୍‌ଏଲ୍‌ଡି ଜଳ ଯୋଗାଣ କରାଯାଉଛି । ଏଥିରେ ଭୂପୃଷ୍ଠ ଜଳ ଉତ୍ସରୁ ୬୪ ଏମ୍‌ଏଲ୍‌ଡି ଏବଂ ଅତିରିକ୍ତ ଭାବେ କାର୍ଯ୍ୟକ୍ଷମ କରାଯାଇଥିବା ୧୫ଟି ଉତ୍ପାଦନକାରୀ ନଳକୂପରୁ ୬ ଏମ୍‌ଏଲ୍‌ଡି ଜଳ ଯୋଗାଣ ହେଉଛି । ଏହା ସହିତ ପ୍ରଭାବିତ ଅଞ୍ଚଳରେ ଜଳ ବଣ୍ଟନ ପାଇଁ ୧୨ଟି ଘରୋଇ ଟ୍ୟାଙ୍କର ସମେତ ମୋଟ ୨୦ଟି ଟ୍ୟାଙ୍କର ନିୟୋଜିତ ହୋଇଛି ।

ସୁରକ୍ଷିତ ପାନୀୟ ଜଳ ଯୋଗାଣ ନିମନ୍ତେ ଜଳ ବିଶୋଧନାଗାରଗୁଡ଼ିକରେ କ୍ଲୋରିନେସନ୍ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରାଯାଇଛି । ପ୍ରି-କ୍ଲୋରିନେସନ୍ ୪ ପିପିଏମ୍‌, ପୋଷ୍ଟ-କ୍ଲୋରିନେସନ୍ ୧୦ ପିପିଏମ୍‌ ଏବଂ ଜଳ ବିତରଣ ବ୍ୟବସ୍ଥାର ଶେଷ ଭାଗରେ ୨ ପିପିଏମ୍‌ କ୍ଲୋରିନ୍‌ ପ୍ରୟୋଗ କରାଯାଉଛି । ଅନ୍ୟପକ୍ଷରେ ହିଞ୍ଜିଳିକାଟୁ ଓ ଗୋପାଳପୁରରେ ଜଳ ଯୋଗାଣ ସ୍ୱାଭାବିକ ରହିଛି ।

ଜନିଭିଲି ଇଣ୍ଟେକ୍‌ର ପୁନରୁଦ୍ଧାର ପାଇଁ ତୁରନ୍ତ ପଦକ୍ଷେପ ସ୍ୱରୂପ ଇଣ୍ଟେକ୍‌ ନିକଟସ୍ଥ କନେକ୍ଟିକଟ୍‌ ନାଳ ଉପରେ ବାଲିବସ୍ତା ଦ୍ୱାରା ଏକ ଅସ୍ଥାୟୀ ପ୍ରତିବନ୍ଧକ ନିର୍ମାଣ କରାଯାଉଛି । ଏହାଦ୍ୱାରା ଜଳ ପ୍ରବାହକୁ ନିୟନ୍ତ୍ରଣ କରି ଇଣ୍ଟେକ୍‌ର ପୁନରୁଦ୍ଧାର କାର୍ଯ୍ୟ ସହଜ କରାଯିବ । ନଭେମ୍ବର ୧ ତାରିଖ ସକାଳ ୫ଟାରୁ ଏହି କାର୍ଯ୍ୟ ଆରମ୍ଭ ହୋଇଛି। ଏଥିରେ ପ୍ରାୟ ୧୨୦ ଜଣ ଶ୍ରମିକ, ୩ଟି ଏକ୍ସକାଭେଟର୍‌ ଓ ୨ଟି ଟ୍ରାକ୍ଟର ନିୟୋଜିତ ହୋଇଛନ୍ତି । ଏହି ଅସ୍ଥାୟୀ ପ୍ରତିବନ୍ଧକ ନିର୍ମାଣ ପାଇଁ ପ୍ରାୟ ୨୦ ହଜାର ବାଲିବସ୍ତା ବ୍ୟବହାର କରାଯିବ । କାର୍ଯ୍ୟରେ ନିୟୋଜିତ ଶ୍ରମିକମାନଙ୍କ ପାଇଁ ଯାତାୟାତ, ବିଦ୍ୟୁତ୍‌, ଆଲୋକ, ରହିବା, ଖାଦ୍ୟ ଓ ପାନୀୟ ଜଳର ଆବଶ୍ୟକ ବ୍ୟବସ୍ଥା କରାଯାଇଛି । ଜଳ ପ୍ରବାହ ନିୟନ୍ତ୍ରଣ ହେବା ମାତ୍ରେ ଇଣ୍ଟେକ୍‌ର ସଫେଇ, ମରାମତି ଓ ପୁନରୁଦ୍ଧାର କାର୍ଯ୍ୟ ଆରମ୍ଭ ହେବ ।

