### ବିଦ୍ୟୁତ୍ ଫାଶରେ ପଡ଼ି ମାଈ ହାତୀ ଓ ଛୁଆର ମୃତ୍ୟୁ, ଜଣେ ଅଟକ
ଢେଙ୍କାନାଳ, ୧୪/୧୧: ଜଙ୍ଗଲୀ ହାତୀଙ୍କ ପାଇଁ ବିଛାଯାଇଥିବା ବେଆଇନ ବିଦ୍ୟୁତ୍ ଫାଶ ନେଲା ଦୁଇ ହାତୀଙ୍କ ଜୀବନ। ଢେଙ୍କାନାଳ ବନଖଣ୍ଡ ଅନ୍ତର୍ଗତ କାମାକ୍ଷାନଗର ପଶ୍ଚିମ ବନାଞ୍ଚଳର ଗୋଡ଼ାରିବିଲି ଗ୍ରାମ ନିକଟ ଏକ ଚାଷଜମିରୁ ଏକ ମାଈ ହାତୀ ଓ ତାର ପ୍ରାୟ ୬ ମାସର ଛୁଆର ମୃତଦେହ ଉଦ୍ଧାର ହୋଇଛି। ମୃତ ମାଈ ହାତୀର ବୟସ ପ୍ରାୟ ୧୫ରୁ ୨୦ ବର୍ଷ ହେବ ବୋଲି ଅନୁମାନ କରାଯାଉଛି।
ଗତ ୧୪ ତାରିଖ ରାତିରେ କଡ଼ାଲିପାଳ ବିଟ୍ ଅନ୍ତର୍ଗତ ଗୋଡ଼ାରିବିଲି ଗ୍ରାମ ନିକଟ ଚାଷଜମିରେ ଏହି ଅଘଟଣ ଘଟିଥିବା ଜଣାପଡ଼ିଛି। ଖବର ପାଇ ବନ ବିଭାଗର ଅଧିକାରୀମାନେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ। ପ୍ରାଥମିକ ତଦନ୍ତରୁ ଚାଷଜମିରେ ସୋଲାର ବାଡ଼ ନାମରେ ବେଆଇନ ଭାବେ ଜୀବନ୍ତ ବିଦ୍ୟୁତ୍ ତାର ସଂଯୋଗ କରାଯାଇଥିବାରୁ ଦୁଇ ହାତୀଙ୍କ ମୃତ୍ୟୁ ଘଟିଥିବା ସନ୍ଦେହ କରାଯାଉଛି। ତେବେ ବ୍ୟବଚ୍ଛେଦ ଓ ପ୍ରାଣୀ ଚିକିତ୍ସକଙ୍କ ରିପୋର୍ଟ ପରେ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହେବ।
ଘଟଣାସ୍ଥଳରେ ଅନୁଗୋଳ ସର୍କଲର ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ (ଆରସିସିଏଫ୍), ଢେଙ୍କାନାଳ ଡିଏଫ୍ଓ, ଯୁଗ୍ମ ଟାସ୍କଫୋର୍ସ (ଜେଟିଏଫ୍) ସଦସ୍ୟ, ପ୍ରାଣୀ ଚିକିତ୍ସକ ଦଳ, ବିଦ୍ୟୁତ୍ ନିରୀକ୍ଷକ ଏବଂ ଟାଟା ପାୱାରର ଅଧିକାରୀମାନେ ମିଳିତ ଭାବେ ତଦନ୍ତ କରିଛନ୍ତି। ବିଦ୍ୟୁତ୍ ସଂଯୋଗର ପ୍ରକୃତ ସ୍ଥିତି ଓ ହାତୀଙ୍କ ମୃତ୍ୟୁ ପଛରେ ଥିବା କାରଣ ଜାଣିବା ପାଇଁ ବୈଷୟିକ ଯାଞ୍ଚ ମଧ୍ୟ କରାଯାଇଛି।
ଏହି ଘଟଣାରେ ଜଣେ ବ୍ୟକ୍ତିଙ୍କୁ ଅଟକ ରଖି ପଚରାଉଚରା କରାଯାଉଥିବା ବେଳେ ତଦନ୍ତ ଆଧାରରେ ଆଇନ ଅନୁଯାୟୀ ପରବର୍ତ୍ତୀ ପଦକ୍ଷେପ ନିଆଯାଉଛି।
ବନ ବିଭାଗ ପକ୍ଷରୁ କୁହାଯାଇଛି ଯେ, ଫସଲ ସୁରକ୍ଷା ନାମରେ ବେଆଇନ ଭାବେ ଜୀବନ୍ତ ବିଦ୍ୟୁତ୍ ତାର କିମ୍ବା ଅନ୍ୟ ବିପଜ୍ଜନକ ବିଦ୍ୟୁତ୍ ଉପକରଣ ବ୍ୟବହାର କରିବା ବନ୍ୟଜନ୍ତୁଙ୍କ ସହ ମଣିଷଙ୍କ ଜୀବନ ପ୍ରତି ମଧ୍ୟ ଗୁରୁତର ବିପଦ ସୃଷ୍ଟି କରୁଛି। ଏଭଳି ବେଆଇନ କାର୍ଯ୍ୟରେ ସମ୍ପୃକ୍ତ ଥିବା ଦୋଷୀଙ୍କ ବିରୋଧରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ହେବ।
ଘଟଣାର ପ୍ରକୃତ ରହସ୍ୟ ଉନ୍ମୋଚନ ଓ ଦାୟୀ ବ୍ୟକ୍ତିଙ୍କୁ ଚିହ୍ନଟ କରିବା ପାଇଁ ବନ ବିଭାଗର ତଦନ୍ତ ଜାରି ରହିଛି।
