ମୃତଦେହ ନେଇ ଫେରୁଥିବା ଆମ୍ବୁଲାନ୍ସର ମର୍ମନ୍ତୁଦ ଦୁର୍ଘଟଣା, ଚାଲିଗଲା ୩ ଜୀବନ
ନୟାଗଡ଼, ୮/୧୧: ଦୀପାବଳିର ଆଲୋକ ଓ ଉତ୍ସବ ମଧ୍ୟରେ ନୟାଗଡ଼ ଜିଲ୍ଲାରୁ ଆସିଛି ଅତ୍ୟନ୍ତ ହୃଦୟବିଦାରକ ଖବର। ମୃତଦେହ ନେଇ ଘରକୁ ଫେରୁଥିବା ଏକ ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ ହେବାରୁ ଆମ୍ବୁଲାନ୍ସ ଚାଳକଙ୍କ ସମେତ ତିନି ଜଣଙ୍କ ମୃତ୍ୟୁ ଘଟିଛି। ଏଥିରେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି।
ସୂଚନା ଅନୁଯାୟୀ, ବଲାଙ୍ଗୀର ଜିଲ୍ଲାର ଦେଓଗାଁ ଅଞ୍ଚଳର ଈଶ୍ୱର ସାହୁଙ୍କ ମୃତଦେହକୁ ନେଇ ଆମ୍ବୁଲାନ୍ସଟି ଭୁବନେଶ୍ୱରରୁ ଦେଓଗାଁ ଫେରୁଥିଲା। ମୃତକଙ୍କ ପରିବାର ସଦସ୍ୟ ମଧ୍ୟ ଗାଡ଼ିରେ ଥିଲେ। ତେବେ ନୟାଗଡ଼ ଜିଲ୍ଲାର ୫୭ ନମ୍ବର ଜାତୀୟ ରାଜପଥର ବାଣିଗୋଚ୍ଛା ନିକଟ ଶାଳଭଙ୍ଗା ଜଙ୍ଗଲ ରାସ୍ତାରେ ହଠାତ୍ ଆମ୍ବୁଲାନ୍ସଟି ଭାରସାମ୍ୟ ହରାଇ ଏକ କଲଭର୍ଟରେ ଧକ୍କା ଦେଇଥିଲା।
ଧକ୍କା ଏତେ ଜୋରଦାର ଥିଲା ଯେ ଆମ୍ବୁଲାନ୍ସର ଚାଳକଙ୍କ ସମେତ ଗାଡ଼ିରେ ଥିବା ଅନ୍ୟ ଦୁଇ ଜଣଙ୍କ ଜୀବନ ଚାଲିଯାଇଥିଲା। ଅନ୍ୟପଟେ ଈଶ୍ୱର ସାହୁଙ୍କ ପୁଅ ରାଜୁ ସାହୁ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି। ତାଙ୍କୁ ଉଦ୍ଧାର କରି ତୁରନ୍ତ ଦଶପଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମୃତକମାନଙ୍କ ମୃତଦେହ ମଧ୍ୟ ଦଶପଲ୍ଲା ଡାକ୍ତରଖାନାକୁ ନିଆଯାଇଛି।
ଗୋଟିଏ ପଟେ ପରିବାରର ମୁଖ୍ୟ ସଦସ୍ୟଙ୍କ ମୃତ୍ୟୁରେ ଶୋକରେ ବୁଡ଼ିଥିବା ପରିବାର ଲୋକେ ମୃତଦେହ ନେଇ ଘରକୁ ଫେରୁଥିବା ବେଳେ ଏହି ଦୁର୍ଘଟଣା ସେମାନଙ୍କ ଦୁଃଖକୁ ଆହୁରି ଦ୍ୱିଗୁଣିତ କରିଦେଇଛି। ଦୀପାବଳି ଦିନ ଗୋଟିଏ ପରିବାର ଉପରେ ଦୁଇଟି ବଡ଼ ବିପତ୍ତି ମାଡ଼ି ଆସିବା ଘଟଣା ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି।
