Spread the love

ମୟୂରଭଞ୍ଜରେ ଭୋର୍‌ରୁ ଭୟାବହ ବସ୍ ଦୁର୍ଘଟଣା, ରାସ୍ତାକଡ଼କୁ ଓଲଟିଲା ଦିଲ୍ଲୀ ଯାଉଥିବା ବସ୍‌; ୨ ଗୁରୁତର

ମୟୂରଭଞ୍ଜ: ଭୋର୍‌ରୁ ମୟୂରଭଞ୍ଜ ଜିଲ୍ଲାରେ ଘଟିଛି ଏକ ଭୟାବହ ସଡ଼କ ଦୁର୍ଘଟଣା। ୪୨ ଜଣ ଯାତ୍ରୀଙ୍କୁ ନେଇ ଦିଲ୍ଲୀ ଅଭିମୁଖେ ଯାଉଥିବା ଏକ ଘରୋଇ ଯାତ୍ରୀବାହୀ ବସ୍‌ ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟି ପଡ଼ିଛି। ଏଥିରେ ଦୁଇ ଜଣ ଯାତ୍ରୀ ଗୁରୁତର ହୋଇଥିବାବେଳେ ଅନ୍ୟ କେତେକ ଯାତ୍ରୀ ଆହତ ହୋଇଛନ୍ତି।

ସୂଚନା ଅନୁଯାୟୀ, ଜାତୀୟ ରାଜପଥ-୧୮ର ଝାରପୋଖରିଆ ବଜାର ନିକଟରେ ଆଜି ଭୋର ପ୍ରାୟ ୩ଟା ସମୟରେ ଏହି ଦୁର୍ଘଟଣା ଘଟିଛି। ‘ଶ୍ୟାମଳୀ’ ନାମକ ଘରୋଇ ବସ୍‌ଟି ୪୨ ଜଣ ଯାତ୍ରୀଙ୍କୁ ନେଇ ଦିଲ୍ଲୀ ଯାଉଥିବା ସମୟରେ ହଠାତ୍‌ ଚାଳକ ନିୟନ୍ତ୍ରଣ ହରାଇବାରୁ ରାସ୍ତାକଡ଼କୁ ଓଲଟି ପଡ଼ିଥିଲା।

ଦୁର୍ଘଟଣା ପରେ ବସ୍‌ ଭିତରେ ଯାତ୍ରୀମାନେ ଫସି ରହିଥିଲେ। ଖବର ପାଇ ଝାରପୋଖରିଆ ପୁଲିସ ସହିତ ସାରସକଣା ଓ ବାଙ୍ଗିରିପୋଷି ଅଗ୍ନିଶମ ବାହିନୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ବସ୍‌ ଭିତରେ ଫସି ରହିଥିବା ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ବାହାର କରାଯାଇଥିଲା। ଗୁରୁତର ଦୁଇ ଯାତ୍ରୀଙ୍କୁ ତୁରନ୍ତ ଶୀର୍ଷା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଯାଇଛି।

ଏହି ଦୁର୍ଘଟଣା ପରେ ଦୂରପାଳିଆ ଯାତ୍ରୀବାହୀ ବସ୍‌ଗୁଡ଼ିକର ଫିଟନେସ୍‌, ନିର୍ଦ୍ଧାରିତ ବେଗସୀମା ପାଳନ ଏବଂ ଚାଳକଙ୍କ ବିଶ୍ରାମ ବ୍ୟବସ୍ଥାକୁ ନେଇ ପୁଣିଥରେ ପ୍ରଶ୍ନ ଉଠିଛି। ତେବେ ବସ୍‌ଟି କେଉଁ କାରଣରୁ ଦୁର୍ଘଟଣାଗ୍ରସ୍ତ ହେଲା, ତାହା ତଦନ୍ତ ପରେ ସ୍ପଷ୍ଟ ହେବ।

Leave a Reply

Your email address will not be published. Required fields are marked *