ଭକ୍ତି, ଶ୍ରଦ୍ଧା ଓ ସେବାର ଅପୂର୍ବ ସମାଗମରେ ଉଦ୍ଯାପିତ ସାଇ ସତସଙ୍ଗ ସେବା ଟ୍ରଷ୍ଟର ବାର୍ଷିକ ଉତ୍ସବ
ଢେଙ୍କାନାଳ: ଶ୍ରଦ୍ଧା, ସବୁରୀ, ଭକ୍ତି ଓ ମାନବ ସେବାର ମହାନ ବାର୍ତ୍ତାକୁ ନେଇ ସାଇ ସତସଙ୍ଗv ସେବା ଟ୍ରଷ୍ଟ, ଢେଙ୍କାନାଳ ଆନୁକୂଲ୍ୟରେ ଆୟୋଜିତ ତ୍ରିଦିବସୀୟ ବାର୍ଷିକ ଉତ୍ସବ ମହାଆଡ଼ମ୍ବର ଓ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଉଦ୍ଯାପିତ ହୋଇଯାଇଛି।
ଉତ୍ସବର ପ୍ରଥମ ଦିବସରେ ସାଇ ବାବାଙ୍କ ଏକ ବିଶାଳ ଶୋଭାଯାତ୍ରା ସୌଦାମିନୀ ସ୍କୁଲ ପରିସରରୁ ବାହାରି ଶ୍ରୀରାମ ମଣ୍ଡପ ଅଭିମୁଖେ ଯାତ୍ରା କରିଥିଲା। ଶିରିଡ଼ିରୁ ଆସିଥିବା ପୂଜକଙ୍କ ଦ୍ୱାରା ପୂଜାର୍ଚ୍ଚନା ଓ ଆରତୀ ପରେ ଶୋଭାଯାତ୍ରା ଆରମ୍ଭ ହୋଇଥିଲା। ସୁସଜ୍ଜିତ ବିମାନରେ ସାଇ ବାବାଙ୍କ ମୂର୍ତ୍ତି ଓ ପବିତ୍ର ପାଦୁକା ଦର୍ଶନ ଶୋଭାଯାତ୍ରାର ମୁଖ୍ୟ ଆକର୍ଷଣ ଥିଲା। ଘଣ୍ଟ, ଶଙ୍ଖ ଓ ବାଜାର ଧ୍ୱନି ସାଙ୍ଗକୁ ଭକ୍ତଙ୍କ ସାଇ ଜୟଧ୍ୱନିରେ ସମଗ୍ର ସହର ଭକ୍ତିମୟ ହୋଇଉଠିଥିଲା।
ଦ୍ୱିତୀୟ ଦିବସରେ ସାଇ ସତ୍ୟନାରାୟଣ ବ୍ରତ ଓ ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଥିଲା। ଏଥିରେ ୧୦୮ ଯୋଡ଼ା ଦମ୍ପତି ଏକାସାଙ୍ଗରେ ପୂଜାରେ ଅଂଶଗ୍ରହଣ କରିଥିଲେ। ଶିରିଡ଼ି ସାଇ ସଂସ୍ଥାନର ପୂଜକଙ୍କ ଦ୍ୱାରା ସମସ୍ତ ପୂଜାବିଧି ଶାସ୍ତ୍ରୀୟ ରୀତିନୀତି ଅନୁସାରେ ସମ୍ପାଦିତ ହୋଇଥିଲା। ଏହି ଅବସରରେ ସମଗ୍ର ପରିବେଶ ଭକ୍ତି ଓ ଆଧ୍ୟାତ୍ମିକ ଚେତନାରେ ଭରିଯାଇଥିଲା।
ଉତ୍ସବର ତୃତୀୟ ତଥା ଶେଷ ଦିବସରେ ଏକଦିବସୀୟ ସାଇ ସତଚରିତ ସମୂହ ପାରାୟଣ ଅନୁଷ୍ଠିତ ହୋଇଥିଲା। ସକାଳ ୮ଟାରେ ଓଁକାର ଧ୍ୱନି ସହ ବିଷ୍ଣୁ ସହସ୍ରନାମ, ଗୁରୁ ଭାଗବତ ଓ ସାଇ ଅଷ୍ଟୋତ୍ତର ଶତନାମ ପାଠ ସହ ପତ୍ରାଭିଷେକ କରାଯାଇଥିଲା। ସକାଳ ୯ଟାରେ ବିଶ୍ୱର ମଙ୍ଗଳ, ଶାନ୍ତି ଓ କଲ୍ୟାଣ କାମନା କରି ଅଖଣ୍ଡ ଦୀପ ପ୍ରଜ୍ୱଳନ କରାଯାଇଥିଲା। ପରେ ସମସ୍ତ ସାଇ ଭକ୍ତ ସଂକଳ୍ପ ଗ୍ରହଣ କରି ସମୂହ ପାରାୟଣ ଆରମ୍ଭ କରିଥିଲେ।
