Spread the love

ବାତ୍ୟା ‘ଅର୍ଣ୍ଣବ‘ ପ୍ରଭାବରେ ବନ୍ୟା: ସ୍ଥିତି ଅନୁଧ୍ୟାନ କଲେ ମୁଖ୍ୟ ଶାସନ ସଚିବ; ପ୍ରଭାବିତଙ୍କୁ ଏୟାରଲିଫ୍ଟ କରିବାକୁ ପରାମର୍ଶ

​ଭୁବନେଶ୍ୱର: ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବରେ ରାଜ୍ୟରେ ଜାରି ରହିଥିବା ଲଗାଣ ବର୍ଷା ଓ ସମ୍ଭାବ୍ୟ ବନ୍ୟା ପରିସ୍ଥିତିକୁ ନେଇ ସ୍ୱତନ୍ତ୍ର ରିଲିଫ୍ କମିଶନର (SRC)ଙ୍କ କାର୍ଯ୍ୟାଳୟରେ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ଏକ ଉଚ୍ଚସ୍ତରୀୟ ସମୀକ୍ଷା କରିଛନ୍ତି। ପ୍ରଭାବିତ ଅଞ୍ଚଳର ଜନସାଧାରଣଙ୍କ ସୁରକ୍ଷା ଓ ତ୍ୱରିତ ପଦକ୍ଷେପ ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି।

​ସମୀକ୍ଷା ଅନୁସାରେ, ବାତ୍ୟା ପ୍ରଭାବିତ ଗଞ୍ଜାମ ଓ ଗଜପତି ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ଘଟିଛି। ଗଞ୍ଜାମର ୨୨ଟି ବ୍ଲକର ୨୯୯ ଗ୍ରାମ ଓ ଗଜପତିର ୭ଟି ବ୍ଲକର ୭୧୧ ଗ୍ରାମ ଅଧିକ ପ୍ରଭାବିତ ହୋଇଛି। ପ୍ରଶାସନ ପକ୍ଷରୁ ଗଞ୍ଜାମରୁ ୧୧,୮୮୨ ଏବଂ ଗଜପତିରୁ ୧୭,୪୪୧ ଲୋକଙ୍କ ସମେତ ମୋଟ ୯୭୦ ଜଣ ଗର୍ଭବତୀ ମହିଳାଙ୍କୁ ସୁରକ୍ଷିତ ଭାବେ ଆଶ୍ରୟସ୍ଥଳକୁ ସ୍ଥାନାନ୍ତର କରାଯାଇଛି। ଗଞ୍ଜାମରେ ବନ୍ୟାଜଳ ଯୋଗୁଁ ୭୦ଟି ଗ୍ରାମର ୨,୩୨୮ ଲୋକ ଜଳବନ୍ଦୀ ରହିଥିବାରୁ, ଦୁର୍ଗମ ସ୍ଥାନରୁ ଲୋକଙ୍କୁ ଉଦ୍ଧାର କରିବା ପାଇଁ ଭାରତୀୟ ତଟରକ୍ଷୀ ବାହିନୀ (Indian Coast Guard) ହେଲିକପ୍ଟର ଜରିଆରେ ଏୟାରଲିଫ୍ଟିଂ ବ୍ୟବସ୍ଥା ଗ୍ରହଣ କରିବାକୁ ମୁଖ୍ୟ ଶାସନ ସଚିବ ପରାମର୍ଶ ଦେଇଛନ୍ତି।

​ଅନ୍ୟପଟେ, ବାଘଲଟି ଜଳଭଣ୍ଡାରର ଉପରମୁଣ୍ଡ ଓ ପାତ୍ରପୁର-ଚିକିଟି ଅଞ୍ଚଳରେ ଅସ୍ୱାଭାବିକ ବର୍ଷା ଯୋଗୁଁ ବାହୁଦା ନଦୀ କୂଳ ଲଂଘିଛି। ଆନ୍ଧ୍ରପ୍ରଦେଶର ଇଚ୍ଛାପୁରମ୍ ନିକଟସ୍ଥ ରେଳ ବ୍ରିଜ୍ ନଂ. ୧୦୫୨ ଉପରେ ଜଳସ୍ତର ବୃଦ୍ଧି ପାଇବା ଫଳରେ ରେଳ ଚଳାଚଳ ବାଧାପ୍ରାପ୍ତ ହୋଇଛି। ରେଳଯାତ୍ରୀଙ୍କ ସୁବିଧା ପାଇଁ ଗଞ୍ଜାମ ଓ ଶ୍ରୀକାକୁଲମ୍ ପ୍ରଶାସନ ତଥା ରେଳବାଇ କର୍ତ୍ତୃପକ୍ଷଙ୍କ ସହ ନିରନ୍ତର ସମନ୍ୱୟ ରକ୍ଷା କରାଯାଉଛି। ଏହି ସମୀକ୍ଷା ପରେ ଶ୍ରୀମତୀ ଗର୍ଗ ରାଜ୍ୟ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀଙ୍କ ସହ ପରବର୍ତ୍ତୀ କାର୍ଯ୍ୟପନ୍ଥା ନେଇ ଆଲୋଚନା କରିଛନ୍ତି।

Leave a Reply

Your email address will not be published. Required fields are marked *