ଏହି ସମସ୍ତ କାର୍ଯ୍ୟକୁ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଉଷା ପାଢ଼ୀ, ପୌର ପ୍ରଶାସନ ନିର୍ଦ୍ଦେଶକ ଶ୍ରୀ ଅରିନ୍ଦମ ଡାକୁଆ ଏବଂ ୱାଟକୋର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଦେବବ୍ରତ ମହାନ୍ତି ବ୍ୟକ୍ତିଗତ ଭାବେ ତଦାରଖ କରୁଛନ୍ତି ।

ବ୍ରହ୍ମପୁରରେ ଅତିରିକ୍ତ ୫ ଜଣ ଯନ୍ତ୍ରୀ ନିୟୋଜିତ

ପୁନରୁଦ୍ଧାର କାର୍ଯ୍ୟକୁ ଅଧିକ ତ୍ୱରାନ୍ୱିତ କରିବା ସହ କ୍ଷେତ୍ରସ୍ତରରେ ଯାନ୍ତ୍ରିକ ସହାୟତା ସୁଦୃଢ଼ କରିବା ପାଇଁ ବିଭାଗ ପକ୍ଷରୁ ବିଭିନ୍ନ ସହରାଞ୍ଚଳ ସ୍ଥାନୀୟ ସଂସ୍ଥାରୁ ଆଉ ୫ ଜଣ ଯନ୍ତ୍ରୀଙ୍କୁ ବ୍ରହ୍ମପୁର ମହାନଗର ନିଗମରେ ନିୟୋଜିତ କରାଯାଇଛି.। ଏହି ଯନ୍ତ୍ରୀମାନଙ୍କ ସେବାକୁ ବ୍ରହ୍ମପୁର ମହାନଗର ନିଗମର କମିଶନରଙ୍କ ଅଧୀନରେ ନ୍ୟସ୍ତ କରାଯାଇଛି ଏବଂ ସେମାନେ ନଭେମ୍ବର ୧ ତାରିଖ ଅପରାହ୍ଣରୁ ନିଜ ନିଜର ପୂର୍ବ କାର୍ଯ୍ୟସ୍ଥଳରୁ ଅବ୍ୟାହତି ନେଇଛନ୍ତି ।

ନିୟୋଜିତ ଯନ୍ତ୍ରୀମାନେ ହେଲେ ଅଠଗଡ଼ ଏନ୍‌ଏସିର ସହକାରୀ ଯନ୍ତ୍ରୀ ଅଜୟ କୁମାର ଜାନୀ, କଟକ ମହାନଗର ନିଗମର କନିଷ୍ଠ ଯନ୍ତ୍ରୀ ରଶ୍ମିରଞ୍ଜନ ବେହେରା, ଗୁଣପୁର ପୌରପାଳିକାର ସହକାରୀ ଯନ୍ତ୍ରୀ ଆଦିତ୍ୟ ମିଶ୍ର, ପୁରୀ ମହାନଗର ନିଗମର କନିଷ୍ଠ ଯନ୍ତ୍ରୀ ବିଶ୍ୱରଞ୍ଜନ ପରିଡ଼ା ଏବଂ ଛତ୍ରପୁର ପୌରପାଳିକାର କନିଷ୍ଠ ଯନ୍ତ୍ରୀ ଭବାନୀ ଶଙ୍କର ବେହେରା ।