ଏହି ପାରାୟଣରେ ମୁଖ୍ୟ ପାଠକ ଭାବେ ଶିବ ପ୍ରସାଦ ପଣ୍ଡା ଓ ମୁଖ୍ୟ ପାଠିକା ଭାବେ ରାନୁ ତ୍ରିପାଠୀ ପାରାୟଣ ପଠନ କରିଥିଲେ। ଏଥିରେ କଟକ, ପୁରୀ, ଭୁବନେଶ୍ୱର, ଯାଜପୁର, ଭଦ୍ରକ, ଅନୁଗୁଳ ଓ ରାଉରକେଲା ସମେତ ବିଭିନ୍ନ ସ୍ଥାନରୁ ସାଇ ଭକ୍ତମାନେ ଯୋଗଦେଇଥିଲେ। ଦୀର୍ଘ ଦିନର ଏହି ଆଧ୍ୟାତ୍ମିକ ଆୟୋଜନ ସନ୍ଧ୍ୟା ୬ଟାରେ ପାରାୟଣ ସମାପ୍ତି ଓ ସନ୍ଧ୍ୟା ଆରତୀ ସହ ସମ୍ପନ୍ନ ହୋଇଥିଲା।
ଏହାପରେ ସାଇ ପ୍ରବଚକ ଆଦିତ୍ୟ ପାଢ଼ୀ ଙ୍କ ଦ୍ୱାରା ପ୍ରବଚନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।
ଉଦ୍ଯାପନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ପ୍ରଶାସନିକ ଅଧିକାରୀ ଶ୍ରୀଯୁକ୍ତ ସୁରେଶ ପଣ୍ଡା ଯୋଗଦେଇ ନିଜ ବକ୍ତବ୍ୟରେ ସାଇ ବାବାଙ୍କ ମହାନ ଆଦର୍ଶ, ଶ୍ରଦ୍ଧା ଓ ସବୁରୀର ମହାମନ୍ତ୍ର ସହ ମାନବସେବା ଓ ନିଃସ୍ୱାର୍ଥପର ତ୍ୟାଗର ମହତ୍ତ୍ୱ ଉପରେ ଆଲୋକପାତ କରିଥିଲେ। ମାନବ ସେବା ହିଁ ମାଧବ ସେବା ବୋଲି ସେ ମତବ୍ୟକ୍ତ କରିଥିଲେ।
ସମ୍ମାନିତ ଅତିଥି ଭାବରେ ଶ୍ରୀଯୁକ୍ତ ଶୋଭାକର ଫତେସିଂ ଯୋଗ ଦେଇ ବାବା ଙ୍କ ମହତ୍ୱ ଆଲୋକପାତ କରିଥିଲେ
ଶେଷରେ ବିଭିର୍ଣ୍ଣ କ୍ଷେତ୍ରରେ ନିଃସ୍ୱାର୍ଥପର ମହତ ସେବା ପ୍ରଦାନ କରି ସମାଜ ପାଇଁ ଉଦାହରଣ ସୃଷ୍ଟି କରିଥିବା ବ୍ୟକ୍ତିବିଶେଷଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା
ଭଜନ ସମାରୋହରେ ଭକ୍ତମାନେ ସାଇ ଭଜନରେ ମଜ୍ଜି ଯାଇଥିବା ବେଳେ ସମସ୍ତଙ୍କ ପାଇଁ ସମୂହ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା।
ଏହି ତ୍ରିଦିବସୀୟ ଆଧ୍ୟାତ୍ମିକ ମହୋତ୍ସବକୁ ସଫଳ ଓ ସୁନ୍ଦର ଭାବେ ଆୟୋଜନ କରିବାରେ ସାଇ ସତସଙ୍ଗ ସେବା ଟ୍ରଷ୍ଟର ସମସ୍ତ ଭାଇ ଓ ଭଉଣୀଙ୍କ ସକ୍ରିୟ ସହଯୋଗ ରହିଥିଲା।
