ବିଜିଲାନ୍ସ ଜାଲରେ କାରଖାନା ଓ ବଏଲର୍ ବିଭାଗର ଅଧିକାରୀ: ଆୟଠାରୁ ଅଧିକ ସମ୍ପତ୍ତି ମାମଲାରେ ଉମାକାନ୍ତ ଗିରଫ
ସମ୍ବଲପୁର: ଆୟଠାରୁ ଅଧିକ ସମ୍ପତ୍ତି (Disproportionate Assets) ଠୁଳ ଅଭିଯୋଗରେ ସମ୍ବଲପୁରର ସହକାରୀ କାରଖାନା ଓ ବଏଲର୍ ନିର୍ଦ୍ଦେଶକ ଉମାକାନ୍ତ ସାମନ୍ତରାୟଙ୍କୁ ଓଡ଼ିଶା ଭିଜିଲାନ୍ସ ଗିରଫ କରିଛି। ତାଙ୍କୁ ଆଜି ସମ୍ବଲପୁର ଭିଜିଲାନ୍ସ ସ୍ୱତନ୍ତ୍ର ଅଦାଲତରେ ହାଜର କରାଯିବ।
ଭିଜିଲାନ୍ସ ପକ୍ଷରୁ ହୋଇଥିବା ତଲାସୀ ସମୟରେ ଉମାକାନ୍ତଙ୍କ ସମ୍ପତ୍ତି ସମ୍ପର୍କରେ ଅନେକ ତଥ୍ୟ ସାମ୍ନାକୁ ଆସିଥିବା ଦାବି କରାଯାଇଛି। ତଲାସୀରେ ଭୁବନେଶ୍ୱରରେ ୨ଟି ଓ ପୁରୀରେ ୧ଟି ସମେତ ୪ଟି ବହୁତଳୀୟ କୋଠା, ଗୋଟିଏ ୩-ବିଏଚ୍କେ ଫ୍ଲାଟ୍, ୩୦ଟି ମୂଲ୍ୟବାନ ପ୍ଲଟ୍, ୩୦୦ ଗ୍ରାମ ସୁନା, ବ୍ୟାଙ୍କ ଓ ଅନ୍ୟାନ୍ୟ ଜମା ମିଶି ୩୬.୭୮ ଲକ୍ଷ ଟଙ୍କା ଏବଂ ଗୋଟିଏ ଚାରିଚକିଆ ଯାନ ଠାବ ହୋଇଥିବା ଭିଜିଲାନ୍ସ କହିଛି।
ଭିଜିଲାନ୍ସ ଅନୁସାରେ, ଠାବ ହୋଇଥିବା ସମ୍ପତ୍ତିର ସନ୍ତୋଷଜନକ ହିସାବ ଉମାକାନ୍ତ ଦେଇପାରିନଥିଲେ। ଏହି ଘଟଣାକୁ ନେଇ ସମ୍ବଲପୁର ଭିଜିଲାନ୍ସ ଥାନାରେ କେସ୍ ନମ୍ବର ୧୮/୨୦୨୬ ରୁଜୁ ହୋଇଛି। ମାମଲାଟି ଦୁର୍ନୀତି ନିବାରଣ ଆଇନ ଅଧୀନରେ ରୁଜୁ ହୋଇଥିବା ଜଣାପଡ଼ିଛି।
ଏହି ମାମଲାରେ ତଦନ୍ତ ଜାରି ରହିଛି।

