Spread the love

ବିକାସ ନାମରେ ବିନାଶକୁ ଆମନ୍ତ୍ରଣ, ରାଜରାସ୍ତାକୁ ଅବରୋଧ କଲେ ହାତୀପଲ

ମଣିଷ ବିକାସ ନାମରେ ବିନାଶ ଆଡ଼କୁ ଗତି କରୁଥିବା ପରି ମନେହୁଏ। ଯାହା ପାଇଁ ମଣିଷ ଦିନକୁ ଦିନ ଜଙ୍ଗଲ କାଟି ପଦା କରିବାରେ ଲାଗିଥିବା ବେଳେ ଏବେ ଜଙ୍ଗଲି ଜୀବଜନ୍ତୁ ଗ୍ରାମ ଓ ସହରାଭିମୁଖି ହୋଇଛନ୍ତି। ଯାହା ଫଳରେ ମଣିଷ ଓ ଜଙ୍ଗଲି ଜୀବଜନ୍ତୁ ମାନଙ୍କ ମଧ୍ୟରେ ଏକ ପ୍ରକାରର ପ୍ରତିଯୋଗୀତା ଆରମ୍ଭ ହୋଇଥିବା ମନେହୁଏ। ସେହିଭଳି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା କେନ୍ଦୁଝର ବନଖଣ୍ଡ ଅନ୍ତର୍ଗତରେ। କେନ୍ଦୁଝର ଜିଲ୍ଲା କେନ୍ଦୁଝର ବନଖଣ୍ଡ ଯୋଡ଼ା ଖଣି ମଣ୍ଡଳ ଅନ୍ତର୍ଗତ ଜାତୀୟ ରାଜପଥ ୫୨୦ ବଡ଼ବିଲ ରେଞ୍ଜର ରଣାଶାଳ ଘାଟି ନିକଟରେ ରାସ୍ତା ଅବରୋଧ କଲେ ୭ ଟିକିଆ ହାତୀପଲ। ବଡ଼ବିଲ ରେଞ୍ଜ ବିଲେଇପଦା ସେକ୍ସନ ରଣାଶାଳ ଘାଟିରେ ଜାତୀୟ ରାଜପଥକୁ ୭ ଟିକିଆ ହାତୀ ପଲ ଅବରୋଧ କରିଥିବାର ଅଭାବନୀୟ ଦୃଶ୍ୟ ସାମ୍ନାକୁ ଆସିଛି। ଏହି ହାତୀ ପଲ ସିଦ୍ଧମଠ ସଂରକ୍ଷିତ ଜଙ୍ଗଲରୁ ବାହାରି ଠାକୁରାଣୀ ଜଙ୍ଗଲକୁ ଯାଉଥିବା ସମୟରେ ରାଜରାସ୍ତାକୁ କିଛି ସମୟ ପାଇଁ ଅବରୋଧ କରି ରଖିଥିବା ଦେଖିବାକୁ ମିଳିଥିଲା। କିଛି ସମୟ ଧରି ରାସ୍ତା ଅବରୋଧ ପରେ ହାତୀ ପଲ ଜଙ୍ଗଲ ଭିତରକୁ ପଳାଇ ଥିଲେ ମଧ୍ୟ ସ୍ଥାନୀୟ ଅଞ୍ଚଳବାସୀ ଭୟଭୀତ ଅବସ୍ଥାରେ ରହିଛନ୍ତି। ଘଟଣା ସ୍ଥଳରେ ବନବିଭାଗ କର୍ମଚାରୀ ପହଁଞ୍ଚି ହାତୀ ପଲକୁ ଟ୍ରାକ କରିଥିବା ନେଇ ସୂଚନା ରହିଛି।

କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ।

Leave a Reply

Your email address will not be published. Required fields are marked *