Spread the love

ବେଧଡକ ଗଛକଟାକୁ ନେଇ ତାଳଚେରରେ ଜନଅସନ୍ତୋଷ

ସାଉଥ୍ ବଲଣ୍ଡା ପିଓଙ୍କ ମନମାନି ଅଭିଯୋଗ, ପ୍ରଶାସନର ନିରବତାକୁ ନେଇ ପ୍ରଶ୍ନ

ତାଳଚେର: ତାଳଚେର ବ୍ଲକ ଅନ୍ତର୍ଗତ ସାଉଥ୍ ବଲଣ୍ଡା ଅଞ୍ଚଳରେ ବେଧଡକ ଗଛକଟାକୁ ନେଇ ଦେଖାଦେଇଛି ତୀବ୍ର ଜନଅସନ୍ତୋଷ। ଓଆସରି ଛକଠାରୁ ବଲଣ୍ଡା ଷ୍ଟାଡିୟମ ପର୍ଯ୍ୟନ୍ତ ରାସ୍ତାକଡ଼ରେ ଥିବା ବହୁ ସଂଖ୍ୟକ ଗଛ କାଟି ଦିଆଯାଇଥିବା ନେଇ ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।

ସ୍ଥାନୀୟଙ୍କ ଅଭିଯୋଗ ଅନୁଯାୟୀ, ଏହି ଗଛଗୁଡ଼ିକ ଦୀର୍ଘଦିନ ଧରି ରାସ୍ତାରେ ଯାତାୟାତ କରୁଥିବା ଲୋକଙ୍କ ପାଇଁ ଛାଇର ଆଶ୍ରୟସ୍ଥଳ ପାଲଟିଥିଲା। ବିଶେଷକରି ଖରାଦିନେ ଲୋକେ ଏହି ଗଛମୂଳରେ କିଛି ସମୟ ବିଶ୍ରାମ ନେଉଥିଲେ। ହେଲେ ଏବେ ବହୁ ଗଛ କାଟି ଦିଆଯିବା ପରେ ଅଞ୍ଚଳର ପରିବେଶ ଓ ଯାତାୟାତକାରୀଙ୍କ ସୁବିଧା ଉଭୟ ପ୍ରଭାବିତ ହୋଇଥିବା ଲୋକେ କହିଛନ୍ତି।

କାହା ଅନୁମତିରେ ଗଛକଟା ହେଲା?— ଏହି ପ୍ରଶ୍ନ ଏବେ ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି। ଗଛକଟା ପାଇଁ ଆବଶ୍ୟକ ଅନୁମତି ନିଆଯାଇଥିଲା କି ନାହିଁ, ଯଦି ନିଆଯାଇଥିଲା ତେବେ କେଉଁ ବିଭାଗ ପକ୍ଷରୁ ଅନୁମତି ମିଳିଥିଲା—ତାହା ସ୍ପଷ୍ଟ କରିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।

ଅନ୍ୟପକ୍ଷରେ, ଘଟଣା ସମ୍ପର୍କରେ ବନ ବିଭାଗ ଓ ପ୍ରଶାସନ ପକ୍ଷରୁ ତୁରନ୍ତ ତଦନ୍ତ କରାଯାଇ ଆବଶ୍ୟକ ପଦକ୍ଷେପ ନିଆଯିବାକୁ ଦାବି ଉଠିଛି। ସରକାର ଗୋଟିଏ ପଟେ ‘ବୃକ୍ଷ ହିଁ ଜୀବନ’ ଓ ବୃକ୍ଷରୋପଣ ମାଧ୍ୟମରେ ପରିବେଶ ସୁରକ୍ଷାର ବାର୍ତ୍ତା ଦେଉଥିବା ବେଳେ ଅନ୍ୟପଟେ ଏଭଳି ଭାବେ ଗଛକଟା ଅଭିଯୋଗ ଉଠିବା ଚିନ୍ତାର ବିଷୟ ବୋଲି ସ୍ଥାନୀୟମାନେ କହିଛନ୍ତି।

ଏହି ଘଟଣାର ସଠିକ୍ ତଦନ୍ତ କରି ଗଛକଟାରେ କାହାର ସମ୍ପୃକ୍ତି ରହିଛି ଏବଂ ଅନୁମତି ନିଆଯାଇଥିଲା କି ନାହିଁ, ସେନେଇ ପ୍ରଶାସନ ସ୍ପଷ୍ଟ ତଥ୍ୟ ସାମ୍ନାକୁ ଆଣିବାକୁ ଦାବି ହେଉଛି।

ତାଳଚେରରୁ ସନାତନ କରଙ୍କ ରିପୋର୍ଟ, ଜାଗ୍ରତ ଭାରତ ନ୍ୟୁଜ୍।

Leave a Reply

Your email address will not be published. Required fields are marked *