Spread the love

### ବିଦ୍ୟୁତ୍ କରେଣ୍ଟ ଲଗାଇ ବାରହା ଶିକାର ଉଦ୍ୟମ, ୨ ଜଣଙ୍କୁ ଚିହ୍ନଟ କଲା ବନ ବିଭାଗ

ତାଳଚେର ଚନ୍ଦ୍ରଶେଖରପୁରରେ ଅନୁଗୋଳ ବନଖଣ୍ଡର ଚଢ଼ାଉ; ୫ କେଜି ଜିଆଇ ତାର ଜବତ

ଅନୁଗୋଳ, ୪/୧୧: ବିଦ୍ୟୁତ୍ କରେଣ୍ଟ ବ୍ୟବହାର କରି ବନ୍ୟଜନ୍ତୁ ଶିକାର କରିବା ଉଦ୍ୟମକୁ ରୋକିବା ପାଇଁ ଅନୁଗୋଳ ବନଖଣ୍ଡ ପକ୍ଷରୁ ଚଢ଼ାଉ କରାଯାଇଛି। ତାଳଚେର ବନାଞ୍ଚଳ ଅନ୍ତର୍ଗତ ଚନ୍ଦ୍ରଶେଖରପୁର ଗ୍ରାମରେ ନଭେମ୍ବର ୪ ତାରିଖରେ ହୋଇଥିବା ଏହି ଚଢ଼ାଉ ସମୟରେ ବାରହା ଶିକାର ଘଟଣାରେ ସମ୍ପୃକ୍ତ ଥିବା ସନ୍ଦେହରେ ଦୁଇ ଜଣଙ୍କୁ ଚିହ୍ନଟ କରାଯାଇଛି।

ବିଶ୍ୱସନୀୟ ସୂତ୍ରରୁ ଶିକାର ସମ୍ପର୍କରେ ଖବର ପାଇବା ପରେ ତାଳଚେର ରେଞ୍ଜ ଅଧିକାରୀ (RO)ଙ୍କ ନେତୃତ୍ୱରେ ବନ ବିଭାଗର ଏକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ କରିଥିଲା। ଏହି ଘଟଣାରେ ଚନ୍ଦ୍ରଶେଖରପୁର ଗ୍ରାମର ନିରୋଦ ବେହେରା (୨୩) ଓ ବିପନ୍ନ ପ୍ରଧାନ (୩୨)ଙ୍କୁ ଚିହ୍ନଟ କରାଯାଇଛି।

ଅଭିଯାନ ସମୟରେ ଶିକାର କାର୍ଯ୍ୟରେ ବ୍ୟବହୃତ ହୋଇଥିବା ସନ୍ଦେହରେ ପ୍ରାୟ ୫ କିଲୋଗ୍ରାମ ଜିଆଇ ତାର ବନ ବିଭାଗ ଜବତ କରିଛି।

ଏହି ଚଢ଼ାଉରେ ଫରେଷ୍ଟର ଜଲ୍ଲୀ ଦେହୁରୀ, ଫରେଷ୍ଟ ଗାର୍ଡ ଗୌରହରି ସେଠୀ, ସଞ୍ଜୟ ସାହୁ, ଏଲିଫ୍ୟାଣ୍ଟ ସ୍କ୍ୱାଡ୍ ସଦସ୍ୟ ଶର୍ମା ରାଉତ ଏବଂ ଗଜମିତ୍ର ଲିଟୁ ଭୋଇ ସାମିଲ ହୋଇଥିଲେ।

ବନ୍ୟଜନ୍ତୁଙ୍କ ଅବାଧ ଶିକାର ରୋକିବା ସହ ଜଙ୍ଗଲର ଜୈବ ବିବିଧତା ଓ ପରିବେଶ ସନ୍ତୁଳନ ରକ୍ଷା ପାଇଁ ଅନୁଗୋଳ ବନଖଣ୍ଡ ପକ୍ଷରୁ ଏଭଳି ଅଭିଯାନ ଜାରି ରହିଛି। ବେଆଇନ ଶିକାରରୁ ଦୂରେଇ ରହି ବନ୍ୟଜନ୍ତୁଙ୍କ ସୁରକ୍ଷାରେ ସହଯୋଗ କରିବାକୁ ବନ ବିଭାଗ ପକ୍ଷରୁ ଆହ୍ୱାନ ଦିଆଯାଇଛି।

ବନ୍ୟଜନ୍ତୁଙ୍କୁ ବଞ୍ଚାନ୍ତୁ, ପ୍ରକୃତିକୁ ସୁରକ୍ଷା ଦିଅନ୍ତୁ।

Leave a Reply

Your email address will not be published. Required fields are marked *