Spread the love

ନୂଆଦିଲ୍ଲୀ, ୨୦/୧୧ : ପୁଣିଥରେ ମହିଳା ଏସିଆନ ଚାମ୍ପିୟନ୍ସ ଟ୍ରଫି କବଜା କରିଛି ଭାରତୀୟ ମହିଳା ହକି ଟିମ। ବିହାରର ରାଜଗିରରେ ଭାରତୀୟ ମହିଳା ଟିମ ରାଜ କରିଛି। ଆଜି ଫାଇନାଲରେ ଭାରତୀୟ ମହିଳା ଦଳ ଚାଇନାକୁ ୧-୦ରେ ହରାଇ କ୍ରମାଗତ ଦ୍ୱିତୀୟ ଥର ପାଇଁ ଚାମ୍ପିୟନ ହୋଇଛି। ୨୦୨୩ରେ ଦଳ ଜାପାନକୁ ୪-୦ ଗୋଲରେ ହରାଇ ରାଞ୍ଚିରେ ଟ୍ରଫି ତୋଳିଥିଲା।

ଏଥର ବିହାରରେ ଭାରତର ଫାଇନାଲ ଶିକାର ବନିଛି ଚାଇନା। ମୁଖ୍ୟକୋଚ ଭାବେ ହରେନ୍ଦ୍ର ସିଂହ ପ୍ରଥମ ଟାଇଟଲ ଜିତିବାକୁ ମଧ୍ୟ ସକ୍ଷମ ହୋଇଛନ୍ତି। ଆଜିର ଫାଇନାଲରେ ଭାରତ ପକ୍ଷରୁ ଏକମାତ୍ର ଗୋଲ ଦୀପିକା ସ୍କୋର କରିଛନ୍ତି। ୩୧ତମ ମିନିଟରେ ମିଳିଥିବା ପେନାଲ୍ଟି କର୍ଣ୍ଣରକୁ ନବନୀତ କୌର ଠିକ ଭାବେ ହିଟ କରିପାରି ନଥିଲେ।ଏହା ତାଙ୍କ ଷ୍ଟିକରେ ବାଜି ଦୀପିକାଙ୍କ ପାଖକୁ ଚାଲି ଯାଇଥିଲା। ଦୀପିକା କୌଣସି ତ୍ରୁଟି ନ କରି ଏହାକୁ ଗୋଲରେ ପରିଣତ କରିଥିଲେ।ଭାରତ ପୂରା ଟୁର୍ଣ୍ଣାମେଣ୍ଟରେ ଅପରାଜେୟ ରହିବା ସହ ଟ୍ରଫି କବଜା କରିଛି। ସେମି ଫାଇନାଲରେ ଦଳ ଜାପାନକୁ ୨-୦ରେ ହରାଇଥିଲା। ୨୦୧୦ରୁ ମହିଳା ଏସିଆନ ଚାମ୍ପିୟନ୍ସ ଟ୍ରଫି ଆୟୋଜନ ହେଉଛି। ଭାରତ ପ୍ରଥମଥର ପାଇଁ ୨୦୧୬ରେ ଟ୍ରଫି ଜିତିଥିଲା। ୨୦୧୮ରେ ଦଳକୁ ଫାଇନାଲରେ ଦକ୍ଷିଣ କୋରିଆ ଠାରୁ ୦-୧ରେ ହାରିବାକୁ ପଡ଼ିଥିଲା। ହେଲେ ୨୦୨୩ ଓ ୨୦୨୪ରେ ଭାରତୀୟ ମହିଳା ଦଳ ଚାମ୍ପିୟନ ହୋଇଛି।

Leave a Reply

Your email address will not be published. Required fields are marked *