Spread the love

ମୋଦିଙ୍କ ଉଦ୍‌ଘାଟନ ଅପେକ୍ଷାରେ ଖୋର୍ଦ୍ଧାର RBI ଗ୍ରୀନ୍‌ ଫିଲ୍ଡ ଡାଟା ସେଣ୍ଟର

୧୬୯ କୋଟି ଟଙ୍କା ବ୍ୟୟରେ ୧୯ ଏକର ଜମିରେ ନିର୍ମାଣ; ଦେଶର ଦ୍ୱିତୀୟ କେନ୍ଦ୍ର ହେବାକୁ ଯାଉଛି

ଭୁବନେଶ୍ୱର, ୨୩ ଅକ୍ଟୋବର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅକ୍ଟୋବର ୨୫ ତାରିଖ ଓଡ଼ିଶା ଗସ୍ତକୁ ନେଇ ଚଳଚଞ୍ଚଳ ହୋଇଉଠିଛି ଖୋର୍ଦ୍ଧା। ଏହି ଗସ୍ତ ଅବସରରେ ଖୋର୍ଦ୍ଧାରେ ନିର୍ମିତ ଭାରତୀୟ ରିଜର୍ଭ ବ୍ୟାଙ୍କ (RBI)ର ଗ୍ରୀନ୍‌ ଫିଲ୍ଡ ଡାଟା ସେଣ୍ଟର ଓ ପ୍ରଶିକ୍ଷଣ ସଂସ୍ଥାକୁ ପ୍ରଧାନମନ୍ତ୍ରୀ ଉଦ୍‌ଘାଟନ କରିବେ। ଏଥିପାଇଁ ପ୍ରକଳ୍ପ ପରିସରକୁ ସଜାଇବା ସହ ଉଦ୍‌ଘାଟନୀ କାର୍ଯ୍ୟକ୍ରମର ପ୍ରସ୍ତୁତି ଜୋରଦାର ହୋଇଛି।

୧୬୯ କୋଟି ଟଙ୍କା ବ୍ୟୟରେ ପ୍ରାୟ ୧୯ ଏକର ଜମିରେ ଏହି ଅତ୍ୟାଧୁନିକ କେନ୍ଦ୍ର ନିର୍ମାଣ କରାଯାଇଛି। ବାଗଚି ଶ୍ରୀ ଶଙ୍କରା କ୍ୟାନ୍ସର ସେଣ୍ଟର ଓ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍‌ ନିକଟରେ ଏହା ଅବସ୍ଥିତ। ଏହି ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ ଦେଶରେ ଏହା ଦ୍ୱିତୀୟ ଗ୍ରୀନ୍‌ ଫିଲ୍ଡ ଡାଟା ସେଣ୍ଟର ହେବ ବୋଲି ରିପୋର୍ଟରେ ଉଲ୍ଲେଖ ରହିଛି।

୨୦୨୩ରେ ହୋଇଥିଲା ଶିଳାନ୍ୟାସ

ଏହି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପର ଶିଳାନ୍ୟାସ ୨୦୨୩ ମାର୍ଚ୍ଚ ୨୨ ତାରିଖରେ ତତ୍କାଳୀନ RBI ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କରିଥିଲେ। ଏବେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଏହାର ଉଦ୍‌ଘାଟନ ହେବାକୁ ଥିବାରୁ ଓଡ଼ିଶାର ଭିତ୍ତିଭୂମି ବିକାଶ କ୍ଷେତ୍ରରେ ଏହାକୁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଭାବେ ଦେଖାଯାଉଛି।

ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ

ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ସୁରୁଖୁରୁରେ ସମ୍ପନ୍ନ କରିବା ପାଇଁ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ସୁରକ୍ଷା ବ୍ୟବସ୍ଥା, କାରକେଡ୍‌ ପରିଚାଳନା, ଜରୁରୀକାଳୀନ ଚିକିତ୍ସା ସେବା, ସଡ଼କ ମରାମତି, ପରିମଳ, ନିରବଚ୍ଛିନ୍ନ ବିଦ୍ୟୁତ୍‌ ଯୋଗାଣ ଓ ପାନୀୟ ଜଳ ବ୍ୟବସ୍ଥା ଉପରେ ଆଲୋଚନା ହୋଇଛି।

ଏହାସହ ମଞ୍ଚ ପ୍ରସ୍ତୁତି, ଗଣମାଧ୍ୟମ ପାଇଁ ସମ୍ବାଦ ପ୍ରସାରଣ ବ୍ୟବସ୍ଥା ଏବଂ ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବସ୍ଥାର ସମୀକ୍ଷା କରାଯାଇଛି।

ଏପରି ରହିବ ପ୍ରଧାନମନ୍ତ୍ରୀଙ୍କ ଗସ୍ତ କାର୍ଯ୍ୟସୂଚୀ

ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ, ଅକ୍ଟୋବର ୨୫ ତାରିଖ ଅପରାହ୍ନରେ ପ୍ରଧାନମନ୍ତ୍ରୀ ସ୍ୱତନ୍ତ୍ର ବାୟୁସେନା ବିମାନରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବେ। ସେଠାରୁ ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ଖୋର୍ଦ୍ଧା ହେଲିପ୍ୟାଡ୍‌ରେ ପହଞ୍ଚିବା ପରେ ସଡ଼କ ପଥରେ RBIର ଗ୍ରୀନ୍‌ ଫିଲ୍ଡ ଡାଟା ସେଣ୍ଟର ଓ ପ୍ରଶିକ୍ଷଣ ସଂସ୍ଥାକୁ ଯିବେ।

ସେଠାରେ ପ୍ରାୟ ଏକ ଘଣ୍ଟାର କାର୍ଯ୍ୟକ୍ରମ ରହିଛି। ଉଦ୍‌ଘାଟନୀ କାର୍ଯ୍ୟକ୍ରମ ଶେଷ କରି ପ୍ରଧାନମନ୍ତ୍ରୀ ସଡ଼କ ପଥରେ ଭୁବନେଶ୍ୱର ବିମାନବନ୍ଦରକୁ ଫେରିବେ ଏବଂ ସନ୍ଧ୍ୟାରେ ପ୍ରତ୍ୟାବର୍ତ୍ତନ କରିବେ।

RBIର ଏହି ପ୍ରକଳ୍ପର ଉଦ୍‌ଘାଟନକୁ ନେଇ ଖୋର୍ଦ୍ଧା ଓ ଭୁବନେଶ୍ୱରରେ ପ୍ରଶାସନିକ ପ୍ରସ୍ତୁତି ଜାରି ରହିଛି। ଗସ୍ତ ସମୟରେ ସୁରକ୍ଷା ଓ ଯାତାୟାତ ବ୍ୟବସ୍ଥାକୁ ସୁଚାରୁ ରଖିବା ପାଇଁ ସମ୍ପୃକ୍ତ ବିଭାଗଗୁଡ଼ିକୁ ଆବଶ୍ୟକ ପଦକ୍ଷେପ ନେବାକୁ କୁହାଯାଇଛି।

 

Leave a Reply

Your email address will not be published. Required fields are marked *