୬ଟି ଜିଲ୍ଲାକୁ କ୍ଷୟକ୍ଷତି ଆକଳନ ରିପୋର୍ଟ ଦାଖଲ ନିର୍ଦ୍ଦେଶ

ବାତ୍ୟା ପରବର୍ତ୍ତୀ କ୍ଷୟକ୍ଷତିର ଆକଳନ ଓ ପରବର୍ତ୍ତୀ ପଦକ୍ଷେପ ପାଇଁ ଗଞ୍ଜାମ, ଗଜପତି, କନ୍ଧମାଳ, ମାଲକାନଗିରି, କୋରାପୁଟ ଓ ରାୟଗଡ଼ା ଜିଲ୍ଲାର ଜିଲ୍ଲା ସହରାଞ୍ଚଳ ଉନ୍ନୟନ ସଂସ୍ଥା (ଡୁଡା) ଟିମ୍‌ଗୁଡ଼ିକୁ କ୍ଷୟକ୍ଷତିର ପ୍ରାଥମିକ ଆକଳନ ରିପୋର୍ଟ ପ୍ରସ୍ତୁତ କରି ଯଥାଶୀଘ୍ର ଦାଖଲ କରିବାକୁ ବିଭାଗ ନିର୍ଦ୍ଦେଶ ଦେଇଛି । ଏହି ରିପୋର୍ଟଗୁଡ଼ିକୁ ସମନ୍ୱିତ କରି ଆବଶ୍ୟକୀୟ ପଦକ୍ଷେପ ପାଇଁ ସ୍ୱତନ୍ତ୍ର ରିଲିଫ୍‌ କମିଶନରଙ୍କ କାର୍ଯ୍ୟାଳୟକୁ ପଠାଯିବ ।

ପ୍ରଭାବିତ ପରିବାରଙ୍କୁ ମାନବୀୟ ସହାୟତା ଯୋଗାଇବାକୁ ପରାମର୍ଶ l

ପୁନରୁଦ୍ଧାର କାର୍ଯ୍ୟରେ ମାନବୀୟ ସମ୍ବେଦନଶୀଳତା ଓ ଲୋକକୈନ୍ଦ୍ରିକ ଆଭିମୁଖ୍ୟକୁ ଗୁରୁତ୍ୱ ଦେଇ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ପାଢ଼ୀ ସମସ୍ତ ସହରାଞ୍ଚଳ ସ୍ଥାନୀୟ ସଂସ୍ଥାର କାର୍ଯ୍ୟନିର୍ବାହୀ ଅଧିକାରୀ ମାନଙ୍କୁ ପରିସ୍ଥିତିର ନିରନ୍ତର ତଦାରଖ କରିବା ସହ ସମୟୋଚିତ ରିପୋର୍ଟ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ସମ୍ପୃକ୍ତ ପୌରାଞ୍ଚଳରେ ରାସ୍ତା ମରାମତି, ରିଲିଫ୍‌ ପଦକ୍ଷେପ, ଅତ୍ୟାବଶ୍ୟକ ସେବାର ପୁନଃସ୍ଥାପନ, ସଫେଇ ଓ ଅନ୍ୟାନ୍ୟ କାର୍ଯ୍ୟର ବିବରଣୀ ଦାଖଲ କରିବାକୁ ଇଓମାନଙ୍କୁ କୁହାଯାଇଛି । ଏଥିସହ ଅତିରିକ୍ତ ଭାବେ ନିଆଯାଇଥିବା ପଦକ୍ଷେପ ଏବଂ ରାଜ୍ୟ ସରକାର କିମ୍ବା ଅନ୍ୟ ସଂସ୍ଥାଗୁଡ଼ିକଠାରୁ ଆବଶ୍ୟକ ସହାୟତା ସମ୍ପର୍କରେ ମଧ୍ୟ ଜଣାଇବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଶ୍ରୀମତୀ ପାଢ଼ୀ ଇଓମାନଙ୍କୁ କେବଳ ସରକାରୀ ଦାୟିତ୍ୱ ମଧ୍ୟରେ ସୀମିତ ନରହି ପ୍ରଭାବିତ ନାଗରିକ ଓ ପରିବାରଙ୍କ ପାଇଁ ଜଣେ ସହୃଦୟ ପଡ଼ୋଶୀ ଭାବେ ସହଯୋଗର ହାତ ବଢ଼ାଇବାକୁ ଆହ୍ୱାନ ଦେଇଛନ୍ତି ।

ଏଥିପାଇଁ କମ୍ୟୁନିଟି ଅର୍ଗାନାଇଜର୍‌ , ସହଯୋଗ ସାଥୀ ଓ ସଫେଇ କର୍ମଚାରୀମାନଙ୍କୁ ନିୟୋଜିତ କରି ପ୍ରଭାବିତ ପରିବାରଙ୍କୁ ପ୍ରତ୍ୟକ୍ଷ ସହାୟତା ଯୋଗାଇବାକୁ ସେ ପରାମର୍ଶ ଦେଇଛନ୍ତି । ଏହା ମଧ୍ୟରେ ପ୍ରଭାବିତ ଘରଗୁଡ଼ିକୁ ସଫା କରିବାରେ ସହାୟତା, ଦୁର୍ଗମ ଅଞ୍ଚଳରେ ପାନୀୟ ଜଳ ଯୋଗାଣ, ପରିବାରଗୁଡ଼ିକୁ ସେମାନଙ୍କର ଦୈନନ୍ଦିନ ଜୀବନ ସ୍ୱାଭାବିକ କରିବାରେ ସହଯୋଗ ଏବଂ ଯୋଗ୍ୟ ହିତାଧିକାରୀଙ୍କୁ ରିଲିଫ୍‌ ସହାୟତା ପାଇବାରେ ସହଯୋଗ କରିବା ଆଦି ଅନ୍ତର୍ଭୁକ୍ତ ।

