Spread the love

ଭାଗିରଥି ସାଗରର ନିମ୍ନ ମାନର କାର୍ଯ୍ୟ, ପ୍ରଥମ ବର୍ଷାରେ ପୋଖରୀ ଭିତରେ ପଙ୍କ ମାଟି, ଶୌଚ ତୁଠ ଓ ୭ଟି ପାହାଚ କାର୍ଯ୍ୟ ଉଚ୍ଚ ମାନର କରାଯିବା ଦାବି

ଢେଙ୍କାନାଳ : ଗତ ଦୁଇ ବର୍ଷ ହେଲା ଭାଗିରଥି ସାଗର ପଙ୍କୋଦ୍ଧର କାର୍ଯ୍ୟ ଚାଲିଛି l ପୋଖରୀ ଭିତରେ ଏହି ପଙ୍କ ମାଟି ରଖାଯାଇ ଦ୍ୱିତୀୟ ହୁଡ଼ା ନ କରିବାପାଇଁ ପୋଖରୀ ସୁରକ୍ଷା ସମିତି ଓ ସହରର ବିଭିନ୍ନ ମହଲ ପକ୍ଷରୁ ଦାବି କରାଯାଇଛି l ଏପରିକି ପୌରାଧ୍ୟକ୍ଷl, ଜିଲ୍ଲାପାଳ ଓ ମୁଖ୍ୟମନ୍ତ୍ରୀଙ୍କୁ ବହୁ ବାର ଲିଖିତ ଭାବେ ଅଭିଯୋଗ ଦିଆଯାଇଛି l ଶେଷରେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କୁ ଅଭିଯୋଗ କରିବାରୁ ସେ ହସ୍ତକ୍ଷେପ କରି ପୌର ନିର୍ବାହୀ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ ଯେ ଭାଗିରଥି ସାଗର ପୋଖରୀ ଭିତରେ କୌଣସି ପଙ୍କ ମାଟି ରହିବ ନାହିଁ ଏବଂ ଦ୍ୱିତୀୟ ହୁଡ଼ା କରାଯିବ ନାହିଁ l “ଗୋଟେ ପୋଖରୀ ପାଇଁ ଏତେ ରାଜନୀତି ଓ ଗୋଟିଏ ବିଧାକୁ ପାମ୍ପଡ ନାହିଁ” ବୋଲି ତlତ୍ସଲ୍ୟ କରି କହିଥିଲେ l ମନ୍ତ୍ରୀ ମହୋଦୟଙ୍କ ଆଦେଶକୁ ନା ପୌର ନିର୍ବାହୀ ଅଧିକାରୀ ଶୁଣିଲେ ନା ଜିଲ୍ଲାପାଳ ଶୁଣିଲେ l ମନ୍ତ୍ରୀଙ୍କ ଆଦେଶ ପ୍ରତି କାହାର ଖାତିର ନାହିଁ l ଏବେ ପ୍ରଥମ ବର୍ଷାରେ ଅନେକ ପଙ୍କ ମାଟି ପୋଖରୀ ଭିତରକୁ ଧସେଇ ବୋହିବା ସହିତ ଅନେକ ଅନାବନା ଘାସ ଗଛ ଉଠିବା ଆରମ୍ଭ ହୋଇଯାଇଛି l ପୋଖରୀର ଦକ୍ଷିଣ ପାର୍ଶ୍ୱ ପଥର କାନ୍ଥ ଭୁତରୁ ସ୍ୱତଃ ଉଠିଥିବା ଡ଼ିମିରି, କଦମ ଗଛ ଯାହାକି କାନ୍ଥ ଫଟାଇ ରହିଛି ସେ ସବୁକୁ କେବଳ ଉପରୁ ସଫା କରାଯାଇଥିଲା l ଏବେ ପୁଣି ସେହି ଗଛ ଗୁଡିକ ମୁଣ୍ଡ ଟେକିଲାଣି l ସେହି ଦୁର୍ବଳ କାନ୍ଥକୁ ଅଟକାଇବା ପାଇଁ ପଙ୍କ ମାଟି ଗଦା କରାଯାଇଛି l କିଛି ଦିନ ପରେ ତାକୁ ଭାଙ୍ଗି ପୁଣି କରାଯିବ ଏବଂ ପୌର ପରିଷଦ ଲେଉଟିଆ ଶାଗ ପରି ପୁଣି ପିସି ଖାଇବାର ବ୍ୟବସ୍ଥା କରାଯାଉଛି l ଭାଗିରଥି ସାଗର ସୁରକ୍ଷା ସମିତି ଏବଂ ପୋଖରୀ ସୁରକ୍ଷା ସମିତି ପକ୍ଷରୁ ଏହି ନିମ୍ନ ମାନର କାର୍ଯ୍ୟକୁ ବାରମ୍ବାର ବିରୋଧ କରାଯାଇ ପୋଖରୀ ସୁରକ୍ଷା ସମିତି ସଭାପତି ଆଇନଜୀବୀ ସୁରେନ୍ଦ୍ର କୁମାର ମିଶ୍ର ଓ ପୂର୍ବତନ ସାଂସଦ ମହେଶ ସାହୁଙ୍କ ନେତୃତ୍ୱରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଥିଲା l ସାଧାରଣ ଲୋକଙ୍କ ଟିକସକୁ ଅପଚୟ କରି ଗୋଟିଏ କାମକୁ ବାରମ୍ବାର କରାଯାଉଛି l ଏସବୁକୁ ଖାତିର ନକରି ପୌର ପ୍ରଶାସନ ମନମୁଖୀ କାର୍ଯ୍ୟ କରିଚାଲିଛି l ବର୍ତ୍ତମାନ ଭାଗିରଥି ସାଗରର ଶୌଚ ତୁଠ ଓ ୭ ଗୋଟି ପାହାଚ କାର୍ଯ୍ୟ ଉଚ୍ଚ ମାନର କରାଯାଇ ତୁରନ୍ତ ସମ୍ପୂର୍ଣ୍ଣ କରିବାପାଇଁ ଭାଗିରଥି ସାଗର ସୁରକ୍ଷା ସମିତି ସଭାପତି ପଙ୍କଜ ନାୟକ ଦାବି କରିଛନ୍ତି l

Leave a Reply

Your email address will not be published. Required fields are marked *