ବ୍ରହ୍ମପୁରରେ ନକଲି ମସଲା କାରଖାନା ଠାବ, ୩୦ ଟନ୍ରୁ ଅଧିକ ସାମଗ୍ରୀ ଜବତ
ନାମୀଦାମୀ ବ୍ରାଣ୍ଡ୍ର ପ୍ୟାକେଟ୍ରେ ବିକ୍ରି ହେଉଥିଲା ନକଲି ହଳଦୀ ଓ ମରିଚ ଗୁଣ୍ଡ, ୩ ଅଟକ
ବ୍ରହ୍ମପୁର: ବ୍ରହ୍ମପୁରରେ ପୁଣି ଭେଜାଲ୍ ସାମଗ୍ରୀ କାରବାରର ପର୍ଦ୍ଦାଫାସ ହୋଇଛି। ନକଲି ଟମାଟୋ ସସ୍ ଓ ବେଆଇନ ତେଲ କାରବାର ପରେ ଏବେ ନକଲି ଖାଦ୍ୟ ମସଲା ତିଆରି କାରଖାନା ଠାବ କରିଛି ପୁଲିସ। ବଡ଼ବଜାର ଥାନା ପୁଲିସ ଚଢ଼ଉ କରି ୩୦ ଟନ୍ରୁ ଅଧିକ ହଳଦୀ ଗୁଣ୍ଡ, ମରିଚ ଗୁଣ୍ଡ ଓ ଅନ୍ୟାନ୍ୟ ମସଲା ସାମଗ୍ରୀ ସହ ମେସିନ୍ ଜବତ କରିଛି। ଘଟଣାରେ ୩ ଜଣଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି।
ସୂଚନା ଅନୁଯାୟୀ, ରବିବାର ସନ୍ଧ୍ୟା ପ୍ରାୟ ୭ଟା ସମୟରେ ଲକ୍ଷ୍ମୀନୃସିଂହ ସାହିର ସପ୍ତମ ଗଳିରେ ଥିବା ଏକ କୋଠାରେ ବଡ଼ବଜାର ଥାନା ପୁଲିସ ଚଢ଼ଉ କରିଥିଲା। ବ୍ରହ୍ମପୁର ଏସ୍ପିଙ୍କ ନିର୍ଦ୍ଦେଶରେ ଟାଉନ୍ ଏସ୍ଡିପିଓ ପ୍ରିୟସ ରଞ୍ଜନ ଛୋଟରାୟ ଓ ବଡ଼ବଜାର ଥାନା ଅଧିକାରୀ ଆଶିଷ ସ୍ୱାଇଁଙ୍କ ନେତୃତ୍ୱରେ ଏକ ପୁଲିସ ଟିମ୍ ଏହି କାର୍ଯ୍ୟାନୁଷ୍ଠାନ କରିଥିଲା।
ଚଢ଼ଉ ବେଳେ କୋଠା ଭିତରୁ ପ୍ୟାକିଂ ହୋଇଥିବା ଏବଂ ଖୋଲାରେ ରଖାଯାଇଥିବା ବିପୁଳ ପରିମାଣର ହଳଦୀ ଗୁଣ୍ଡ, ମରିଚ ଗୁଣ୍ଡ ଓ ଅନ୍ୟାନ୍ୟ ମସଲା ଜବତ ହୋଇଥିଲା। ଏହା ସହିତ କଞ୍ଚାମାଲ, ୪ଟି ମିଲିଂ ମେସିନ୍ ଏବଂ ପ୍ରାୟ ୫ଟି ପ୍ୟାକିଂ ମେସିନ୍ ମଧ୍ୟ ପୁଲିସ ଜବତ କରିଛି।
ପ୍ରାଥମିକ ସୂଚନା ଅନୁସାରେ, ବାହାରୁ କଞ୍ଚାମାଲ ଆଣି ଉକ୍ତ କୋଠାରେ ମସଲା ପ୍ରସ୍ତୁତ କରାଯାଉଥିଲା। ପରେ ତାହାକୁ ବିଭିନ୍ନ ନାମୀଦାମୀ ବ୍ରାଣ୍ଡ୍ର ପ୍ୟାକେଟ୍ରେ ଭର୍ତ୍ତି କରି ବଜାରରେ ବିକ୍ରି କରାଯାଉଥିବା ଅଭିଯୋଗ ହୋଇଛି।
ଏହି କାରବାର ପଛରେ ଆଉ କେଉଁମାନଙ୍କର ସମ୍ପୃକ୍ତି ରହିଛି ଏବଂ ନକଲି ମସଲା କେଉଁ କେଉଁ ଅଞ୍ଚଳକୁ ଯୋଗାଣ ହେଉଥିଲା, ସେ ନେଇ ପୁଲିସ ତଦନ୍ତ ଚଳାଇଛି। ଜବତ ମସଲାର ଗୁଣବତ୍ତା ଓ ଖାଦ୍ୟ ସୁରକ୍ଷା ସମ୍ପର୍କିତ ତଥ୍ୟ ଯାଞ୍ଚ ପରେ ଘଟଣାର ଅଧିକ ତଥ୍ୟ ସାମ୍ନାକୁ ଆସିପାରେ।