ପୁନରୁଦ୍ଧାର ସମୟରେ ସମାଜରେ ଦେଖାଦେଉଥିବା ସହଯୋଗ, ସଦ୍‌ଭାବନା, ମାନବିକତା ଓ ଜନସେବାର ସକାରାତ୍ମକ ଉଦାହରଣଗୁଡ଼ିକୁ ଲିପିବଦ୍ଧ କରି ସେୟାର କରିବାକୁ ମଧ୍ୟ ଇଓ ଓ କ୍ଷେତ୍ରସ୍ତରୀୟ ଟିମ୍‌ଗୁଡ଼ିକୁ ଉତ୍ସାହିତ କରାଯାଇଛି ।

ବ୍ରହ୍ମପୁର ମହାନଗର ନିଗମ ସମେତ ଅନ୍ୟ ପ୍ରଭାବିତ ସହରାଞ୍ଚଳ ସ୍ଥାନୀୟ ସଂସ୍ଥାଗୁଡ଼ିକୁ ଅତିରିକ୍ତ ପ୍ରଶାସନିକ ଓ କାର୍ଯ୍ୟକ୍ଷମ ସହାୟତା ଯୋଗାଇ ଦିଆଯାଇଛି । କ୍ଷେତ୍ରସ୍ତରରେ ସମନ୍ୱୟ ସୁଦୃଢ଼ କରିବା ପାଇଁ ଅତିରିକ୍ତ ଅଧିକାରୀ ନିୟୋଜିତ ହୋଇଛନ୍ତି । ଜରୁରୀକାଳୀନ ପଦକ୍ଷେପ ଓ ପୁନରୁଦ୍ଧାର କାର୍ଯ୍ୟ ପାଇଁ ଆବଶ୍ୟକତା ଅନୁଯାୟୀ ଉପଲବ୍ଧ ଆର୍ଥିକ ସମ୍ବଳ ବ୍ୟବହାର କରିବାକୁ ପୌରସଂସ୍ଥାଗୁଡ଼ିକୁ ଅନୁମତି ଦିଆଯାଇଛି । ପୌର ପ୍ରଶାସନ ନିର୍ଦ୍ଦେଶାଳୟ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କ ସହ ସମନ୍ୱୟ ରକ୍ଷା କରି ସମଗ୍ର ପରିସ୍ଥିତି ଉପରେ ନଜର ରଖିଛି ।

ପ୍ରଭାବିତ ସହରାଞ୍ଚଳଗୁଡ଼ିକରେ ଅତ୍ୟାବଶ୍ୟକ ସେବାର ଶୀଘ୍ର ପୁନଃସ୍ଥାପନ, ସୁରକ୍ଷିତ ପାନୀୟ ଜଳ ଯୋଗାଣ, ଯାନ୍ତ୍ରିକ ଓ ପ୍ରଶାସନିକ ସହାୟତା ସୁଦୃଢ଼ କରିବା ଏବଂ ପ୍ରତ୍ୟେକ ପ୍ରଭାବିତ ପରିବାରଙ୍କ ନିକଟରେ ଆବଶ୍ୟକ ସହାୟତା ପହଞ୍ଚାଇବା ଉପରେ ବିଭାଗ ନିରନ୍ତର ନଜର ରଖିଛି । ପରିସ୍ଥିତି ସମ୍ପୂର୍ଣ୍ଣ ସ୍ୱାଭାବିକ ନହେବା ପର୍ଯ୍ୟନ୍ତ ସମସ୍ତ ଅଧିକାରୀ ଓ କ୍ଷେତ୍ରସ୍ତରୀୟ କର୍ମଚାରୀଙ୍କୁ ସତର୍କ, ସମ୍ବେଦନଶୀଳ ଓ ସକ୍ରିୟ ରହିବାକୁ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।
……..

Leave a Reply

Your email address will not be published. Required fields are marked *